ଭୁବନେଶ୍ୱର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ୱର, ମୟୁରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଭୁବନେଶ୍ୱରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଏହାଦ୍ୱାରା ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ବିଭିନ୍ନ ବ୍ୟବସାୟ ଜରିଆରେ ଆର୍ôଥକ ଉନ୍ନତି ଆସିପାରିଛି ।
ନିଜେ ରୋଜଗାର କରିପାରୁଥିବା ଯୋଗୁ ଆଜି ସମାଜରେ ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇଛି ବୋଲି ସେମାନେ ଖୁସି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରିଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ କାମର ପ୍ରଶଂସା କରିବା ସହିତ ଓଡିଶାର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳର ମା ମାନେ ବହୁତ ଭଲ କାମ କରୁଛନ୍ତି ଓ ଆଗକୁ ଏହିପରି କାମ ଜାରି ରଖିବେ ବୋଲି ସେ ଆଶାପ୍ରକାଶ କରିଥିଲେ । ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।