ଦେବଗଡ: ସମ୍ବଲପୁର ଲୋକସଭା ସାଂସଦ ତଥା ଦେବଗଡ଼ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ରାଣୀ ଅରୁନ୍ଧତୀ ଦେବୀ ଗତ କିଛିମାସ ହେବ ବିଜେପିର ସ୍ଥାନୀୟ ନେତାଙ୍କ କଳା କାରନାମା ସାର୍ବଜନୀନ କରି ଦେବଗଡ଼ ରାଜନୀତିରେ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ରାଣୀଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ହେବ ସ୍ଥାନୀୟ ଲାଲୁସାହିର କେତେକ ବ୍ୟକ୍ତି ଓ ତାଙ୍କ ଯା ତଥା ବିଜେପିର ପୌରାଧ୍ୟକ୍ଷା ପ୍ରାର୍ଥୀ ମାଧବୀ ଦେବୀ ତାଙ୍କ ପ୍ରତି ବିରୋଧାତ୍ମକ ଆଚରଣ ପ୍ରଦର୍ଶନ କରି ଆସୁଛନ୍ତି ।
ଏହି କ୍ରମରେ ଗତକାଲି ରାତିରେ ରାଜପ୍ରାସାଦରେ ଥିବା ଏକ କୋଠରୀର ଶିକୁଳି ଭଙ୍ଗା ଯାଇଥିବା ନେଇ ଆଜି ତାଙ୍କ ଘରେ କାମ କରୁଥିବା କର୍ମଚାରୀମାନେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଠାକୁ ଯାଇ ରାଣୀ ଘଟଣାର ସତ୍ୟତା ଜାଣିବା ପରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି । ରାଣୀଙ୍କ ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ତୁରନ୍ତ ରାଜପ୍ରସାଦକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି । ଅନ୍ୟପକ୍ଷରେ ରାଣୀ ଅଭିଯୋଗ ପତ୍ରରେ ଘଟଣାର ତଦନ୍ତ କରି ସତ୍ୟତା ଲୋକ ଲୋଚନକୁ ଆଣିବାକୁ ଦାବି କରିଛନ୍ତି । ସେହିପରି ସେ ରାଜପ୍ରସାଦରେ ଏକୁଟିଆ ରହୁଥିବାରୁ ତାଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରାଯାଉଥିବା ପ୍ରକାଶ କରିବା ସହ ସେ ବିପକ୍ଷଙ୍କ ଏଭଳି ଉଦ୍ୟମ କେବେ ମଧ୍ୟ ସଫଳ ହେବନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।