29.1 C
Bhubaneswar
Saturday, July 27, 2024
Homeଓଡିଶାଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଉଦଯାପିତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ପ୍ରୋତ୍ସାହନ ଓ ଆର୍ଥିକ ଅନୁଦାନାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ୨୦୨୩-୨୪ ଉଦଯାପିତ ହୋଇଯାଇଛି। ଆଜି ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୁରୁଷ ବର୍ଗରେ ଦଳଗତ ଚାମ୍ପିୟନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ହୋଇଥିବାବେଳେ ମହିଳା ବର୍ଗରେ ଦଳଗତ ଚାମ୍ପିୟନ ହୋଇଥିଲା କିଟ ବିଶ୍ୱବିଦ୍ୟାଳୟ। ସେହିପରି ପୁରୁଷ ବର୍ଗରେ ଦଳଗତ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ରନର୍ସ ଅପ ହୋଇଥିବାବେଳେ ମହିଳା ବର୍ଗରେ ଦଳଗତ ରନର୍ସଅପ ହୋଇଥିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ। ଉଦଯାପନି ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ, ଅଲିମ୍ପିକ କ୍ରୀଡ଼ାବିତ ଦୂତି ଚାନ୍ଦ, କୁଳସଚିବ ଡ.କାହ୍ନୁଚରଣ ଧୀର, କ୍ରୀଡ଼ା ପରିଷଦ ନିର୍ଦେଶକ ଡ.ବିଜୟ କୁମାର ସୁନ୍ଦରାୟ ପ୍ରମୁଖ ଯୋଗଦେଇ ଓଡ଼ିଶା ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୩୦ ହଜାର, ଦ୍ୱିତୀୟଙ୍କୁ ୧୫ ହଜାର ଓ ତୃତୀୟଙ୍କୁ ୧୦ହଜାର ଟଙ୍କା ସହିତ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଉଦଯାପନି ଉତ୍ସବରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିବା ଅଲିମ୍ପିକ କ୍ରୀଡ଼ାବିତ ଦୂତି ଚାନ୍ଦ କହିଛନ୍ତି ଯେ କେବଳ ପାଠ ପଢ଼ିଲେ ଭବିଷ୍ୟତ ଗଢ଼ିବେହ ତାହା ନୁହେଁ, ପାଠ ପଢ଼ିବା ସହ ଖେଳିବା ମଧ୍ୟ ନିହାତି ଦରକାର। ଖେଳ ହିଁ ଜୀବନରେ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ତେଣୁ ପାଠ ପଢ଼ିବା ସହ ଖେଳକୁ ମଧ୍ୟ ସମାନ ପରିମାଣରେ ଗୁରୁତ୍ୱ ଦେଇ ଏଥିପାଇଁ ଅଭ୍ୟାସ ଜାରି ରଖିବା ଉଚିତ। ଜଣେ କ୍ରୀଡ଼ାବିତ କେବଳ ଦୌଡ଼ିଲେ ସଫଳତା ପାଇବ ନାହିଁ, ନିଜର ପରିଶ୍ରମ ସହ ସହଯୋଗ ମଧ୍ୟ ଦରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାବିତମାନଙ୍କ ପାଇଁ ଅନେକ ସୁବିଧା ଓ ସହଯୋଗ ଯୋଗାଇଛନ୍ତି। ସେମାନଙ୍କର ଖେଳିବାଠାରୁ ଆରମ୍ଭ କରି ଆର୍ଥିକ ସହାୟତା, କ୍ରୀଡ଼ା ପ୍ରଶିକ୍ଷଣ ପାଇଁ ପ୍ରଶିକ୍ଷକ ନିଯୁକ୍ତି, ପୁଷ୍ଟିକର ଖାଦ୍ୟ ସହ କ୍ରୀଡ଼ା ପାଇଁ ଯାହା ବି ଦରକାର ସବୁ ବ୍ୟବସ୍ଥା କରିଛନ୍ତି। ସେହି ପରିପ୍ରେକ୍ଷୀରେ ଭାରତ ବର୍ଷର ‘ଓଡ଼ିଶା ସ୍ପୋର୍ଟ କ୍ୟାପିଟାଲ ଭୁବନେଶ୍ୱର’ ହୋଇପାରିଛି। ଅନେକ ଖେଳାଳି ମଧ୍ୟ ରାଜ୍ୟ ତରଫରୁ ପ୍ରତିନିଧ୍ୱତ୍ୱ କରିଛନ୍ତି। ହକି, ଆଥଲେଟିକ, ବ୍ୟାଟମିଣ୍ଟନ, ଅନ୍ୟାନ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ବହୁ ପ୍ରତିଯୋଗୀ ଦେଶ ପାଇଁ ପ୍ରତିନିଧିତ୍ୱ କରିଛନ୍ତି। କ୍ରୀଡ଼ାବିତ ହେବା ସହଜ ନୁହେଁ, ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆମେ ଯଦି ପରିଶ୍ରମ କରିବା ନିଶ୍ଚୟ ସଫଳତା ମିଳିବ। ସଫଳତା ପାଇବା ପରେ ସମସ୍ତେ ଅଭିନନ୍ଦନ ଜଣାଇବେ, କିନ୍ତୁ ଅସୁବିଧା ସମୟରେ ସହଯୋଗର ହାତ ବଢ଼ାଇବା ଦରକାର। କାରଣ କ୍ରୀଡ଼ାବିତମାନେ ଟ୍ରାକ ବାହାରେ ମଧ୍ୟ ବହୁତ ସଂଘର୍ଷ ଓ ପରିଶ୍ରମ କରନ୍ତି ବୋଲି ପ୍ରକାଶ କହିଛନ୍ତି।

ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ଦୂତି ଚାନ୍ଦ କହିଛନ୍ତି ଯେ କ୍ରୀଡ଼ାବିତମାନେ ସାହସ ରଖିବା ଦରକାର। କୌଣସି କ୍ଷେତ୍ରରେ ଭାଙ୍ଗି ପଡ଼ିବେ ନାହିଁ। ଭାଙ୍ଗି ପଡ଼ିଲେ ସବୁବେଳେ ପଛକୁ ଫେରିବାକୁ ପଡ଼ିବ। ସାହାସର ସହ ଆଗକୁ ଗଲେ ନିଶ୍ଚୟ ସଫଳ ହେବା। ହାରିଲା ପରେ ଅନେକ ଲୋକ ବିଭନ୍ନ ମନ୍ତବ୍ୟ ଦେବେ, ଯାହା ସଜ୍ୟ କରି ହେବ ନାହିଁ କିନ୍ତୁ ତାହାକୁ ସାମ୍ନା କରି ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ବୋଲି ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ୫ ଦିନ ଧରି ଚାଲିଥିବା ଓଡ଼ିଶାର ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ୨୦ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ୧୦୦, ୨୦୦, ୪୦୦, ୮୦୦ ଓ ୧୫୦୦ ମିଟର ଦୌଡ଼, ଲମ୍ବ ଡିଆଁ ଓ ଉଚ୍ଚ ଡିଆଁ, ଜାଭଲିନ ଥ୍ରୋ, ଡିସକସ ଥ୍ରୋ, ସଟଫୁଟ ଥ୍ରୋ, ହର୍ଡଲ୍ସ ଓ ରିଲେ ରେସ ଆଦି ୧୩ ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନ ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡ.କୀର୍ତ୍ତିରଞ୍ଜନ ମଲ୍ଲିକ କାର୍ୟ୍ୟକ୍ରମ ସଞ୍ଚାଳନ କରିବା ସହ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking