ତ୍ରିପୁରା ଓ କେରଳ ପଛକୁ ଓଡିଶା ତୃତୀୟ ସ୍ଥାନରେ ରହିଛି
ବର୍ତ୍ତମାନର ବିଜେପି ସରକାରଙ୍କ ସମୟରେ ବିକାଶ ଠପ୍ ହୋଇଛି
ନବୀନ ପଟ୍ଟନାୟକଙ୍କ ସମୟରେ ପ୍ରଦାନ କରାଯାଇଥିବା ଅର୍ଥ ଅନେକ ପଞ୍ଚାୟତରେ ଏବେବି ଖର୍ଚ୍ଚ ନ ହୋଇ ପଡ଼ିରହିଛି
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି କରାଯାଇଥିବା ପଞ୍ଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ ଅଧୀନସ୍ଥ ପୋଚିଲିମା ରାଜ୍ୟର ଶ୍ରେଷ୍ଠ ଗ୍ରାମପଞ୍ଚାୟତ ମାନ୍ୟତା ପାଇଥିବା ବେଳେ ଏହା ଦେଶର ତୃତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ମାନ୍ୟତା ପାଇଛି । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ କିପରି ଭାବେ ସୁଚାରୁ ରୂପେ କାର୍ଯ୍ୟ ଚାଲିଥିଲା, ତାହାର ଚିତ୍ର କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଦେଖିବାକୁ ମିଳିଛି ବୋଲି ବିଜେଡି କହିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଓ ଶ୍ରୀ ପ୍ରଦୀପ ଅମାତ କହିଥିଲେ, ନବୀନ ସରକାରଙ୍କ ସମୟରେ ରାଜ୍ୟରେ କୌଣସି ବିକାଶ ହୋଇନାହିଁ ବୋଲି ଅଭିଯୋଗ କରି ଆସୁଥିବା ବିଜେପିର ଦାବିକୁ ଏହି ରିପୋର୍ଟ ଭୁଲ୍ ପ୍ରମାଣିତ କରୁଛି । ଅପରପକ୍ଷରେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ୨ ବର୍ଷରେ ପଞ୍ଚାୟତ ସ୍ତରରେ ବିକାଶ ମୂଳକ କାର୍ଯ୍ୟ ଠପ୍ ହୋଇଛି । ଏପରିକି, ନବୀନ ସରକାରଙ୍କ ସମୟରେ ପ୍ରଦାନ କରାଯାଇଥିବା ଅର୍ଥ ଖର୍ଚ୍ଚ ହୋଇ ନପାରି ପଡ଼ିରହିଛି ବୋଲି ଅଭିଯୋଗ କରିଥିଲେ ।
ଶ୍ରୀ ଜେନା କହିଥିଲେ, ସର୍ବଭାରତୀୟ ସ୍ତରରେ ହିଞ୍ଜିଳିରେ ପୋଚିଲିମା ପଞ୍ଚାୟତ ରାଜ୍ୟର ପଞ୍ଚାୟତ ତାଲିକାରେ ପ୍ରଥମ ଓ ଦେଶର ପଞ୍ଚାୟତ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଜଳ ଉପଲବ୍ଧତା, ସ୍ୱଚ୍ଛତା, ମହିଳା ଓ ଶିଶୁ ଅନୁକୂଳ ଇତ୍ୟାଦି ୯ ବିଭାଗର ମାନଦଣ୍ଡ ଆଧାରରେ ଅନୁଶୀଳନ କରି ଏହି ରିପୋର୍ଟ ପ୍ରକାଶ ପାଇଛି । ପୋଚିଲିମା ୮୩.୨୭ ସ୍କୋର କରି ଏହି ସ୍ଥାନ ହାସଲ କରିଛି । ରାଜ୍ୟ ଗୁଡିକ ମଧ୍ୟରେ ତ୍ରିପୁରା ଓ କେରଳ ପଛକୁ ଓଡିଶା ରହିଛି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଚିଲିମା ଏହି ସଫଳତା ହାସଲ କରିଥିବାରୁ, ହିଞ୍ଜିଳି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ସେହି ପଞ୍ଚାୟତରେ କାର୍ଯ୍ୟରତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।
ଶ୍ରୀ ଜେନା ଆହୁରି କହିଥିଲେ, ଏହି ରିପୋର୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଗ୍ରାମପଞ୍ଚାୟତ ଗୁଡିକ ବିଭିନ୍ନ ମାନଦଣ୍ଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟରେ କିପରି ଭାବେ ଗ୍ରାମାଞ୍ଚଳର ବିକାଶ ହେଉଥିଲା, ତାହା ଏହି ରିପୋର୍ଟରୁ ପ୍ରମାଣିତ ହେଉଛି । ଅପରପକ୍ଷରେ ବର୍ତ୍ତମାନର ସରକାରରେ ଟଙ୍କା ପଡ଼ି ରହୁଛି, ଖର୍ଚ୍ଚ ହୋଇ ନପାରି ଫେରିଯାଉଛି । ପଞ୍ଚାୟତ ସ୍ତରରେ ବିକାଶ ଏକ ପ୍ରକାରର ଠପ୍ ହୋଇଯାଇଛି । ଏପରିକି ନବୀନ ସରକାରଙ୍କ ସମୟରେ ପ୍ରଦାନ ହୋଇଥିବା ଅର୍ଥ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରି ନାହିଁ । ତେଣୁ ବର୍ତ୍ତମାନର ସରକାରଙ୍କ ଚେତନା ଉଦୟ ହେଉ ଏବଂ କିଭଳି ଭାବେ ବିକାଶ ମୂଳକ କାର୍ଯ୍ୟ ଆଗକୁ ଯିବ, ସେଥିପ୍ରତି ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ ।










