16.1 C
Bhubaneswar
Thursday, January 16, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨+୨ ପରୀକ୍ଷା ଲାଗି ବସିବ ଚୂଡାନ୍ତ ବୈଠକ: ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାଙ୍କନ ନେଇ ହେବ...

+୨ ପରୀକ୍ଷା ଲାଗି ବସିବ ଚୂଡାନ୍ତ ବୈଠକ: ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାଙ୍କନ ନେଇ ହେବ ଆଲୋଚନା

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା । ଏହା ମେ’ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ପରୀକ୍ଷା ପରିଚାଳନାରେ ବିଳମ୍ବ ହୋଇଥିବାରୁ ନିର୍ଦ୍ଧାରିତ ସମୟରେ ଖାତାଦେଖା ଏବଂ ଫଳ ପ୍ରକାଶ କରିବା ଉପରେ +୨ ପରିଷଦ ଗୁରୁତ୍ୱ ଦେଉଛି । ଏହାବ୍ୟତୀତ ପରୀକ୍ଷା ପରିଚାଳନା ଏବଂ ଖାତାଦେଖାରେ ଯେପରି ସର୍ବାଧିକ ସ୍ୱଚ୍ଛତା ଅବଲମ୍ବନ କରାଯିବ ସେ ଦିଗରେ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ ରାଜ୍ୟରେ ପ୍ରାୟ ୨୦୬୦ ଜୁନିୟର କଲେଜରେ ମୋଟ୍ ୩.୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି । ଗତବର୍ଷ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଥିବାରୁ ଚଳିତବର୍ଷ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ରହିଛି । ତେବେ ପରୀକ୍ଷା ପୂର୍ବରୁ ପରିଚାଳନା ନେଇ ୩ଟିସ୍ତରରେ ବୈଠକ ଅନୁଷ୍ଠିତ ହେବ ।

ତେବେ ପରୀକ୍ଷା ନେଇ ଚୂଡାନ୍ତ ବୈଠକ ଖୁବଶୀଘ୍ର ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି । ବୈଠକରେ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ପରିଷଦର ଅଧ୍ୟକ୍ଷ ଏବଂ ପରୀକ୍ଷା ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀ ଉପସ୍ଥିତ ରହିବେ । ବୈଠକରେ ପରୀକ୍ଷାକେନ୍ଦ୍ର, ପ୍ରଶ୍ନପତ୍ର ଲାଗି ହବ୍‌କେନ୍ଦ୍ର, ପରୀକ୍ଷାଦାୟତ୍ୱରେ ସୁପରିଟେଣ୍ଡେ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରରେ ସୁରକ୍ଷିତ ରଖିବା ବ୍ୟବସ୍ଥା, ପରୀକ୍ଷାକେନ୍ଦ୍ରରେ ପିଲାଙ୍କ ଲାଗି ମୌଳିକ ସୁବିଧା, ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତାର ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ସେହିପରି ମୂଲ୍ୟାଙ୍କନ ପଦ୍ଧତି ଏବଂ ଖାତାଦେଖା ଲାଗି ମୂଲ୍ୟାଙ୍କନକାରୀଙ୍କ ତାଲିକା ପ୍ରସ୍ତୁତ ଉପରେ ବୈଠକରେ ଆଲୋଚନା କରାଯିବ ।

ଇ-ମୂଲ୍ୟାଙ୍କନ ଲାଗି ଖାତାଦେଖାରେ ସାମିଲ ହେବାକୁ ଥିବା ଅଧ୍ୟାପକ, ଅଧ୍ୟାପିକାଙ୍କ ଲାଗି ପ୍ରାକ ପ୍ରଶିକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ସେହିପରି ଏପ୍ରିଲ ପ୍ରଥମ ସପ୍ତାହରେ ୨ୟ ଏବଂ ୧୫ତାରିଖ ପରେ ୩ୟ ବୈଠକ ବସିବ । ସେହି ବୈଠକରେ ପରିଷଦର ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଏବଂ ପରୀକ୍ଷା ପରିଚାଳନା କମିଟିରେ ଥିବା ସଦସ୍ୟମାନେ କେବଳ ଉପସ୍ଥିତ ରହିବେ । ତେବେ ଚଳିତବର୍ଷ ଜୁନ୍ ୧୫ସୁଦ୍ଧା ବିଜ୍ଞାନ ରେଜଲ୍ଟ ପ୍ରକାଶ କରିବା ସହ ଶେଷ ସପ୍ତାହ ସୁଦ୍ଧା କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ କରିବାକୁ ସିଏଚ୍‌ଏସ୍‌ଇ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking