29.1 C
Bhubaneswar
Sunday, May 19, 2024
Homeଅପରାଧଏଟିଏମ୍ କ୍ୟାସଭ୍ୟାନ୍‌କୁ ଲୁଟି ନେଇଥିଲେ ଲୁଟେରା : ୪୫ ମିନିଟ୍‌ରେ ଧରିଲା ଓଡ଼ିଶା ପୋଲିସ

ଏଟିଏମ୍ କ୍ୟାସଭ୍ୟାନ୍‌କୁ ଲୁଟି ନେଇଥିଲେ ଲୁଟେରା : ୪୫ ମିନିଟ୍‌ରେ ଧରିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର:  ରାଜ୍ୟ ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି । ଏଟିଏମ୍ ଗାଡ଼ିରୁ ଲୁଟ୍ ହେବାର ୪୫ମିନିଟ୍ ମଧ୍ୟରେ ପୁଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଖାଲି ଏତିକି ନୁହେଁ ସେମାନଙ୍କ ଠାରୁ ଲୁଟ୍ ଟଙ୍କା ମଧ୍ୟ ଜବତ କରାଯାଇଛି । ପୁଲିସର ଏଭଳି ତୁରନ୍ତ ପଦକ୍ଷେପ ଦେଖି ସାଧାରଣଲୋକେ ପ୍ରଂଶସା କରିଛନ୍ତି । କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା ନିକଟରୁ ସୋମବାର ମଧ୍ୟାହ୍ନରେ ଏକ ଏଟିଏମ୍ କ୍ୟାସଭ୍ୟାନ୍ ସମେତ ୧କୋଟି ୨୯ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ୪ଜଣ ଦୁର୍ବୃତ୍ତ ଏଟିଏମ୍ କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ କ୍ୟାସ୍‌ଭ୍ୟାନଟି ନେଇ ପଳାଇଯାଇଥିଲେ । ଏସମ୍ପର୍କରେ ଆଠଗଡ଼ ପୁଲିସ ଖବର ପାଇ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲା । ପରେ ଢ଼େଙ୍କାନାଳ ସଦର ଥାନା ପୁଲିସ ବାରଦା, ଭୋଜଦେଇପୁର ଗ୍ରାମରୁ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ଫେରାର୍ ଥିବା ସୂଚନା ମିଳିଛି ।

ଅଭିଯୁକ୍ତମାନେ ଆଠଗଡ଼, କନ୍ଧମାଳ, ନୟାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୧କୋଟି ୫ଲକ୍ଷ ଟଙ୍କା ଜବତ ହୋଇଛି । ତେବେ ଅବଶିଷ୍ଟ ୨୪ଲକ୍ଷ ଟଙ୍କା ଫେରାର୍ ଲୁଟେରା ନେଇ ପଳାଇଥିବା ଜଣାପଡ଼ିଛି । ଏହାସହ ସେମାନଙ୍କ ଠାରୁ ୪ଟି ଦେଶୀବନ୍ଧୁକ ଓ ଭୁଜାଲି ଜବତ ହୋଇଥିବା ପୁଲିସ କହିଛି । ସୂଚନା ଅନୁଯାୟୀ, ସିଏମ୍‌ସି ଘରୋଇ କମ୍ପାନୀର ଏଟିଏମ୍ କ୍ୟାସଭ୍ୟାନ୍ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଜମା କରିବା ପାଇଁ ଆଠଗଡ଼ରୁ ବାହାରି ଟିଗିରିଆ ଅଭିମୁଖେ ବାହାରିଥିଲେ । କିଛି ବାଟ ଯିବା ପରେ ଭ୍ୟାନ କର୍ମଚାରୀମାନଙ୍କୁ ଭୋକ ଲାଗିଥିଲା । ତେଣୁ ସେମାନେ ସାଙ୍ଗରେ ଆଣିଥିବା ଖାଦ୍ୟକୁ ସୁବିଧା ଦେଖି ଖାଇବେ ବୋଲି ଚିନ୍ତା କରିଥିଲେ । ଦିନ ୧ଟା ୧୫ମିନିଟ୍ ସମୟରେ ସେମାନେ ଆଠଗଡ଼ରୁ ଖୁଣ୍ଟକଟା ରାସ୍ତାର ମହିଧପୁର ନିକଟରେ ଥିବା ପରିତ୍ୟକ୍ତ ହୋଟେଲ ତୃପ୍ତିର ବାରଣ୍ଡାରେ ବସି ଖାଉଥିଲେ । ଏତିକିବେଳେ ଏକ କାର୍‌ରେ ୪ଜଣ ଦୁର୍ବୃତ୍ତ ୩ଗୋଟି ଖଣ୍ଡା ଏବଂ ୪ଟି ବନ୍ଧୁକ ଧରି ସେଠି ପହଞ୍ଚିଥିଲେ । ସେମାନେ ଏଟିଏମ୍ ଗାଡ଼ି ଚାଳକଙ୍କୁ ବନ୍ଧୁକ ଦେଖାଇ ପ୍ରଥମେ ଭୟ ଦେଖାଇଥିଲେ ।

ଏହାଦେଖି ଗନମ୍ୟାନ୍ ସର୍ବେଶ୍ୱର ସାହୁ ପ୍ରତିବାଦ କରିବାରୁ ସେମାନେ ତାଙ୍କ ବନ୍ଧୁକ ଛଡ଼ାଇନେଇଥିଲେ । ଏମିତିକି ଟଙ୍କାଗାଡ଼ି ଲୁଟିବା ପାଇଁ ସେମାନେ ଗାଡ଼ିଚାଳକ ପତିତ ନାୟକ ଓ ସର୍ବେଶ୍ୱର ସାହୁ ଓ ଅନ୍ୟ କର୍ମଚାରୀଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ ।
ପରେ ସେଠାରୁ ଏଟିଏମ୍ ଗାଡ଼ି ସାଙ୍ଗରେ ଧରି ଢେଙ୍କାନାଳ ସପ୍ତଶଯ୍ୟା ନିକଟସ୍ଥ ଭଙ୍ଗାମାଳ ପେଟ୍ରୋଲ ପମ୍ପ ନିକଟକୁ ଯାଇଥିଲେ । ସେଠାରେ ଟଙ୍କା ବାକ୍ସକୁ ଏଟିଏମ୍ ଗାଡ଼ିରୁ କାଢ଼ି ସେମାନେ ଆଣିଥିବା କାର୍‌କୁ ସ୍ଥାନାନ୍ତର କରିନେଇଥିଲେ । ପରେ ସେମାନେ ସେହି ପେଟ୍ରୋଲପମ୍ପ ନିକଟରେ ଏଟିଏମ ଭ୍ୟାନକୁ ଛାଡି ଫେରାର୍ ହୋଇଯାଇଥିଲେ । ଏସମ୍ପର୍କରେ ଖବର ପାଇ ଆଠଗଡ଼ ପୁଲିସ ଏବଂ ଢେଙ୍କାନାଳ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ।  ଏନେଇ ଢେଙ୍କାନାଳ ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ବ୍ଳକିଂଚେକିଂ କରିଥିଲା । ପୁଲିସର ଚେକିଂକୁ ଦେଖି ଲୁଟେରାମାନେ ସଦର ଥାନା ନିକଟରୁ ଗାଡିକୁ ବୁଲାଇ କାମାକ୍ଷାନଗର ଆଡକୁ ଚାଲିଯାଉଥିଲେ । ଏହାଦେଖି ସେଠାରେ ଚେକିଂ କରୁଥିବା ପୁଲିସ ଟିମ୍ ସେମାନଙ୍କ ପିଛା କରିଥିଲେ ।

ପୁଲିସ ପିଛା କରୁଥିବା ଦେଖି ଲୁଟେରାମାନେ ବିଚଳିତ ହୋଇପଡିଥିଲେ । ଏହାପରେ ବାରଦା ଗ୍ରାମ ପଞ୍ଚାୟତର ଭୋଜଦେଇପୁର ଗାଁ ଆଡ଼େ ପଳାଇଯାଇଥିଲେ । ଲୁଟେରାମାନେ ଗାଁ ଶିବମନ୍ଦିର ନିକଟରେ କାର୍‌କୁ ଛାଡି ଟଙ୍କାଭର୍ତି ବାକ୍ସକୁ ସାଙ୍ଗରେ ନେଇ ଫେରାର୍ ହେବାକୁ ଉଦ୍ୟମ କରିଥିଲେ । ଏତିକିବେଳେ ପୁଲିସ ସେମାନଙ୍କୁ ଗୋଡ଼ାଇ ଧରିବାକୁ ଚେଷ୍ଟା କରିଥିଲା । ଏହାଦେଖି ଗ୍ରାମବାସୀମାନେ ପୁଲିସକୁ ସହଯୋଗ କରିଥିଲେ । ପୁଲିସ ଓ ଗ୍ରାମବାସୀ ମିଶି ୩ଲୁଟେରାଙ୍କୁ ୧ଟା ୫୫ମିନିଟ୍ ସମୟରେ ଧରିବାରେ ସଫଳ ହୋଇଥିବାବେଳେ ଅନ୍ୟ ଜଣେ ଖସିଯାଇଥିଲା ।

ଏହି ସମୟରେ ପୁଲିସ ୩ଲୁଟେରାଙ୍କ ଠାରୁ ୧କୋଟି ୫ଲକ୍ଷ ଟଙ୍କା ଜବତ କରିଥିବାବେଳେ ଅବଶିଷ୍ଟ ଟଙ୍କା ଅନ୍ୟ ଜଣେ ଲୁଟେରା ପାଖେ ରହିଯାଇଛି । ତେଣୁ ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଅନ୍ୟପକ୍ଷେ ଗନମ୍ୟାନ୍ ଓ ଡ୍ରାଇଭର ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଘଟଣାସ୍ଥଳରେ ପହଁଚି ଘଟଣାର ଅନୁଧ୍ୟାନ କରିଛନ୍ତି । ତେବେ ୪୫ମିନିଟ୍‌ରେ ଏଭଳି ଏକ ବଡ଼ ଅପରେସନ୍‌ରେ ସଫଳ ହୋଇଥିବାରୁ ପୁଲିସ ଡିଜି ଶ୍ରୀ ଅଭୟ କଟକ ପୁଲିସ, ଢ଼େଙ୍କାନାଳ ପୁଲିସ ଓ ସମସ୍ତ ଅଫିସରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking