25.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶସିବିଆଇ, ଇଡିଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ସିବିଆଇ, ଇଡିଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ସାଂସଦ ଓ ବିଧାୟକଙ୍କ ବିରୋଧରେ ଆଗତ ମାମଲାର ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାରୁ ସିବିଆଇ ଓ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଙ୍କ ଭଳି ତଦନ୍ତକାରୀ ସଂସ୍ଥା ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ସୁପ୍ରିମକୋର୍ଟ ପୀଠ ଏଭଳି ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅପରାଧୀ ସାଂସଦ ଓ ବିଧାୟକଙ୍କ ମାମଲାର ତଦନ୍ତ ପ୍ରକ୍ରିୟା ୧୦/୧୫ ବର୍ଷ ଧରି ଗଡୁଥିବାବେଳେ ତଦନ୍ତକାରୀ ସଂସ୍ଥା ପକ୍ଷରୁ କାହିଁକି ଚାର୍ଜସିଟ୍ ଦାଖଲ କରାଯାଉନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେବଳ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି ନିଜର ଦାୟିତ୍ୱ ଖସାଇ ଦେଉଥିବା ସୁପ୍ରିମକୋର୍ଟ କହିଛନ୍ତି । ଲୋକଙ୍କୁ ନ୍ୟାୟ ଦେବାକୁ ହେଲେ ଏଭଳି ମାମଲାର ଶୀଘ୍ର ତଦନ୍ତ ହେବା ଜରୁରୀ ବୋଲି ଜଷ୍ଟିସ ରମନା କହିଛନ୍ତି । ଆମେ ଏଭଳି ମନ୍ତବ୍ୟ ଦେଇ ତଦନ୍ତକାରୀ ସଂସ୍ଥାର ମନୋବଳ ଦୁର୍ବଳ କରିବାକୁ ଚାହୁଁନାହୁଁ, ତଥାପି ବିଚାରାଧୀନ ରହିଥିବା ମାମଲା ସଂଖ୍ୟାକୁ ଦେଖିଲେ ଏଭଳି ମନ୍ତବ୍ୟ ଦେବାକୁ ବାଧ୍ୟ ହେଉଛୁ ବୋଲି ଜଷ୍ଟିସ ରମନା କହିଛନ୍ତି ।

ଏହି ମାମଲାରେ ସୁପ୍ରିମକୋର୍ଟଙ୍କୁ ସହାୟତା କରୁଥିବା କୋର୍ଟମିତ୍ର ବିଜୟ ହଂସାରିଆ ଖଣ୍ଡପୀଠକୁ ଜଣାଇଥିଲେ ଯେ ଏଭଳି ଏକ ମାମଲାରେ ତଦନ୍ତକାରୀ ସଂସ୍ଥା କହିଛି ଯେ ତଦନ୍ତ ଶେଷ ହେବାକୁ ୨୦୩୦ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଏହା ଶୁଣି ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ‘ହେ ଭଗବାନ’ କହି ମୁଣ୍ଡରେ ହାତ ଦେଇଥିବା ଲକ୍ଷ୍ୟ କରାଯାଇଛି । ଏଭଳି ସ୍ପର୍ଶକାତର ମାମଲାର ତଦନ୍ତ ପ୍ରକ୍ରିୟା କାହିଁକି ଶିଥିଳ ହେଉଛି, ସେ ସମ୍ପର୍କରେ ସିବିଆଇ କିମ୍ବା ଇଡି ପକ୍ଷରୁ କାରଣ ଦର୍ଶାଯାଉନଥିବାରୁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଅବଶ୍ୟ ତଦନ୍ତକାରୀ ସଂସ୍ଥାଗୁଡିକର ଅସୁବିଧାକୁ ହୃଦୟଙ୍ଗମ କରିଛନ୍ତି । ଆବଶ୍ୟକ ବିଚାରପତି ନଥିବାରୁ ସୁପ୍ରିମକୋର୍ଟରେ ଯେପରି ଲକ୍ଷାଧିକ ମାମଲା ପଡିରହିଛି, ସେଭଳି ସିବିଆଇ ଓ ଇଡିଙ୍କ ନିକଟରେ କର୍ମଚାରୀ ଅଭାବରୁ ଏଭଳି ସ୍ଥିତି ଉପୁଜିଥାଇପାରେ ବୋଲି ଖଣ୍ଡପୀଠ କହିଛନ୍ତି ।

ବର୍ତ୍ତମାନ ମାମଲା ସାମାନ୍ୟ ହେଉ କିମ୍ବା ଗୁରୁତର, ଲୋକେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ତେଣଉ ସିବିଆଇ ଉପରେ ଚାପ ରହିବା ସ୍ୱାଭାବିକ । ତେବେ ସାଂସଦ କିମ୍ବା ବିଧାୟକଙ୍କ ବିରୋଧରେ ଆଗତ ମାମଲାର ଆଶୁ ତଦନ୍ତ କରାଯିବା ଉଚିତ, ନହେଲେ ସଂପୃକ୍ତ ଲୋକପ୍ରତିନିଧିମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରିବାକୁ ସୁଯୋଗ ପାଇବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଶୁ ତଦନ୍ତ ପାଇଁ ତଦନ୍ତକାରୀ ସଂସ୍ଥା ସ୍ୱତନ୍ତ୍ର ବ୍ୟବସ୍ଥା ଆପଣେଇବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ କିଛିଦିନ ପୂର୍ବେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଥିଲେ ଯେ ସଂପୃକ୍ତ ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ସେମାନଙ୍କ ବିଧାୟକ କିମ୍ବା ସାଂସଦଙ୍କ ବିରୋଧରେ ଆଗତ ଫୌଜଦାରୀ ମାମଲା ପ୍ରତ୍ୟାହାର କରିପାରିବେ ନାହିଁ । ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସିବିଆଇ ତଦନ୍ତରେ ବିଳମ୍ବ ଘଟୁଥିବା ସ୍ୱୀକାର କରିଛନ୍ତି । ତେବେ ଏହାକୁ ତ୍ୱରାନ୍ୱିତ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଜବାବରେ ଜଷ୍ଟିସ ରମନା କହିଥିଲେ ଯେ କେବଳ ତ୍ୱରାନ୍ୱିତ ଶବ୍ଦ ଉଚ୍ଚାରଣ କଲେ ଚଳିବନି, ଏହାକୁ କାର୍ଯ୍ୟରେ ପ୍ରତିପାଦନ କରି ଦେଖାଇବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking