ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଏବେ ସାମାନ୍ୟ ନିୟନ୍ତ୍ରଣକୁ ଆସିଛି ଗତ ୪୮ ଘଣ୍ଟା ମଧ୍ୟରେ ମାତ୍ର ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଠି ଗତ ୩ ତାରିଖ ସୁଦ୍ଧା ମୋଟ ୧୦୨ ସଂକ୍ରମିତ ଥିଲେ ଏବେ ୬ ତାରିଖ ସୁଦ୍ଧା ଏହି ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଦ୍ୱାରା ଗତ ସପ୍ତାହ ହେବ ନିୟମିତ କରାଯାଉଥିବା ଡେଙ୍ଗୁ ସଚେତନତା ଲାଗି ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏବେ ରୋଗୀଙ୍କ ସଂଖ୍ୟା ସ୍ଥିର ରହିଛି । କିନ୍ତୁ ସଚେତନତାକୁ ଆହୁରି ବ୍ୟାପକ କରିବାକୁ ପଡ଼ିବ ବୋଲି ଗୁରୁବାର ହୋଇଥିବା ବୈଠକରେ ପ୍ରକାଶ ପାଇଛି । କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭୁବନେଶ୍ୱରରେ କିପରି ଡେଙ୍ଗୁ ନିୟନ୍ତ୍ରଣ କରାଯିବ ସେନେଇ ସମୀକ୍ଷା କରାଯାଇଛି ।
ମଶା ବଂଶ ବୃଦ୍ଧି ରୋକିବା ସହ କେଉଁଠାରେ ପାଣି ଜମୁଛି, କେଉଁ କେଉଁ ସ୍ଥାନରେ ମଶା ଧୂଆଁ ଦିଆଯିବ ଏବଂ କେଉଁଠାରେ ମଶା ତେଲ ସ୍ପେ ହେବ ସେସବୁ ସ୍ଥାନ ତୁରନ୍ତ ଚିହ୍ନଟ କରିବାକୁ କୁହାଯାଇଛି । ଖାଲି ସେତିକି ନୁହେଁ, ଯେଉଁସ୍ଥାନରେ ଘାସ ରହିଛି, ତୁରନ୍ତ ସେସ୍ଥାନରୁ ଘାସକାଟିବାକୁ ନିର୍ଦ୍ଦେଶ ମିଳିଛି । ମୁଖ୍ୟକଥା ହେଲା ଏବେ ଶିଶୁଙ୍କୁ ମାଧ୍ୟମ କରି ସହରବାସୀଙ୍କ ପରିମଳ ଅଭ୍ୟାସ ସୁଧରିବାକୁ ବିଏମସି ଗୁରୁତ୍ୱ ଦେବ । ଏବେ ପ୍ରତ୍ୟେକ ସ୍କୁଲରେ ପିଲାଙ୍କୁ ଡେଙ୍ଗୁକୁ ନେଇ ସଚେତନ କରାଯିବ । କିପରି ଘର ଓ ତାର ଆଖପାଖର ୫ ମିଟର ପରିଧିକୁ ପରିଷ୍କାର ପରିଚ୍ଛନ୍ନ ରଖିବ ଓ ଓଦା ଓ ଶୁଖିଲା ବର୍ଜ୍ୟ ଅଲଗା ଅଲଗା କରି ସଫେଇ ଗାଡ଼ିକୁ ଦିଆଯିବ ସେନେଇ ସଚେତନ କରାଯିବ । ଶିଶୁମାନେ ଶିଖିଲେ ସୂଚନା ସବୁ ଘରକୁ ଯିବ ।
ବିଏମସିର ପ୍ରତ୍ୟେକ ଅଧିକାରୀ ବିଭିନ୍ନ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ଟାୟାର, ଭଙ୍ଗା ଡବା, ପାତ୍ର, ସମ୍ବେଦନଶୀଳ ସ୍ଥାନ ଇତ୍ୟାଦି ପ୍ରଦର୍ଶନ କରି ଭଲଭାବେ ବୁଝାଇବେ । ଶିଶୁ ସଚେତନ ହେଲେ ସାରା ପରିବାର ସଚେତନ ହେବ । ସିଟି ହେଲ୍ଥ ସୋସାଇଟି ଏହାର କାର୍ଯ୍ୟ ଯୋଜନା ତୁରନ୍ତ ଆରମ୍ଭ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମରେ ମେୟର, ଡେପୁଟି ମେୟର, କର୍ପୋରେଟରଙ୍କୁ ସାମିଲ ହେବାକୁ ଅନୁରୋଧ କରାଯିବ । ଏଥିରେ କମିଶନରଙ୍କ ସମେତ ଅତିରିକ୍ତ କମିଶନର, ଡେପୁଟି କମିଶନର, ସିଟି ଇଂଜିନିୟର, ଡାକ୍ତର, ସାନିଟାରୀ ଇନ୍ସପେକ୍ଟର, ୱାର୍ଡ ଅଫିସର ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯାଇ ବିଦ୍ୟାଳୟରେ ସଚେତନତା କାର୍ଯ୍ୟ କରିବେ ବୋଲି କମିଶନର କହିଛନ୍ତି ।