ଭୁବନେଶ୍ବର : ଧୀରେ ଧୀରେ ବନ୍ୟା ସ୍ଥିତିରେ ଆସୁଛି ସୁଧାର । ମହାନଦୀରେ ପାଣି କମୁଛି ସିନା ହେଲେ ବଢିଯାଇଛି ଦୁର୍ଦ୍ଦଶା । ପାଣି ଘେରରେ ବୁଡି ରହିଛି ଅନେକ ତଳିଆ ଗାଁ । ବ୍ୟାପକ ଧନ ଜୀବନ ନଷ୍ଟ ହୋଇଛି । ବନ୍ୟାରେ ବେହାଲ୍ ହୋଇଛି ଓଡ଼ିଶା । ହେକ୍ଟର ହେକ୍ଟର ଚାଷଜମି ବାଲି ଚରି ଯାଇଛି । ଫଳରେ ପନି ପରିବା ଚାଷରୁ ଧାନ ଚାଷ ସବୁ କିଛି ଉଜୁଡ଼ି ଯାଇଛି । ଭଦ୍ରକ ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ବୈତରଣୀ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । କିନ୍ତୁ ତଳିଆ ଅଞ୍ଚଳରେ ଏବେ ମଧ୍ୟ ବନ୍ୟା ପାଣି ଜମି ରହିବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଭଦ୍ରକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଉପର ମୁଣ୍ଡ ରେ ବନ୍ୟା ପାଣି ଛାଡିବା ପରେ କ୍ଷୟକ୍ଷତି ହୋଇଥିବା ସ୍ଥାନରେ ମରାମତି ଆରମ୍ଭ ହୋଇଛି । ଅନେକ ସ୍ଥାନରେ ରାସ୍ତା ,କେନାଲ ଓ ପ୍ରୋଟେକସନ୍ ୱାଲ୍ ଗୁଡ଼ିକ ଭାସି ଯାଇଛି । କେତେକ ସ୍ଥାନ ରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଦୀର୍ଘ ୫ ଦିନ ହେବ ପାଣି ଘେରରେ ରହିଛନ୍ତି ନଈକୂଳିଆ ଲୋକେ । ନା ଖାଇବାକୁ ଗଣ୍ଡେ ଦାନା ଅଛି ନା ପିଇବାକୁ ଅଛି ପାନୀୟ ଜଳ । ଜଳସ୍ତର କମିବା ସତ୍ୱେ ମଧ୍ୟ ଘରୁ ବାହାରି ପାରୁନାହାନ୍ତି ଲୋକେ । ଏବେବି ଘର ଭିତରେ ଜମି ରହିଛି ଆଣ୍ଠୁଏ ପାଣି । ପଟ୍ଟାମୁଣ୍ଡାଇ ବ୍ଲକର ପେଣ୍ଠପାଳ, ଅଳପୁଆ, ତରଡିପାଳ, ଅଣ୍ଢରା , ସିଂହଗାଁ ପଞ୍ଚାୟତ ସବୁଠୁ ବେଶୀ ପ୍ରଭାବିତ ହୋଇଛି । ଏହି ୫ ପଂଚାୟତର ଲୋକ ମାନେ ପାଣି ଘେରରେ ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପୁରୀ ଜିଲ୍ଲା କଣାସ ବ୍ଲକ ଜାଗୁଆଳିପଦର ଗାଁ ନିକଟ ଦୟା ନଦୀରେ ଘଳିଆ ସୃଷ୍ଟି ହୋଇଛି । ଏଥି ଯୋଗୁ ବନ୍ୟା ବଢ଼ିଛି ।କଉଡ଼ିଖଣି, ସାହସପୁର, ବଡଓରା, ସାନଓରା, ପାଇକମରା, ଜଗୁଳାଇପଦର୍ ଗୋପୀନାଥପୁର , କଳାପଦର ଆଦି ୮ ରୁ ଉର୍ଦ୍ଧ୍ବ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ଆଶଙ୍କା ରହିଛି । ଆଉ କିଛି ସ୍ଥାନରେ ମଧ୍ୟ ଘଳିଆ ପଡିଛି ।
ସେପଟେ ବଡାସ,ତରପଡା, ଦୋକନ୍ଦା ଗାଁରେ ବନ୍ୟା ସ୍ଥିତି ବେହାଲ । ୧୦୦ରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ ଅଛନ୍ତି । ଘରେ ଭିତରେ ଅଣ୍ଟାଏ ଉଚ୍ଚର ବନ୍ୟା ଜଳ ଲହଡି ଭାଙ୍ଗୁଛି । କଣାସ ର ୬ ଟି ପଞ୍ଚାୟତର ୨୦ ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି । ରାଜୁଆ ନଦୀରେ ବନ୍ୟାଜଳ ନରଣଗଡ, ଓରବରସିଂହ ପଞ୍ଚାୟତ କୁ କ୍ଷତିଗ୍ରସ୍ତ କରିଛି । ଦୁଇଟି ପଞ୍ଚାୟତର ହିରିମୁଳ,ଡିହଖଳା,ମାନପୁର, ଧବଳପୁର, ହାଡପଦା, ଓରିମି ଆଦି ୮ ରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଛି । ହିରିମୂଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଲୋକଙ୍କ ଦୁଃଖ କହିଲେ ନସରେ । ନରଣଗଡ ପଞ୍ଚାୟତ ଧବଳପୁର , ବଳପୁର ଗାଁରେ ପାଣି ପଶି ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଅନ୍ୟପଟେ, ଦୟା ନଦୀରେ ବନ୍ୟା ପାଣି ପ୍ରବେଶ କରିବା ପରେ ଭୁବନେଶ୍ୱର ଉପକଣ୍ଠ ବୁଡିଯାଇଛି । ସୁନ୍ଦରପଦା ଅଞ୍ଚଳର କ୍ଷେତ୍ରପାଳ ଅଞ୍ଚଳ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଭାବେ ବୁଡି ରହିଛି । ଦୟା ନଦୀର ପାଣି ରାସ୍ତା ଘାଟ ଡେଇଁ ଘର ଭିତରକୁ ପଶିଛି । ମୁଖ୍ୟ ରାସ୍ତା ପାଣିରେ ବୁଡି ଯାଇଛି । ଘରୁ ବାହାରି ପାରୁନାହାନ୍ତି ଲୋକ ।










