ଭୁବନେଶ୍ବର: ରାଜଧାନୀରେ ଷ୍ଟାପ ନର୍ସଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ । ବାଲିପାଟଣା ଥାନାରେ ଜିରୋ FIR ପରେ ଅଭିଯୁକ୍ତ ପ୍ରେମିକକୁ ବାନ୍ଧିଲା ଲିଙ୍ଗରାଜ ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣକ, ବାଲିପାଟଣା ଥାନା ଅଞ୍ଚଳର ଭବତୋଷ ମହାନ୍ତି ।ପୁଲିସ ସୂଚନା ଅନୁଯାୟୀ ଷ୍ଟାପ ନର୍ସ ଜଣଙ୍କ ଗତ ୯ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ୯ବର୍ଷର ପୁଅ ଅଛି । ସ୍ୱାମୀଙ୍କ ସହ କୌଣସି କଥାକୁ ନେଇ ଝଗଡା ହେବାରୁ ସେ ପୁଅକୁ ଧରି ଭୁବନେଶ୍ୱର ପଳାଇ ଆସିଥିଲେ । ଏଠାରେ ଷ୍ଟାପ ନର୍ସ ଭାବରେ କାମ କରୁଥିଲେ । ଜଣେ ସାଙ୍ଗର ଜନ୍ମ ଦିନ ପାର୍ଟିରେ ଭଵତୋଷ ମହାନ୍ତିଙ୍କ ସହ ପରିଚୟ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ମଧ୍ୟ ବର୍ଷେ ହେବ ଲିଭ ଇନ୍ ରେ ରହୁଥିଲେ । ଷ୍ଟାପ ନର୍ସ ଜଣଙ୍କ ଭବତୋଷକୁ ବିବାହ କରିବାକୁ କହିବା ପରେ ଭଵତୋଷ ନିଜ ଗାଁ ବାଲିପାଟଣା ପଳାଇ ଯାଇଥିଲେ । ମୋବାଇଲ ନମ୍ବର ବଦଳାଇଥିଲେ । ଷ୍ଟାପ ନର୍ସ ଜଣଙ୍କ ତାଙ୍କ ଘରକୁ ଯାଇ ଭବତୋଷଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ସେଠାରେ ଭବଙ୍କ ବାପା, ଭାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ଷ୍ଟାପ ନର୍ସ ଜଣଙ୍କ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ । ଘଟଣା ଯେହେତୁ ଭୁବନେଶ୍ବର ଓଲଡ୍ ଟାଉନ ଅଞ୍ଚଳରେ ଘଟିଛି ସେଥିପାଇଁ ଜିରୋ FIR ଗ୍ରହଣ କରି ଲିଙ୍ଗରାଜ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।










