ଭୁବନେଶ୍ବର: ଶିଖରଚଣ୍ଡୀ ମନ୍ଦିର ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଉନ୍ନୟନ କରାଯାଇ ରାଜ୍ୟର ପ୍ରମୁଖ ପ୍ରର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବାକୁ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି।ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି(ବୁଧବାର) ଶିଖରଚଣ୍ଡୀରେ ବିକାଶର ସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏଥିପାଇଁ ହୋଇଥିବା ମାଷ୍ଟରପ୍ଲାନର ନକ୍ସା ଦେଖିଛନ୍ତି । ଖାଲି ସେତିକି ନୁହେଁ ବିଡିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନକ୍ସା ଦେଖିବା ସହ ପାହାଡ଼ ଉପରକୁ ଯାଇ କେଉଁଠି କେଉଁ ପ୍ରକଳ୍ପ ହେବ ତାହାର ଅନୁଧ୍ୟାନ କରିଛନ୍ତି । ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରି ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ପୂର୍ବରୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶିଖରଚଣ୍ଡି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପାଣ୍ଡିଆନଙ୍କ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ୍ ସିଂ, ବିଏମ୍ସି କମିସନର ବିଜୟ ଅମୃତ କୁଲାଙ୍ଗେ ଗତକାଲି ଶିଖରଚଣ୍ଡୀ ପାହାଡ଼ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ।