ରାଉରକେଲା : ସେକ୍ଟର-୨୨ କମ୍ୟୁନିଟି ସେଂଟର ପଛପାଖ ରାସ୍ତାରେ ଷ୍ଟ୍ରିଟ ଲାଇଟ ଜଳୁ ନଥିବାରୁ ଯିବା ଆସିବାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ସାରନା ପୂଜାସ୍ଥଳ ନିକଟ ରାସ୍ତାରେ ଆଲୋକ ବ୍ୟବସ୍ଥା ନାହିଁ । ଫଳସ୍ୱରୂପ ସଂଜ ନଇଁଲେ ରାସ୍ତାରେ ଅନ୍ଧାର ରାଜୁତି କରୁଛି । ଏହା ଦ୍ୱାରା ସମୟ ସମୟରେ ଅସାମାଜିକ ତତ୍ୱଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ସେହିପରି ଅନ୍ଧକାର ଯୋଗୁ ଏହି ରାସ୍ତାରେ ବୟସ୍କ ଲୋକ ମାନେ ଯିବାବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏଠାରେ ପ୍ରକାଶ ଥାଉକି, ଗତ କିଛି ମାସ ତଳେ ଅଜଣା ଦୁବୃର୍ତ ନିକଟ ସାରନା ପୂଜା ସ୍ଥଳ ପରିସରକୁ ପ୍ରବେଶ କରି ପୂଜାସ୍ଥଳରେ ଭଙ୍ଗା ରୁଜା କରିଥିଲେ । ସେହିପରି ଅନ୍ଧାରର ସୁଯୋଗ ନେଇ ସେହି ରାସ୍ତାରେ ବୁଲା କୁକୁର, ଷଣ୍ଢ, ସରିସୃପ ମାନଙ୍କ ଉତ୍ପାତ ବୃଦ୍ଧି ପାଇବା ସହ ରୋଡ଼ ରୋମିଓ ଓ ପ୍ରେମୀଯୁଗଳ ମାନେ ଆଡ୍ଡା ଜମାଉଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏଣୁ ଏହି ସମସ୍ୟା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ରାସ୍ତାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।