ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଞ୍ଚଳରେ ଦିନକୁ ଦିନ ବଢୁଛି ମନ୍ଦିର ଚୋରି । ଲୋକଙ୍କ ଭକ୍ତି ଓ ବିଶ୍ୱାସକୁ ଟାର୍ଗେଟ୍ କରି ଦୁର୍ବୃତ୍ତମାନେ ମନ୍ଦିରରୁ ଲୁଟି ନେଉଛନ୍ତି ଠାକୁରଙ୍କ ସୁନା ଅଳଙ୍କାର, ଦାନ ଟଙ୍କା ଏପରିକି ପିତଳ ମୂର୍ତ୍ତି ମଧ୍ୟ । ଲଗାତାର ଚୋରି ଘଟଣାକୁ ନେଇ ଏବେ ଚିନ୍ତାରେ ଅଞ୍ଚଳବାସୀ ।କିଛି ଦିନ ତଳେ ଛତ୍ରପୁର କୁମାର ବେଗପଲ୍ଲୀରେ ଥିବା ହନୁମାନ ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଥିଲା । ମନ୍ଦିରରୁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ଚର୍ଚ୍ଚା ଥମିନଥିବା ବେଳେ ଷ୍ଟେସନ୍ ରୋଡ୍ସ୍ଥିତ ରାମ ମନ୍ଦିରରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି ।
ଏକାଧିକ ମନ୍ଦିରରେ ଚୋରି ହେଉଥିବା ବେଳେ ଏଯାଏଁ ଦୁର୍ବୃତ୍ତଙ୍କ ଟେର୍ ପାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଚୋରି ଘଟଣାର ତଦନ୍ତ ଚାଲିଥିବା ପୋଲିସ କହୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରାଯାଇନଥିବାରୁ ଅସନ୍ତୋଷ ବଢୁଛି । ଅଞ୍ଚଳବାସୀଙ୍କ ଅଭିଯୋଗ, ମନ୍ଦିର ଭଳି ଧାର୍ମିକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ଥିବାରୁ ଚୋରମାନେ ସହଜରେ ଟାର୍ଗେଟ୍ କରୁଛନ୍ତି। ତଦନ୍ତ ନାଁରେ କେବଳ ସମୟ ଗଡ଼ାଯାଉଛି ବୋଲି ମଧ୍ୟ କିଛି ଲୋକ ଅଭିଯୋଗ କରିଛନ୍ତି ।ଏବେ ଦାବି ହେଉଛି, ମନ୍ଦିର ଚୋରିରେ ରୋକ୍ ଲଗାଇବା ସହ ତୁରନ୍ତ ଦୁର୍ବୃତ୍ତଙ୍କୁ ଧରୁ ପୋଲିସ । ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ ଏହି ଘଟଣାରେ କେବେ ମିଳୁଛି ସଫଳତା, ତାହାକୁ ଅପେକ୍ଷା କରିଛନ୍ତି ଛତ୍ରପୁରବାସୀ ।










