ଖଜୁରିପଡା,ଗୁମାଗଡ: ଗାଁକୁ ରାସ୍ତାନାହିଁ । ଫଳରେ ପରିସ୍ଥିତିରେ ପଡ଼ି ଗ୍ରାମବାସୀ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ନଦୀ ଓ ନାଳ ପାର ହୋଇ ଶବ ବୋହିକି ନେଇଛନ୍ତି ତାଙ୍କ ଗ୍ରାମକୁ । ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ଫୁଲବାଣୀ ସଦରମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ତୁଡ଼ିପାଜୁ ପଞ୍ଚାୟତରେ । ସୂଚନା ଅନୁସାରେ ତୁଡ଼ିପାଜୁ ପଞ୍ଚାୟତ ଅନ୍ତର୍ଗତ ତାଡ଼ପଙ୍ଗା ଗ୍ରାମର ୭୦ ବର୍ଷର ବୃଦ୍ଧ ଦେବେଶ୍ୱର କହଁରଙ୍କର ଅସୁସ୍ଥ ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ମହାପ୍ରୟାଣ ଗାଡ଼ି ଶବ ନେଇଥିଲା ସତ କିନ୍ତୁ ଗ୍ରାମକୁ ରାସ୍ତାନଥିବା ଯୋଗୁଁ ଡ଼କାଙ୍ଗି ଠାରେ ଛାଡ଼ି ଦେଇଥିଲା । ଫଳରେ ଗ୍ରାମବାସୀ ଡକାଙ୍ଗି ଠାରୁ ନିଜ ଗ୍ରାମ ତାଡ଼ପଙ୍ଗାକୁ ପ୍ରାୟ ୧୦ କିଲୋମିଟର ଦୂରକୁ କାନ୍ଧରେ ବୋହି ବୋହି ନେଇଥିଲେ । ନଦୀ ଓ ନାଳ ସହିତ ଜଙ୍ଗଲି ଏବଂ ପଥୁରିଆ ରାସ୍ତାରେ ଶବକୁ ଗ୍ରାମବାସୀ ବୋହି ବୋହି ନେଇଥିଲେ ନିଜ ଗ୍ରାମ ପର୍ଯ୍ୟନ୍ତ। ଫୁଲବାଣୀ ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଏହି ପଞ୍ଚାୟତ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ରାସ୍ତାଘାଟର ସୁବିଧା ହୋଇନଥିବା ବେଳେ ଜିଲାର ଦୁର୍ଗମ ଅଞ୍ଚଳରେ ଥିବା ପଞ୍ଚାୟତ ଗୁଡ଼ିକର ଗ୍ରାମ ଗୁଡ଼ିକର ରାସ୍ତା କିଭଳି ଥିବ ତାହା ସହଜେ ଅନୁମେୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।