ଶ୍ରୀନଗର: ସଦ୍ୟ ମୁକ୍ତିଲାଭ କରିଥିବା ବଲିଉଡ ଚଳଚ୍ଚିତ୍ର ‘ଦି କଶ୍ମୀର ଫାଇଲ୍ସ’କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ବିରୋଧୀ ଦଳଗୁଡିକ ଏହାକୁ ବିଜେପିର ପ୍ରଚାରଧର୍ମୀ ଚଳଚ୍ଚିତ୍ର ବୋଲି ଆକ୍ଷେପ କରୁଥିବାବେଳେ ଏହି ସ୍ରୋତରେ ବର୍ତ୍ତମାନ ସାମିଲ ହୋଇଛନ୍ତି ପିଡିପି ନେତ୍ରୀ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ବୁଧବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମେହବୁବା କହିଛନ୍ତିି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଭଳିଭାବେ ଏହି ଚଳଚ୍ଚିତ୍ରର ପ୍ରଚାର କରୁଛନ୍ତି, ସେଥିରୁ ଜଣାପଡୁଛି ଯେ ବିଗତ ୮ ବର୍ଷରେ ବିଜେପି ଯଦି କଶ୍ମୀରୀ ପଣ୍ଡିତଙ୍କ ପାଇଁ କିଛି କରିନଥାନ୍ତା, ତାହାହେଲେ କଶ୍ମୀର ସ୍ଥିତି କୁଆଡେ ଅଧିକ ଦୟନୀୟ ହୋଇପଡିଥାନ୍ତା ।
ମେହବୁବା ଆହୁରି କହିଛନ୍ତି ଯେ ବିଜେପି ଦେଶକୁ ଭାଗ ଭାଗ କରି ଏକାଧିକ ପାକିସ୍ତାନ ସୃଷ୍ଟି କରିବାକୁ ଚକ୍ରାନ୍ତ କରୁଛି । ବିଜେପି ବର୍ତ୍ତମାନ ବାବର, ଆଉରଙ୍ଗଜେବ୍ଙ୍କ ଭଳି ମୋଗଲ ଶାସକଙ୍କ ଉଦାହରଣ ଦେଉଛି । ଏହି ପରିପ୍ରେକ୍ଷୀରେ ମେହବୁବା କହିଛନ୍ତି ଏହି ଶାସକମାନେ ପ୍ରାୟ ୪୦୦ରୁ ୬୦୦ ବର୍ଷ ପୂର୍ବେ ଭାରତକୁ ଶାସନ କରିଥିବାରୁ ବର୍ତ୍ତମାନ ଏହାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ସେ କହିଛନ୍ତି ।