ଲିଙ୍ଗଡୋ କମିଶନ ନିୟମର ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର
ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଛି
ବିଜେଡି ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ଚାପ ପକାଉଛନ୍ତି ବିଜେପି ମନ୍ତ୍ରୀ ଓ ବିଧାୟକ
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ କରିବାକୁ ବିଜେପି ହିନ ପ୍ରୟାସ ଜାରି ରଖିଛି । ନିର୍ବାଚନ ପାଇଁ ଥିବା ନୀତି ନିୟମକୁ ଜଳାଞ୍ଜଳି ଦେଇ ସମ୍ପୂର୍ଣ୍ଣ ପ୍ରକିୟାକୁ ବିଜେପି ସରକାର ହାଇଜାକ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଥିବାରୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଡ଼ ବ୍ୟୋମକେଶ ରାୟ, ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ବିଜେପି ସରକାର ଉପରେ ବର୍ଷିଥିଲେ । ଡ଼ ବ୍ୟୋମକେଶ ରାୟ କହିଥିଲେ ଯେ, ବିଜେଡି ପକ୍ଷରୁ ଯାହା ସନେ୍ଦହ କରାଯାଉଥିଲା ତାହା ସତ୍ୟ ହୋଇଛି । ଛାତ୍ର ସଂସଦ ନିର୍ବାଚନକୁ ବିଜେପି ସପକ୍ଷରେ କରିବା ପାଇଁ ନିର୍ବାଚନ ନୀତି ନିୟମର ଧଜିଆ ଉଡ଼ାଇ ଦେଇଛନ୍ତି ରାଜ୍ୟ ସରକାର । କିପରି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହେବ, ସେନେଇ କାର୍ଯ୍ୟ କରୁଛି ବିଜେପି । ଲିଙ୍ଗଡୋ କମିଶନ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ବିଜେପି ସରକାର । ରାଜ୍ୟର ୫୦ରୁ ଊଦ୍ଧ୍ୱର୍ କଲେଜରେ ବିଜେଡି ପ୍ରାର୍ଥୀଙ୍କ ବିଜୟର ସମ୍ଭାବନା ଥିବାବେଳେ ସେଠାରେ ରାଜ୍ୟ ସରକାର ନିର୍ବାଚନ ବାତିଲ କରିବା ସହ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିଦେଇଛନ୍ତି । ନୟାଗଡ଼ କଲେଜ ମଧ୍ୟକୁ ବାହାର ପିଲା ଅନଧିକୃତ ଭାବେ ପ୍ରବେଶ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାତି ଅଧିଆ ଅନଧିକୃତ ଭାବେ ପ୍ରବେଶ କରି ଦାଣ୍ଡିଆ ନାଇଟ ପାଳନ୍ କରିଥିଲେ । ବିଜେଡି ପ୍ରାର୍ଥୀ ମାନଙ୍କୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପାଇଁ ଚାପ ପକାଉଛନ୍ତି ବିଜେପିର ମନ୍ତ୍ରୀ ଓ ବିଧାୟକ । ବିଜେଡି ଶାସନ କାଳରେ ଏମିତି କେବେ ହୋଇନଥିଲା । ସରକାରୀ କଳର ଅପବ୍ୟବହାର କରି ନିର୍ବାଚନ ଜିତିବାକୁ ପ୍ରୟାସ କରୁଛି ବିଜେପି । ରାଜନୀତିର ପଶା ପାଲିରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରୁଛି ବିଜେପି । ବିଜେପି ସରକାରକୁ ଜେନ ଜି ଭୟ ଘାରିଛି । ବିଜେପିର ଏହି ଅରାଜକତାକୁ ରୋକିବା ପାଇଁ ବିଜେଡି ଲଢ଼େଇ ଜୋରଦାର କରିବ ।
ଶ୍ରୀ ସାରଦା ପ୍ରସନ୍ନ ଜେନା କହଥିଲେ ଯେ, ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ପକ୍ଷପାତିତା କରୁଛନ୍ତି । ଯେଣତେଣ ପ୍ରକାରେ ନିଜ ସପକ୍ଷରେ ନିର୍ବାଚନ ଫଳାଫଳ କରିବା ପାଇଁ ଉଦ୍ୟମ କରୁଛି ବିଜେପି । ଯେଉଁଠି ଏବିଭିପି ପ୍ରାର୍ଥୀଙ୍କ ବିଜୟର ସମ୍ଭାବନା ନାହିଁ, ସେଠାରେ ଉଦେ୍ଦଶ୍ୟ ମୂଳକ ଭାବେ ନିର୍ବାଚନ ବାତିଲ କରାଯାଉଛି । ରାଜ୍ୟର ୨୦୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ବିଜେପିର ମନ୍ତ୍ରୀ ଓ ବିଧାୟକ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହେଉଥିବା ବେଳେ ନିର୍ବାଚନ ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ବାଚନ ଫଳାଫଳ ନିଜ ସପକ୍ଷରେ କରିବା ପାଇଁ ରାଜ୍ୟ ସରକାର ଚଞ୍ଚକତା କରି ତରବରିଆ ଭାବେ ନିର୍ବାଚନ ଘୋଷଣା କରିଛନ୍ତି । ସରକାରୀ କଳ ବଳ ଲଗାଇ ନିର୍ବାଚନ ଜିତିବାକୁ ଲାଗି ପଡିଛନ୍ତି । ଜେନ ଜି ମାନଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି । ଯାହାକି ଅତ୍ୟନ୍ତ ବିପଦ ଜନକ ।
ଇପ୍ସିତା ସାହୁ କହିଥିଲେ ଯେ, ବିସିଜେଡି ପିଲା ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ କରିବାରେ ଲାଗିଛନ୍ତି । ରାଜ୍ୟର ୧୦୦ରୁ ଊଦ୍ଧ୍ୱର୍ କ୍ୟାମ୍ପସରେ ବିସିଜେଡି ପ୍ରାର୍ଥୀ ମାନେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀଙ୍କ ଚାପ ସତ୍ତ୍ୱେ ଅନେକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ପ୍ୟାନେଲ ସହ ବିଜୟ ହୋଇଛନ୍ତି । ଏମିତି କି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟରେ ବିସିଜେଡିର ୪ ଜଣ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ଯେଉଁଠି ଏବିଭିପି ହାରିବା ଭୟ ରହିଛି ସେଠାରେ ବିଜେପି ସରକାର ନିର୍ବାଚନକୁ ବାତିଲ କରାଉଛନ୍ତି । ନୟାଗଡ଼ କଲେଜରେ ବିସିଜେଡି ପ୍ୟାନେଲ ସହ ବିଜୟ ହେବାର ସମ୍ଭାବନା ଥିବାରୁ ସେଠାରେ ସରକାର ନିର୍ବାଚନ ବାତିଲ କରିଦେଲେ । ବିଜେପି ସରକାରକୁ ଛାତ୍ର ସଂସଦ ନିର୍ବାଚନ ହାରିବାର ଭୟ ଘାରିଛି । ନାମାଙ୍କନ ପତ୍ର ଯାଞ୍ଚ ପରେ ସନ୍ଧ୍ୟା ୫ଟା ପରେ ତାଲିକ ପ୍ରକାଶ ପାଇବାର ଥିଲା, କିନ୍ତୁ ଉକ୍ରଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାଣି ଶୁଣି ରାତି ୯ଟା ପରେ ତାଲିକା ପ୍ରକାଶ ପାଇଥିଲା । ଏବିଭିପି ପ୍ରାର୍ଥୀ ମାନଙ୍କ ଉପସ୍ଥାନ କମ୍ ଥିବାରୁ ସେମାନେ ପ୍ରାର୍ଥୀପତ୍ର ନାକଚ ହୋଇଥାନ୍ତା, କିନ୍ତୁ ତାହାକୁ ସଠିକ୍ କରିବା ପାଇଁ ମନ୍ତ୍ରୀ ଫୋନ କରିଥିଲେ । ଯାହାକୁ ନେଇ ତାଲିକା ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା । ବିଜେପିର ହୀନ ପ୍ରୟାସ କେବେ ସଫଳ ହେବ ନାହିଁ । ସାରା ରାଜ୍ୟରେ ବିସିଜେଡି ପ୍ରାର୍ଥୀ ବିଜୟ ଲାଭ କରିବେ ।










