ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ୱାନ ରାଙ୍କ ୱାନ ପେନସନ (ଓଆରଇପି) ସଂଶୋଧନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ତେବେ କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ପରେ ୨୫ ଲକ୍ଷରୁ ଅଧିକ ଅବସରପ୍ରାପ୍ତ ସେନା କର୍ମଚାରୀ ଉପକୃତ ହେବେ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ୱାନ୍ ରାଙ୍କ୍ ୱାନ୍ ପେନ୍ସନ ସଂଶୋଧିତ ହୋଇଛି ଏବଂ ଏହା ପୂର୍ବରୁ ୨୦.୬୦ ଲକ୍ଷ ପେନ୍ସନ୍ଭୋଗୀ ଏହି ଯୋଜନାରେ ଲାଭବାନ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସଂଶୋଧନ ପରେ ୨୫ ଲକ୍ଷ ଲୋକ ଉପକୃତ ହେବେ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସଂଶୋଧନ ଯୋଗୁଁ ୮୫୦୦ କୋଟି ଟଙ୍କାର ଭାର ସରକାରଙ୍କ ଉପରେ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୱାନ୍ ରାଙ୍କ୍ ୱାନ୍ ପେନ୍ସନ (ଓଆର୍ଓପି) ଅଧୀନରେ ପ୍ରତିରକ୍ଷା ବାହିନୀ କର୍ମଚାରୀ / ପରିବାର ପେନସନଧାରୀଙ୍କ ପେନସନର ପରବର୍ତ୍ତୀ ସଂଶୋଧନକୁ ଅନୁମୋଦନ କରିଛନ୍ତି ।
ବର୍ତ୍ତମାନ ପ୍ରତିରକ୍ଷା ବାହିନୀ ପେନ୍ସନ୍ଭୋଗୀ / ପରିବାର ପେନ୍ସନ୍ଭୋଗୀମାନେ ପ୍ରସ୍ତାବ ଅନୁଯାୟୀ ବର୍ଦ୍ଧିତ ପେନ୍ସନ୍ ପାଇବେ । ଏହାଛଡା ସହିଦଙ୍କ ବିଧବା ପତ୍ନୀ ଏବଂ ଭିନ୍ନକ୍ଷମ ପେନ୍ସନ୍ଭୋଗୀଙ୍କ ସମେତ ପରିବାର ପେନ୍ସନ୍ ଭୋଗୀଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ । ଏହା ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ଯୁବକମାନଙ୍କୁ ଆକର୍ଷିତ କରିବ । ସରକାର ଏହା ମଧ୍ୟ କହିଛନ୍ତି ଯେ ବକେୟା ଚାରି ଅର୍ଦ୍ଧ ବାର୍ଷିକ କିସ୍ତିରେ ପ୍ରଦାନ କରାଯିବ । ଉଲ୍ଲେଖ ଥାଉ କି ୱାନ୍ ରାଙ୍କ୍ ୱାନ୍ ପେନ୍ସନ (ଓଆର୍ଓପି) ର ଅର୍ଥ ହେଉଛି ସମାନ ପଦବୀ ଏବଂ ସମାନ ଅବଧିର ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ସମାନ ପେନ୍ସନ୍ ପ୍ରଦାନ କରାଯାଇଥାଏ । ଉଦାହରଣ ସ୍ୱରୂପ, ଯଦି ଜଣେ ଅଧିକାରୀ ଯିଏ ୧୫ ବର୍ଷ (୧୯୮୫ ରୁ ୨୦୦୦ ପର୍ଯ୍ୟନ୍ତ) ସେବା କରିଆସୁଥିଲେ ଏବଂ ୨୦୦୦ ମସିହାରେ ଅବସର ନେଇଥିଲେ, ତାଙ୍କୁ ୨୦୧୦ରେ ଅବସର ନେଇଥିବା ଏବଂ ୧୯୯୫ ରୁ ୨୦୧୦ ପର୍ଯ୍ୟନ୍ତ ସେବା କରୁଥିବା ଅଧିକାରୀଙ୍କ ପରି ସମାନ ପେନ୍ସନ୍ ପାଇବେ ।