28.1 C
Bhubaneswar
Saturday, July 27, 2024
Homeଓଡିଶାନରେନ୍ଦ୍ର ମୋଦୀଙ୍କ ବିଗତ ୧୦ବର୍ଷ ଶାସନକାଳ ବିଷକାଳ–କଂଗ୍ରେସ

ନରେନ୍ଦ୍ର ମୋଦୀଙ୍କ ବିଗତ ୧୦ବର୍ଷ ଶାସନକାଳ ବିଷକାଳ–କଂଗ୍ରେସ

ଭୁବନେଶ୍ୱର: ଭାରତୀୟ ଜନତାପାର୍ଟି ବିଶେଷ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶାସନକାଳକୁ ଅମୃତକାଳ ଏବଂ ତାଙ୍କ ସମୟରେ ଭାରତବର୍ଷ ଆଜି ସବୁ କ୍ଷେତ୍ରରେ ବହୁ ପ୍ରଗତୀ କରିଛି ବୋଲି ବାରମ୍ବାର ଦାବି କରିଆସୁଛନ୍ତି । କିନ୍ତୁ ପ୍ରକୃତ ସତ୍ୟକଥା ହେଉଛି ଏହି ଦଶବର୍ଷ ଭିତରେ ଭାରତ ବର୍ଷ ବିଭିନ୍ନ କ୍ଷେତ୍ରରେ ବିଶ୍ୱର ଅନ୍ୟଦେଶ ତୁଳନାରେ ବହୁ ପଛକୁ ଠେଲିହୋଇଯାଇଛି । ମୋଦୀଙ୍କ ଶାସନ କାଳରେ ମାତ୍ର କତିପୟ ବ୍ୟବସାୟୀ ଏବଂ ଶିଳ୍ପ ଉଦ୍ୟୋଗୀମାନେ ପ୍ରଚୁର ଲାଭବାନ ହୋଇଥିଲା ବେଳେ ଭାରତବର୍ଷର ଯୁବକ ଯୁବତୀଙ୍କ ଠାରୁ ଆରମ୍ଭ କରି କୃଷକ ଏବଂ ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ ଆଜି ଅଧିକ ମାତ୍ରାରେ ଶୋଷିତ ହୋଇଛନ୍ତି ।

ବିଭିନ୍ନ ସୂଚଙ୍କାକକୁ ଅନୁଧ୍ୟାନ କଲେ ମୋଦୀଙ୍କର ଏହି ଦଶବର୍ଷ ଶାସନକାଳ ପ୍ରକୃତରେ ଅମୃତକାଳ ନା ବିଷକାଳ ତାହା ଦେଶବାସୀ ଜାଣିପାରିବେ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ମୋଦୀଙ୍କର ଏହି ଦଶବର୍ଷ ଶାସନକାଳ ପ୍ରକୃତରେ ଭାରତବାସୀଙ୍କ ପାଇଁ ବିଷକାଳ । ଶ୍ରୀ ମହାନ୍ତି କହିଥିଲେ ଯେ ୨୦୧୪ ମସିହାରେ ଭାରତର ସ୍ଥାନ ବିଶ୍ୱ କ୍ଷୁଧା ସୂଚକାଙ୍କ ଅନୁସାରେ ୫୫ ଥିଲାବେଳେ ୨୦୨୩ ରେ ୧୧୭ ସ୍ଥାନକୁ, ମାନବ ସମ୍ବଳ କ୍ଷେତ୍ରରେ ୧୦୦ ନମ୍ବର ସ୍ଥାନରୁ ୧୧୬, ମାନବ ସ୍ୱାଧୀନତା ସୂଚକାଙ୍କ ୧୦୬ ସ୍ଥାନରୁ ୧୧୯, ଲିଙ୍ଗ ସମାନତା ୧୧୪ ସ୍ଥାନରୁ ୧୨୭, ମାନବ ବିକାଶ କ୍ଷେତ୍ରରେ ୧୩୦ ସ୍ଥାନରୁ ୧୩୨ ଏବଂ ପ୍ରେସ ସ୍ୱାଧୀନତା କ୍ଷେତ୍ରରେ ୧୪୧ ସ୍ଥାନରୁ ସ୍ଥାନରୁ ୧୬୧ ସ୍ଥାନକୁ ଆଜି ଖସିଆସିଛି । ଏହି ସୂଚକାଙ୍କ ଅନୁସାରେ ଭାରତବର୍ଷ ସବୁ କ୍ଷେତ୍ରରେ ପଛକୁ ଠେଲି ହୋଇ ଯାଇଛି । ଏପରିକି ଏହି ୧୦ ବର୍ଷ ଭିତରେ ଭାରତ ବର୍ଷରେ ଦୁଇଗୁଣାରୁ ଅଧିକ କ୍ଷ୍ୟୁଧାରେ ପୀଡ଼ିତ ଲୋକ ଆଜି ଖାଦ୍ୟ ପାଉନାହାନ୍ତି ।

ଏପରିକି ୧୦ ବର୍ଷ ଭିତରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରେସର ସ୍ୱାଧୀନତାକୁ ସଂପୂର୍ଣ୍ଣ ରୂପେ ସଂକୁଚିତ କରାଯାଇଛି । ଗଣମାଧ୍ୟମ ସତ୍ୟ ଘଟଣାକୁ ଲୋକଲୋଚନକୁ ଆଣିବାପାଇଁ ବାଧା ସୃଷ୍ଟି କରିବା ସହିତ ଦେଶର ମାନବ ସମ୍ବଳ ବିକାଶ ଓ ଲିଙ୍ଗଗତ ସମାନତା ଆଣିବାପାଇଁ ସରକାର ଏହି ୧୦ ବର୍ଷ ଭିତରେ କୌଣସି ଠୋସ ପଦକ୍ଷେପ ନେଇନାହାନ୍ତି ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ । ୨୦୩୦ ମସିହା ସୁଦ୍ଧା ଭାରତବର୍ଷକୁ କ୍ଷ୍ୟୁଧାମୁକ୍ତ କରିବାପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ ହୋଇପାରିବ ତ? ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ୩୩ ଟି ସୈନିକ ସ୍କୁଲକୁ ମୋଦୀ ସରକାର ଘରୋଇ ଭାଗୀଦାରିରେ ପିପିପି ମୋଡରେ ଚଲାଇବାପାଇଁ ନିଷ୍ପତି ନେଇସାରିଛନ୍ତି ।

ଏଥିମଧ୍ୟରୁ ଅଧିକାଂଶ ସ୍କୁଲକୁ ଆରଏସଏସ ଏବଂ ବିଜେପିର ପ୍ରମୁଖ ନେତୃବୃନ୍ଦମାନେ ଚଲାଇବାପାଇଁ ଚୁକ୍ତି କରିଛନ୍ତି । ଏ ହେଉଛି ମୋଦୀଙ୍କର ଦେଶପ୍ରୀତିର ବଡ଼ ଉଦାହାରଣ । ସୈନିକ ସ୍କୁଲକୁ ମୋଦୀ ସ୍କୁଲ ବା ଆରଏସଏ ସ୍କୁଲ କରିବାରେ ସଫଳ ହୋଇଛନ୍ତି । ସୈନିକ ସ୍କୁଲରୁ ଉତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଭାରତୀୟ ନୌସେନା, ସ୍ଥଳସେନା ଓ ବାୟୁସେନାରେ ଯୋଗଦାନ କରୁଥିଲେ । ଠିକ ସେହିଭଳି ଭାବରେ କୃଷକଙ୍କୁ ଉତ୍ପାଦିତ ଦ୍ରବ୍ୟର ଖର୍ଚ୍ଚ ବାଦ ୫୦ ପ୍ରତିଶତ ଅଧିକ ଦାମ ଦେବା ତଥା ଉତ୍ପାଦିତ ଦ୍ରବ୍ୟକୁ ଏମଏସପି ମାଧ୍ୟମରେ ଖରିଦ କରିବାର ପ୍ରତିଶ୍ରୁତି ଦେଇଥିବା ମୋଦୀ ସରକାର ତାହା ଆଜି ପାଳନ ହେଉନାହିଁ କାହିଁକି? ସବୁଠାରୁ ଦୁଃଖର କଥା ୨୦୨୨-୨୩ ବର୍ଷରେ ଦେଶରେ ୧୧୦୫.୫୪ ଲକ୍ଷ ଟନ ଗହମ ଉତ୍ପାଦନ ହୋଇଥିଲା ବେଳେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଦେଇ ମାତ୍ର ୧୮୮ ଲକ୍ଷ ଟନ ଗହମ ଖରିଦ କଲେ ବାକିତକ ଗହମ ଚାଷୀମାନେ କମ ଦାମରେ ବଜାରରେ ବିକିବାକୁ ବାଧ୍ୟହେଲେ ।

ଏପରିକି ଖରିଦ ହୋଇଥିବା ଗହମ ଉତ୍ପାଦିତ ହୋଇଥିବା ଗହମର ମାତ୍ର ୧୭% । ଠିକ ସେହିଭଳି ସମସ୍ତ ତୈଳଜାତ ଶସ୍ୟ ଯଥା ସୂର୍ଯ୍ୟମୁଖୀ, ସୋରିଶ, ବାଦାମ ଏବଂ ରାଶି ୩୭୬ଲକ୍ଷ ଟନ ଉତ୍ପାଦନ ହୋଇଥିଲା କିନ୍ତୁ ସେଥିରୁ ମାତ୍ର ୪୮ ହଜାର ଟନ ଯାହାକି .୧୩ % ଏମଏସପି ଜରିଆରେ ସରକାର ଖରିଦ କରିଥିଲେ । ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି କେନ୍ଦ୍ର ସରକାର ଦେଶର କୃଷକମାନଙ୍କୁ ଏମଏସପି ଦେବାକୁ ଚାହୁଁନାହାନ୍ତି । ଏହି ୧୦ ବର୍ଷ ଭିତରେ ଏ ସରକାର କୃଷକ ମାନଙ୍କର ଆୟ ବୃଦ୍ଧି ଘଟୁ ବୋଲି ସରକାର ଚାହାନ୍ତି ନାହିଁ ବୋଲି ଏଥିରୁ ପ୍ରମାଣିତ । ଏ ସରକାରର କଥା ଗୋଟେ କାମ ଗୋଟେ । ଦେଶର ଯୁବକମାନଙ୍କର ସ୍ଥିତି ଅତ୍ୟନ୍ତ ସଂଗୀନ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଆର୍ନ୍ତଜାର୍ତିକ ଶ୍ରମିକ ସଂଗଠନର ତଥ୍ୟ ଅନୁସାରେ ପ୍ରତିବର୍ଷ ୭୦ରୁ ୮୦ଲକ୍ଷ ଯୁବକ ଏବଂ ଯୁବତୀମାନେ କାମ କରିବାପାଇଁ ବାହାରୁଛନ୍ତି ।

କିନ୍ତୁ ସେମାନଙ୍କୁ କୌଣସି ପ୍ରକାରର କର୍ମ ଯୋଗାଇ ଦିଆଯାଇ ପାରୁନାହିଁ । ଏପରିକି ୨୦୦୬ ରୁ ୨୦୧୪ ମଧ୍ୟରେ ବେକାରୀ ହାର ଦେଶରେ ୫.୩ ରୁ ୫.୪୪ ଥିଲା ବେଳେ ୨୦୧୪ ରୁ ୨୦୨୪ ମଧ୍ୟରେ ଏହା ୮.୩୬ ପ୍ରତିଶତକୁ ବୃଦ୍ଧି ପାଇସାରିଛି । ଏପରିକି ଗ୍ରାମାଂଚଳରେ ବେରୋଜଗାର ସ୍ଥିତି ଅତ୍ୟନ୍ତ ସଂଗୀନ ହେଉଥିଲାବେଳେ ସହରାଂଚଳର ସ୍ଥିତି ମଧ୍ୟ ବହୁ ଚିନ୍ତାଜନକ । ଯୁବକ ମାନଙ୍କୁ ରୋଜଗାର ଦେବା କ୍ଷେତ୍ରରେ ସରକାର କୌଣସି ଠୋସ ପଦକ୍ଷେପ ନେଇନାହାନ୍ତି । ଦେଶର ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ୧୨ଟି ଆଇଆଇଟି ଏବଂ ୨୧ଟି ଆଇଆଇଏମ ମଧ୍ୟ ୩୦%ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ରେଗୁଲାର ପ୍ଲେସମେଂଟ କରିପାରିଲେ ନାହିଁ । ଏପରିକି ୨୦୧୪ ମସିହାରେ ଭାରତ ସରକାରଙ୍କର ଋଣ ୫୫,୮୩,୧୪୯.୩୩ କୋଟି ଥିଲା ବେଳେ ଏବେ ୨୦୨୪ ରେ ଏହା ୨୦୫ ଲକ୍ଷ କୋଟି ଟଙ୍କାରେ ପଂହଚିଛି । ଅର୍ଥାତ ଏହି ୧୦ ବର୍ଷରେ ସରକାର ୧୫୦ ଲକ୍ଷ କୋଟି ଟଙ୍କା ଋଣ କରିଛନ୍ତି । ହାରାହାରି ପ୍ରତିବର୍ଷ ୧୫ଲକ୍ଷ କୋଟି ଟଙ୍କା ଋଣ କରୁଛନ୍ତି । ୭୦ ବର୍ଷରେ ୫୫ ହଜାର କୋଟି ଟଙ୍କା ଏହି ମାତ୍ର ୧୦ ବର୍ଷରେ ୧୫୦ ଲକ୍ଷ କୋଟି ଋଣ କାହିଁକି କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଯଦି ଏହି ୧୦ବର୍ଷ ଭିତରେ ଭାରତର ଅର୍ଥନୀତି ବହୁ ପରିମାଣରେ ବୃଦ୍ଧି ଘଟିଛି ସବୁ କ୍ଷେତ୍ରରେ ବହୁ ବିକାଶ ହୋଇଛି ଏପରିକି ଜିଏସଟିରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଆଦାୟ ହେଉଥିଲା ବେଳେ ଏତେ ସବୁ ଋଣ କେଉଁ କ୍ଷେତ୍ରରେ ବିନିଯୋଗ ହୋଇଛି । ଏପରିକି ୨୦ଟି ସେଲ କମ୍ପାନୀମାନେ ୯୭ କୋଟି ଟଙ୍କାରୁ ଅଧିକ ଇଲୋକ୍ଟ୍ରୋରାଲ ବଣ୍ଡ ଖରିଦ କରିଛନ୍ତି ଏବଂ ଏହିସବୁ ସେଲ କମ୍ପାନୀଗୁଡ଼ିକ ୨୦୧୯ ରୁ ୨୦୨୩ ମଧ୍ୟରେ ରେଜିଷ୍ଟ୍ରେସନ କରାଯାଇଛି । ବିଜେପି ଦଳ ୨୬ କୋଟି ଟଙ୍କା ସେଲ କମ୍ପାନୀ ମାନଙ୍କ ପାଖରୁ ଇଲୋକ୍ଟ୍ରୋରାଲ ବଣ୍ଡ ମାଧ୍ୟରେ ରାଜନୈତିକ ଚାନ୍ଦା ଆଦାୟ କରିଛି । ବିମୁଦ୍ରିକରଣ ପରେ ସବୁ ସେଲ କମ୍ପାନୀ ବନ୍ଦ ହୋଇଯାଇଥିଲା ବେଳେ ଏ ସବୁ କମ୍ପାନୀ ଆସିଲା କେଉଁଠୁ । କିପରି ମୋଦୀ ସରକାରଙ୍କ ସମୟରେ ଏତେ ଗୁଡ଼ିଏ କମ୍ପାନୀ ରେଜିଷ୍ଟ୍ରେସନ ହେଲା ।

ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୩ କମ୍ପାନୀ ନିୟମ ଧାରା-୧୮୨ ଅନୁସାରେ ଯେଉଁ କମ୍ପାନୀମାନେ ଅନ୍ୟୁନ ୩ ବର୍ଷ କିମ୍ବା ୩ ବର୍ଷରୁ କାଳଧରି ପ୍ରତିଷ୍ଠା ହୋଇଛନ୍ତି ଏବଂ ବିଗତ ୩ ବର୍ଷର ହାରାହାରି ଲାଭାଂଶର ୭.୫% ପର୍ଯ୍ୟନ୍ତ ସେହିସବୁ କମ୍ପାନୀମାନେ ରାଜନୈତିକ ଚାନ୍ଦା ଦେଇପାରିବେ ଅର୍ଥାତ କ୍ଷତିରେ ଚାଲୁଥିବା କମ୍ପାନୀ ଏବଂ ତିନିବର୍ଷରୁ କମ ସମୟ ମଧ୍ୟରେ ଚାଲୁଥିବା କମ୍ପାନୀମାନେ କୌଣସି ରାଜନୈତିକ ଚାନ୍ଦା ଦେଇପାରିବେ ନାହିଁ କିନ୍ତୁ ଏହି ନିୟମକୁ କିଭଳି ଭାବରେ ପାଦରେ ଦଳି ଦିଆଗଲା । ଏହି ୨୦ଟି ଜାଲ କମ୍ପାନୀମାନେ ୩ ବର୍ଷରୁ କମ ସମୟ ମଧ୍ୟରେ ପଞ୍ଜିକରଣ ହୋଇଛି । ଏପରିକି ଏହି ସବୁ କମ୍ପାନୀମାନେ ପଞ୍ଜିକରଣ ହେବାର ୨ମାସରୁ ୬ ମାସ ମଧ୍ୟରେ ଇଲୋକ୍ଟ୍ରୋରାଲ ବଣ୍ଡ ଖରିଦ କରି ବିଜେପିକୁ ଚାନ୍ଦା ଦେଇଛନ୍ତି । ବିମୁଦ୍ରୀକରଣର ଏହା କଣ ସଫଳତା କି? ତେଣୁ ପ୍ରକୃତରେ ଏହି ୧୦ ବର୍ଷ ଦେଶପାଇଁ ବିଷକାଳ ଥିଲା । ଆଜିର ଏହି ସାମ୍ବାଦିକ ସମ୍ମିନଳୀରେ ଅନ୍ୟମାନଙ୍କ ମଧ୍ୟରେ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking