29.1 C
Bhubaneswar
Saturday, May 11, 2024
Homeଓଡିଶାଚାଷୀକୁଳଙ୍କୁ ହତାସ୍ କରିଛନ୍ତି ରାଜ୍ୟ ସରକାର: ମୋହନ ମାଝୀ

ଚାଷୀକୁଳଙ୍କୁ ହତାସ୍ କରିଛନ୍ତି ରାଜ୍ୟ ସରକାର: ମୋହନ ମାଝୀ

  ବିଧାନସଭା ସମ୍ମୁଖରୁ ସତ୍ୟାଗ୍ରହକୁ ସ୍ଥାନାନ୍ତରିତ କରି ରାଜ୍ୟର ସମସ୍ତ ଜଲ୍ଲା ଓ ବ୍ଲକ ସ୍ତରକୁ ଯିବ ବିଜେପି : ଭୃଗୁ ବକ୍ସିପାତ୍ର
  ଚାଷୀ ପ୍ରସଙ୍ଗରେ ଆଲୋଚନାକୁ ନଆସି ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ ସାଜିଲେ ରାଜ୍ୟ ସରକାର
  ବିଜେଡି ସରକାର ଚାଷୀ ବିରୋଧୀ ସରକାର

ଭୁବନେଶ୍ୱର : ବିଜେଡି ସରକାରରେ ଚାଷୀକୂଳ ହତାଶ ହୋଇଛି । ଏ ରାଜ୍ୟ ସରକାର ଚାଷୀ ବିରୋଧୀ ସରକାର । ବିଧାନସଭା ଭିତରେ ଓ ବାହାରେ ଚାଷୀ ପ୍ରସଙ୍ଗରେ ଆଲୋଚନାକୁ ନଆସି ରାଜ୍ୟ ସରକାର ନିଜକୁ ଚାଷୀ ବିରୋଧୀ ସରକାର ପ୍ରମାଣିତ କରିଛନ୍ତି ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି । ବିଧାନସଭାରେ ଶୀତ ଅଧିବେଶନ ୩୩ଧରି ଚାଲିବ ବୋଲି ନିୟମ ଧାର୍ଯ୍ୟ ହୋଇଥିଲା । ତା’ଭିତରେ ୨୯ଦିନର ସରକାରୀ କାର୍ଯ୍ୟ କରାଯିବା ସ୍ଥିରିକୃତ ହୋଇଥିଲା । କିନ୍ତୁ ଗତକାଲି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ରାଜ୍ୟ ସରକାର ପଳାୟନ ପନ୍ଥୀ ସାଜି ବାଚସ୍ପତିଙ୍କ ମାଧ୍ୟମରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । ଚଳିତବର୍ଷର ଶୀତ ଅଧିବେଶନ ଗୁରୁତ୍ୱ ବହନ କରୁଥିଲା । ସପ୍ଲିମେଂଟାରୀ ବଜେଟ୍ ଉପସ୍ଥାପନା ସମେତ ଓଡିଶାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭା ଗୃହରେ ଆଲୋଚନା କରାଯାଇଥାନ୍ତା ।

ମୁଖ୍ୟ ବିରୋଧୀ ଦଳ ବିଜେପି ରାଜ୍ୟ ବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଗୃହ ଭିତରେ ଆଲୋଚନା ପାଇଁ ପ୍ରସ୍ତୁତ ଥିଲା ଓ ବିଧାନସଭା ଆରମ୍ଭ ହେବାର ପ୍ରଥମ ଦିନରୁ ଚାଷୀ ସମସ୍ୟା ସହିତ ରାଜ୍ୟର ପ୍ରମୁଖ ସମସ୍ୟାକୁ ନେଇ ବିଧାନସଭା ଗୃହରେ ଆଲୋଚନାକୁ ଆଣିଥିଲା । ଦ୍ୱିତୀୟ ଦିନରେ ଓଡ଼ିଶାର ବଡ ସମସ୍ୟା ଚାଷୀଙ୍କ ପ୍ରସଙ୍ଗ ଉଠାଇଥିଲା । ଓଡ଼ିଶାରେ ମରୁଡି ସତ୍ୱେ ରାଜ୍ୟ ସରକାର ମରୁଡି ଅଂଚଳ ଘୋଷଣା ନକରିବା, ମଣ୍ଡି ନଖୋଲିବା, କଟନିଛଟନି ସମେତ ଚାଷୀଙ୍କ ତମାମ୍ ସମସ୍ୟାକୁ ସରକାରଙ୍କ ନଜରକୁ ଆଣିଥିଲା । ପ୍ରଥମତଃ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିଲେ ନାହିଁ । ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନଆସି ଚାଷୀଙ୍କ ସମସ୍ୟାର କୌଣସି ସମାଧାନର ରାସ୍ତା ବାହାର ନକରି ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନକୁ ପ୍ରଚାର ପାଇଁ ଚାଲିଗଲେ । ବିଧାୟକଙ୍କ ବିଧାନସଭାର ପ୍ରଶ୍ନର ଉତର ରଖିବାକୁ ଗୃହରେ ଅର୍ଥମନ୍ତ୍ରୀ, କୃଷିମନ୍ତ୍ରୀ, ସମୟବାୟ ମନ୍ତ୍ରୀ, ଜଳସେଚନ ମନ୍ତ୍ରୀ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କେହିିବି ଉପସ୍ଥିତ ରହିଲେ ନାହିଁ ।

ପରାଜୟର ଆତଙ୍କରେ ମୁଖ୍ୟମନ୍ତ୍ରୀ ସମେତ ବିଜେଡି ସରକାରର ୧୬ଜଣ ମନ୍ତ୍ରୀ ଓ ୬୦ରୁ ଉର୍ଦ୍ଧ୍ୱ ବିଧାୟକ ବିଧାନସଭା ଛାଡି ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମାତିଛନ୍ତି । ଦୁର୍ଭାଗ୍ୟର କଥା ଯେ, ପଦ୍ମପୁରରେ ମଧ୍ୟ ଚାଷୀକୂଳ ସମସ୍ୟାରେ ଜର୍ଜରିତ ହୋଇ ବହୁଦିନୁ ଧାରଣାରେ ବସିଛନ୍ତି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଚାଷୀଙ୍କ କ୍ଷୋଭ ଦେଖାଦେଇଛି । ଚାଷୀଙ୍କ ସମସ୍ୟା ଲାଗି ଭାରତୀୟ ଜନତା ପାର୍ଟି ଆଜିକୁ ୧୬ଦିନ ଧରି ଲୋଏର ପିଏମଜିରେ ଧାରଣାରେ ବସିଲା । ରାଜ୍ୟ ସରକାରଙ୍କର ମନ୍ତ୍ରୀ କିମ୍ବା କୌଣସି ପ୍ରତିନିଧି ଆଲୋଚନାକୁ ନଆସିବା ଦୁର୍ଭାଗ୍ୟଜନକ । ପ୍ରଶ୍ନର ଉତର ରଖିବାକୁ ବିଧାନସଭାରେ ମନ୍ତ୍ରୀମାନେ ଅନୁପସ୍ଥିତି ରହି ଓଡ଼ିଶାରେ ପ୍ରଥମ କୁପରମ୍ପରାର ଇତିହାସ ଲେଖିଲା ବିଜେଡି ସରକାର ବୋଲି ବିଧାୟକ ଶ୍ରୀ ମାଝୀ ଆରୋପ କରିଛନ୍ତି ।

ଚାଷୀ ପ୍ରସଙ୍ଗରେ ୧୫ଦିନ ଧରି ବିଜେପି ସତ୍ୟାଗ୍ରହରେ ବସିବା ପରେ ବି ରାଜ୍ୟ ସରକାର ଆଲୋଚନାକୁ ଆସିଲେ ନାହିଁ । ତେଣୁ ବିଜେପି ଗତକାଲି ବିଧାନସଭା ଘେରାଉ କରିବାକୁ ବାଧ୍ୟ ହୋଇଥିଲା । ଚାଷୀଙ୍କ ସମସ୍ୟାର ସମାଧାନ ନିମନ୍ତେ କୌଣସି ରାସ୍ତା ବାହାର ନକରି ରାଜ୍ୟ ସରକାର ଗତକାଲି ବିଧାନସଭାକୁ ବନ୍ଦ କରିଦେଲେ । ସଂପ୍ରତି ଧାନମଣ୍ଡିର ବ୍ୟବସ୍ଥା, ଇନ୍‌ପୁଟ ସବସିଡି, ଫସଲବୀମା, ଜଳସେଚନ, ସାର ଓ ବିହନ ଭଳି ଚାଷୀ ସମସ୍ୟା ସମାଧାନର ରାସ୍ତା ବାହାର ନକରି ରାଜ୍ୟ ସରକାର ବିଧାନସଭାକୁ ବନ୍ଦ କରିଦେଇ ଚାଷୀକୂଳ ପ୍ରତି ଘୋର ପ୍ରତାରଣା କରିଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ ଆଣିଛନ୍ତି । ଚାଷୀ ଆନ୍ଦୋଳନକୁ ବିଜେପି ଆସନ୍ତାକାଲିଠାରୁ ଆହୁରି ତୀବ୍ରତର କରିବ । ରାଜ୍ୟର ସମସ୍ତ ଜିଲ୍ଲା ବ୍ଲକ, ପଂଚାୟତ ଓ ତହସିଲ ସ୍ତରରେ ସତ୍ୟାଗ୍ରହ କରି ଚାଷୀଙ୍କ ପାଖକୁ ଯିବ ବିଜେପି ।

ଯେ ପର୍ଯ୍ୟନ୍ତ ସରକାର ଚାଷୀ ସମସ୍ୟାର କୌଣସି ସମାଧାନ କରିନାହାନ୍ତି ସେ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟ କ୍ରମେ ଆନ୍ଦୋଳନକୁ ଜାରି ରଖିବ ବିଜେପି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ବିଧାନସଭା ସମ୍ମୁଖରୁ ସତ୍ୟାଗ୍ରହ ସ୍ଥାନାନ୍ତରିତ ହୋଇ ରାଜ୍ୟର ସମସ୍ତ ଜଲ୍ଲା ଓ ବ୍ଲକ ସ୍ତରକୁ ଯିବ ବିଜେପି । ଯେଉଁ ଚାଷୀମାନଙ୍କର ସମସ୍ୟାକୁ ନେଇ ବିଧାନସଭା ସମ୍ମୁଖକୁ ଆସିଥିଲୁ ଭାବିଥିଲୁ ସରକାର ଚାଷୀଙ୍କ ସ୍ୱାର୍ଥରେ କୌଣସି ଏକ ରାସ୍ତା ବାହାର କରିବେ । ନାଁ ଗୃହରେ ନାଁ ବାହାରେ ରାଜ୍ୟ ସରକାର ଚାଷୀ ପ୍ରସଙ୍ଗକୁ ଶୁଣିଲେ ନାହିଁ କି ଆଲୋଚନା କରିଲେ ନାହିଁ ତେଣୁ ପୁଣି ଏପ୍ରସଙ୍ଗ ନେଇ ଚାଷୀଙ୍କ ପାଖକୁ ଫେରିବା ସହ ସ୍ଥାନୀୟ ସ୍ତରରେ ଆନ୍ଦୋଳନ ଜାରି ରଖିବାକୁ ଭାରତୀୟ ଜନତା ପାର୍ଟି ନିଷ୍ପତି ନେଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଭାସ୍କର ମଢ଼େଇ, ନବଚରଣ ମାଝୀ, ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖ୍ୟପାତ୍ର ଦିଲୀପ ମହାନ୍ତି, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲାସଭାପତି ଆଶ୍ରିତ ପଟ୍ଟନାୟକ, କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା, କଟକ ନଗର ସଭାପତି ଲଲାଟେନ୍ଦୁ ଗଡୁ, ଘୁମୁସୁର ସଭାପତି ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ପୂର୍ବତନ ବିଧାୟକ ଅଲ୍ଲେଖ ଜେନା, ଜଗନ୍ନାଥ ପ୍ରଧାନ, ବବିତା ମଲ୍ଲିକ, ସୁଶାନ୍ତ ମଲ୍ଲିକ, ସୁନାକର ବେହେରା, ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking