ୱାସିଂଟନ୍: ଥମିବାର ନାଁ ଧରୁନି ରୁଷ ୟୁକ୍ରେନ ଯୁଦ୍ଧ । ଦିନ କୁ ଦିନ ଉଗ୍ର ହେବାରେ ଲାଗିଛି । ରୁଷ ର ଆକ୍ରମଣରେ ୟୁକ୍ରେନ ଧ୍ୱଂସ ହେବାକୁ ବସିଲାଣି । ଅନେକ ସହର ଧ୍ୱଂସ ହେଲାଣି । କିବ୍ ସୈନିକ ଖାର୍କିଭ୍ ଅଞ୍ଚଳ ପୁନଃ ଦଖଲ କରିବା ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଯୋଗାଉଥିବା ଅସ୍ତ୍ରଶସ୍ତ୍ର ଉପଯୋଗ କରିବା ସତ୍ତ୍ବେ ୟୁକ୍ରେନ୍ ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିପାରେ ବୋଲି ଗୁରୁବାର ଦିନ ପେଣ୍ଟାଗନ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ରୁଷ୍ ସୈନିକମାନଙ୍କର ସାମର୍ଥ୍ୟ ଶେଷ ହୋଇ ଆସିଲାଣି ଏବଂ ସେମାନେ ଆଉ ଅଗ୍ରସର ହୋଇ ପାରିବେ ନାହିଁ ବୋଲି ସମୀକ୍ଷକମାନେ ଯାହା କହୁଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ ବୋଲି ପେଣ୍ଟାଗନ୍ ଅଧିକାରୀଜଣକ କହିଛନ୍ତି। ୟୁକ୍ରେନୀୟ ସୈନିକମାନଙ୍କ ନିର୍ଦେଶ ଓ ନିୟନ୍ତ୍ରଣ, ଐକ୍ୟ ଓ କୁ ପ୍ରଶଂସା କରି ସେ କହିଛନ୍ତି ଯେ, ରୁଷୀୟ ସୈନିକମାନେ ଏମାନଙ୍କ ସମକକ୍ଷ ହେବେ ନାହିଁ। କିନ୍ତୁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁଦ୍ଧ ନିମନ୍ତେ ରୁଷୀୟମାନଙ୍କର ଆହୁରି ଅନେକ ସୁବିଧା ଏବଂ ବିପୁଳ ସାମର୍ଥ୍ୟ ଗଚ୍ଛିତ ଅଛି। ଏବଂ ସେମାନେ ଦକ୍ଷିଣରେ ଡୋନ୍ବାସ୍ ଏବଂ ପଶ୍ଚିମରେ ମିକୋଲେଭ୍ ଅଞ୍ଚଳରେ ସେମାନଙ୍କର ସ୍ଥିତି ସୁଦୃଢ଼ କରିଛନ୍ତି। ଉଭୟ ଅଞ୍ଚଳରେ ଉଭୟ ପକ୍ଷର ସୈନିକମାନେ ଅତି ନିକଟରେ ଥାଇ ପ୍ରତ୍ୟକ୍ଷ ଭାବେ ଯୁଦ୍ଧରତ ଥିବାରୁ ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିବ ବୋଲି ସେ ମତ ଦେଇଛନ୍ତି।