28.1 C
Bhubaneswar
Friday, June 6, 2025
Homeଖେଳତୃତୀୟ ଟେଷ୍ଟ : ପନ୍ତ୍‌ଙ୍କ ଶତକ, ଭାରତର ଦ୍ୱିତୀୟ ଇନିଂସ୍ ୧୯୮ ରନ୍‌ରେ  ଶେଷ

ତୃତୀୟ ଟେଷ୍ଟ : ପନ୍ତ୍‌ଙ୍କ ଶତକ, ଭାରତର ଦ୍ୱିତୀୟ ଇନିଂସ୍ ୧୯୮ ରନ୍‌ରେ  ଶେଷ

ବିଜୟଠାରୁ ୧୧୧ ରନ୍ ଦୂରରେ ସାଉଥ୍ ଆଫ୍ରିକା
କେପ୍‌ଟାଉନ୍ : ସ୍ଥାନୀୟ ନ୍ୟୁଲାଣ୍ଡ୍‌ସରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତ ବିପକ୍ଷରେ ସାଉଥ୍ ଆଫ୍ରିକା ନିଜ ସ୍ଥିତି ମଜଭୁତ କରିଛି । ୨୧୨ ରନ୍‌ର ଟାର୍ଗେଟ୍‌କୁ ପିଛା କରୁଥିବା ଘରୋଇ ଟିମ୍ ତୃତୀୟ ଦିନର ଖେଳ ଶେଷ ବେଳକୁ ୨ ୱିକେଟ୍ ବିନିମୟରେ ୧୦୧ ରନ୍ ସଂଗ୍ରହ କରି ନେଇଛି । ଫଳରେ ଟିମ୍ ମ୍ୟାଚ୍ ଆଉ ଦୁଇଦିନ ବାକି ଥିବାବେଳେ ବିଜୟଠାରୁ ମାତ୍ର ୧୧୧ ରନ୍ ଦୂରରେ ରହିଛି । ଷ୍ଟମ୍ପ୍ସ ବେଳକୁ କିଗାନ୍ ପିଟର୍‌ସନ୍ ୪୮ ରନ୍ କରି ବ୍ୟାଟିଂ କରୁଥିଲେ । ଆଇଦେନ୍ ମାର୍କରମ୍‌ଙ୍କୁ ଆଉଟ୍ କରି ମହମ୍ମଦ ଶମୀ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ୧୬ ରନ୍‌ରେ ଶମୀ ତାଙ୍କୁ ରାହୁଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ । କ୍ୟାପ୍‌ଟେନ୍ ଡିନ୍ ଏଲ୍‌ଗାରଙ୍କ ସହ ଯୋଗ ଦେଇଥିବା ପିଟରସନ୍ ଇନିଂସ୍ ସମ୍ଭାଳିଥିଲେ ଏବଂ ଉଭୟ ଦ୍ୱିତୀୟ ଇନିଂସ୍ ପାଇଁ ୭୮ ରନ୍‌ର ପାର୍ଟନରଶିପ୍ ଛିଡ଼ା କରିଥିଲେ । ତେବେ ଏଲ୍‌ଗାର (୩୦)ଙ୍କୁ ବୁମ୍‌ରା ୱିକେଟ୍ ପଛରେ ପନ୍ତ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇ ଏହି ପାର୍ଟନର୍‌ଶିପ୍‌ରେ ବ୍ରେକ୍ ଲଗାଇଥିଲେ ।
ଏହା ପୂର୍ବରୁ ଭାରତର ଦ୍ୱିତୀୟ ଇନିଂସ୍ ୧୯୮ ରନ୍‌ରେ ସୀମିତ ହୋଇଯାଇଥିଲା ।

ବିଷମ ପରିସ୍ଥିତି ସତ୍ତ୍ୱେ ଋଷଭ ପନ୍ତ୍ ଶତକ ହାସଲ କରିବା ସହ ୧୦୦ ରନ୍‌ରେ ଅପରାଜିତ ରହିଥିଲେ । ଏହା ଟେଷ୍ଟ କ୍ୟାରିୟର୍‌ରେ ପନ୍ତ୍‌ଙ୍କର ଚତୁର୍ଥ ଶତକ ଥିଲା । ସେହିପରି ଏହା ସାଉଥ୍ ଆଫ୍ରିକା ବିପକ୍ଷରେ ପ୍ରଥମ ଏବଂ ସେନା ଦେଶରେ ତୃତୀୟ ଶତକ । ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକାରେ ଶତକ ହାସଲ କରିବାରେ ସେ ଏସିଆର ପ୍ରଥମ ୱିକେଟ୍‌କିପର୍ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ପ୍ରଥମ ଇନିଂସ୍ ଆଧାରରେ ଭାରତ ୧୩ ରନ୍‌ରେ ଆଗୁଆ ଥିଲା । ଫଳରେ ସାଉଥ୍ ଆଫ୍ରିକାକୁ ୨୧୨ ରନ୍‌ର ଲକ୍ଷ୍ୟ ମିଳିଥିଲା । ପ୍ରଥମ ଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ରେ ଭାରତ ସମସ୍ତ ୨୦ ୱିକେଟ୍ କ୍ୟାଚ୍ ଆଉଟ୍ ଭାବେ ହରାଇଥିଲା ।

ତୃତୀୟ ଦିନର ଆରମ୍ଭରୁ ଭାରତର ପ୍ରଦର୍ଶନ ନିରାଶାଜନକ ଥିଲା । ଚେତେଶ୍ୱର ପୂଜାରା (୯) ଓ ଆଜିଙ୍କ୍ୟ ରାହାଣେ (୧)ଙ୍କ ୱିକେଟ୍ ଶୀଘ୍ର ହରାଇବା ପରେ କ୍ୟାପ୍‌ଟେନ୍ କୋହଲି ଓ ପନ୍ତ୍ ଇନିଂସ୍ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୯୪ ରନ୍‌ର ପାର୍ଟନର୍‌ଶିପ୍ ହୋଇଥିଲା । ତେବେ ଲଞ୍ଚ୍ ପରେ କୋହଲି ନିଜ ଇନିଂସ୍ ଆଗକୁ ବଢ଼ାଇ ନପାରି ୨୯ ରନ୍‌ରେ ଲୁଙ୍ଗି ଏନ୍‌ଗିଡିଙ୍କ ବଲ୍‌ରେ ମାର୍କରମ୍‌ଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ ।

ଏହାପରେ ଏନ୍‌ଗିଡି ଶାର୍ଦ୍ଦୁଲ ଠାକୁର (୫) ଓ ଆର୍ ଅଶ୍ୱିନ (୭)ଙ୍କୁ ମଧ୍ୟ ଆଉଟ୍ କରିଥିଲେ । ଖାତା ଖୋଲିବାକୁ ପୂର୍ବରୁ ଉମେଶ ଯାଦବଙ୍କୁ ରବାଡା ଆଉଟ୍ କରିଥିବା ବେଳେ ଶମୀ(୦) ଓ ବୁମ୍‌ରା (୨)ଙ୍କ ୱିକେଟ୍ ମାର୍କୋ ଜାନ୍‌ସନ୍‌ଙ୍କୁ ମିଳିଥିଲା । ତୃତୀୟ ଦିନର ଦ୍ୱିତୀୟ ବଲ୍‌ରେ ପୂଜାରା ୯ ରନ୍ କରି ଜାନ୍‌ସନ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ଓଭର୍‌ରେ ରାହାଣେ ଆଉଟ୍ ହୋଇଥିଲେ। ଜାନ୍‌ସନ୍ ୪ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ରବାଡା ଓ ଏନ୍‌ଗିଡିଙ୍କୁ ୩ଟି ଲେଖାଏଁ ସଫଳତା ମିଳିଥିଲା । ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌କୁ ଜିତି ସାଉଥ୍ ଆଫ୍ରିକା  ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୧-୧ରେ ବରାବର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking