ୱାସିଂଟନ୍ : ଆମେରିକାରେ ବିପକ୍ଷୀ ରିପବ୍ଲିକାନ ଦଳର କିଛି ଶୀର୍ଷ ସାଂସଦ ତାଲିବାନକୁ ଆତଙ୍କୀ ସଂଗଠନ ଘୋଶଣା କରିବାକୁ ଦାବି କରିଛନ୍ତି । ଆଫଗାନିସ୍ତାନ କ୍ୟାବିନେଟ୍ରେ ଏପରି ବ୍ୟକ୍ତିଙ୍କୁ ସାମିଲ କରାଯାଇଛି ଯେଉଁମାନେ ସଂଯୁକ୍ତରାଷ୍ଟ୍ର ତରଫରୁ ଆତଙ୍କୀ ଭାବେ ଘୋଷିତ ହୋଇଛନ୍ତି । ବିପକ୍ଷୀ ସାଂସଦମାନେ ଆମେରିକା ସଂସଦରେ ଏ ନେଇ ଏକ ବିଲ୍ ଆଗତ କରିଛନ୍ତି । ଅପରପକ୍ଷରେ ତାଲିବାନ ସରକାରକୁ ସ୍ୱୀକୃତି ଦେଉଥିବା ରାଷ୍ଟ୍ର ଉପରେ ପ୍ରତିବନ୍ଧ ଲାଗୁ କରିବାକୁ ଦାବି କରିଛନ୍ତି ।
ଆମେରିକା ସଂସଦର ଉଚ୍ଚ ସଦନ ସିନେଟ୍ରେ ଏହି ବିଲ୍ ଆଗତ କରାଯାଇଛି । ଯଦି ଏହି ବିଲ୍ ସଂସଦରେ ଗୃହିତ ହୋଇଯାଏ, ତେବେ ଆମେରିକା ବିଦେଶ ମନ୍ତ୍ରୀଙ୍କୁ ତାଲିବାନ ସରକାରକୁ ଅବୈଧ ଘୋଷଣା କରିବାକୁ ପଡ଼ିବ । କେବଳ ସେତିକି ନୁହେଁ ତାଲିବାନ ସରକାରକୁ ସହାୟତା ଦେଉଥିବା ସମସ୍ତ ରାଷ୍ଟ୍ର, ବ୍ୟକ୍ତିବିଶେଷ ତଥା ବିଭିନ୍ନ ସଂଗଠନ ଉପରେ ମଧ୍ୟ ଆମେରିକା ସରକାର ପ୍ରତିବନ୍ଧ ଲାଗୁ କରିବେ ।
ଆମେରିକା ସରକାରଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ କି କରଦାତାଙ୍କ ଅର୍ଥ ଆତଙ୍କୀ ସଂଗଠନକୁ ସହାୟତା ହିସାବରେ ନମିଳୁ । ସିନେଟ୍ର ସଦସ୍ୟ ମାର୍କୋ ରୁବିୟା କହିଛନ୍ତି ଯେ ତାଲିବାନ ନିୟନ୍ତ୍ରିତ ଆଫଗାନ୍ ଆମର ରାଷ୍ଟ୍ରୀୟ ସୁରକ୍ଷାର ହିତ ସହିତ ଆମ ସହଯୋଗୀ ରାଷ୍ଟ୍ରମାନଙ୍କର ସୁରକ୍ଷାର ହିତ ଉପରେ ବିପଦ ସୃଷ୍ଟି କରିଛି । ବାଇଡେନ୍ ପ୍ରଶାସନର ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏହି ନିଷ୍ପତ୍ତି ଯୋଗୁଁ ହିଁ ଆଫଗାନିସ୍ତାନ ଆତଙ୍କୀମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି । ଏହାବ୍ୟତୀତ ୪ ଜଣ ସିନେଟର୍ ଆମେରିକାର ବିଦେଶ ମନ୍ତ୍ରୀଙ୍କ ପତ୍ର ଲେଖି ତାଲିବାନକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ।