36.1 C
Bhubaneswar
Saturday, May 11, 2024
Homeଓଡିଶାମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା କରିବାର ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ଧର୍ମେନ୍ଦ୍ର...

ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା କରିବାର ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

• ଦୀର୍ଘ ୨୨ ବର୍ଷରେ ପଦ୍ମପୁରକୁ ଜିଲ୍ଲା କରିପାରିଲେ ନାହିଁ, ୨୦୨୩ରେ ଜିଲ୍ଲା ଗଠନ କରିବା କଥା କହି ପଦ୍ମପୁରବାସୀଙ୍କୁ ଠକୁଛନ୍ତି
• ୧୯୯୩ରେ ପଦ୍ମପୁରକୁ ଜିଲ୍ଲା କରାଇ ଦେଇନଥିବା ଲୋକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ
• ଓଡିଶାର ରାଜସ୍ୱ ମନ୍ତ୍ରୀ ନୂତନ ଜିଲ୍ଲା ଗଠନ କରିବାର ଯୋଜନା ନଥିବା ବିଧାନସଭାରେ କହିଛନ୍ତି, ପଦ୍ମପୁରର ନୀରିହ ଜନତାଙ୍କ ଆଗରେ ମୁଖ୍ୟମନ୍ତ୍ରୀ କଣ ପାଇଁ ଅସତ୍ୟ କହିଲେ?, ଭୋଟ୍ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ମିଛ କହିଛନ୍ତି, ଭୋଟସର୍ବସ୍ୱ ରାଜନୀତି କରୁଛନ୍ତି
• ମୁଖ୍ୟମନ୍ତ୍ରୀ ପାଇକମାଲକୁ ଏନଏସି କରିବାର କଥା କହୁଥିବା ବେଳେ ୨୨ ବର୍ଷ କଣ କରୁଥିଲେ ?
• କେନ୍ଦ୍ର ରେଳମନ୍ତ୍ରୀଙ୍କୁ ରେଳ ଷ୍ଟେସନର ପ୍ରଶ୍ନ ପଚାରୁଥିବା ମୁଖ୍ୟମନ୍ତ୍ରୀ ନିଜେ ଏ ବିଷୟରେ ଅନଭିଜ୍ଞ ଅଛନ୍ତି, ରାଜ୍ୟ ସରକାରଙ୍କ ସଂସ୍ଥା ଓଆଇଆରଡିଏଲ ପଦ୍ମପୁରରେ ରେଳ ଲାଇନର ଦାୟିତ୍ୱ ନେଇଛି, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓଆଇଆରଡିଏଲ କମ୍ପାନୀର ଚେୟାରମ୍ୟାନ, କେଉଁ କେଉଁ ସ୍ଥାନ ଦେଇ ରେଳ ଲାଇନ ଯିବ ସେ ଏହାର ଉତ୍ତର ରଖିଲେ ଭଲ ହୁଅନ୍ତା
• ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ, ଆଜି ସନ୍ଧ୍ୟାରେ କୁହନ୍ତୁ, ଆବାସ ପ୍ଲସ ପୋର୍ଟାଲ ଖୋଲିବା ପରେ କାହିଁକି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଲେ ନାହିଁ ?
• ମୁଖ୍ୟମନ୍ତ୍ରୀ ଠିକରେ ହିସାବ ନ ଦେଇ କେନ୍ଦୁପତ୍ରରେ ୧୮% ଜିଏସଟି ଲାଗିବା କଥା କହୁଛନ୍ତି, ରାଜ୍ୟର ଅର୍ଥମନ୍ତ୍ରୀ ଜିଏସଟି କାଉନସିଲରେ କାହିଁକି ଏହି ପ୍ରସଙ୍ଗ ଉଠାଇନାହାନ୍ତି ? ମୁଖ୍ୟମନ୍ତ୍ରୀ ଭୁଲିଗଲେ, ୧୮% ଜିଏସଟିରୁ ୯% ଓଡିଶାର ରାଜସ୍ୱକୁ ଆସୁଛି
• ସିଏଜି ରିପୋର୍ଟରେ ବିଜୁସେତୁ ଯୋଜନାର ହଜାର କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି
• ୨ ହଜାର ମସିହାରେ ନିଯୁକ୍ତି ପାଇଥିବା ରାଜ୍ୟର ୧ ଲକ୍ଷ ଶିକ୍ଷକଙ୍କ ୬ ବର୍ଷ ସିନିୟରଟି କୁଆଡେ ଗଲା ?, ମୁଖ୍ୟମନ୍ତ୍ରୀଙ୍କ ନୀତି ଓଡ଼ିଶାକୁ ଅନ୍ଧକାର ଆଡକୁ ନେବ
• ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କିନ୍ତୁ କାମରେ ବିଶ୍ୱାସ କରିବା କଥା କହୁଛନ୍ତି, ସୋହେଲାରେ ନିଜେ ଧାନ କ୍ୱିଣ୍ଟାଲ ପିଛା ଅତିରିକ୍ତ ୧୦୦ ଟଙ୍କା ବୋନସ ପ୍ରତିଶ୍ରୁତି କୁଆଡେ ଗଲା ?

ପଦ୍ମପୁର/ବରଗଡ଼ : ଭୋଟ୍ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ମିଛ ଓ ଅସତ୍ୟ କଥା କହୁଛନ୍ତି । ପଦ୍ମପୁରକୁ ଜିଲ୍ଲା କରିବାର ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯେଉଁମାନେ ଦୀର୍ଘ ୨୨ ବର୍ଷରେ ପଦ୍ମପୁରକୁ ଜିଲ୍ଲା କରିପାରିଲେ ନାହିଁ, ସେମାନେ ୨୦୨୩ରେ ଜିଲ୍ଲା ଗଠନ କରିବା କଥା କହି ପଦ୍ମପୁରବାସୀଙ୍କୁ ଠକୁଛନ୍ତି ବୋଲି ଶନିବାର ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ ବ୍ଲକର ଜଗଦଲପୁର ଓ ପଦ୍ମପୁର ଠାରେ ଅନୁଷ୍ଠିତ ବିଶାଳ ଜନସଭା ଓ ରୋଡ ଶୋ’ରେ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୨ ବର୍ଷ ହେବ ରାଜ୍ୟର ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗତକାଲି ପଦ୍ମପୁରରେ ଅନେକ କିଛି କରିବାର ମିଛ ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୯ରେ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ପଦ୍ମପୁରକୁ ଜିଲ୍ଲା କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ମାତ୍ର ଗତକାଲି ୨୦୨୩ରେ ପଦ୍ମପୁରକୁ ଜିଲ୍ଲା କରିବା କଥା କହିଛନ୍ତି । ୧୯୯୩ ମସିହାରେ ଜିଲ୍ଲା ଗଠନ ବେଳେ ପଦ୍ମପୁରକୁ ଜିଲ୍ଲା କରାଇ ଦେଇନଥିବା ଲୋକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ । ଗତ ୧ ତାରିଖରେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ବର୍ତ୍ତମାନ ରାଜ୍ୟରେ ନୂତନ ଜିଲ୍ଲା ଗଠନ କରିବାର ଯୋଜନା ନାହିଁ ବୋଲି ପବିତ୍ର ବିଧାନସଭା ଗୃହରେ କହିଛନ୍ତି । ତେଣୁ ପଦ୍ମପୁରର ନୀରିହ ଲୋକଙ୍କ ଆଗରେ ମୁଖ୍ୟମନ୍ତ୍ରୀ ଅସତ୍ୟ କହିଲେ ? ମୁଖ୍ୟମନ୍ତ୍ରୀ ପାଇକମାଲକୁ ଏନଏସି କରିବାର କଥା କହୁଥିବା ବେଳେ ୨୨ ବର୍ଷ କଣ କରୁଥିଲେ ? ମୁଖ୍ୟମନ୍ତ୍ରୀ ଝାରବନ୍ଧରେ ସିଏସି, ଜଳସେଚନ ପ୍ରକଳ୍ପ ବନାଇବା କଥା କହୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଭୁଲି ଯାଉଛନ୍ତି ସେ ୨୨ ବର୍ଷ ଧରି ଶାସନ କ୍ଷମତାରେ ଅଛନ୍ତି । ଭୋଟ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଛ କହିବାକୁ ପଛାଉନାହାନ୍ତି । ମୁଖ୍ୟମନ୍ତ୍ରୀ ଭୋଟସର୍ବସ୍ୱ ରାଜନୀତି କରୁଛନ୍ତି । ଦୀର୍ଘ ୨୨ ବର୍ଷ ଧରି କ୍ଷମତାରେ ରହିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ୍ମପୁରର ଆକାଂକ୍ଷା, ସ୍ୱାଭିମାନକୁ ପରିହାସ କରିବା ଶୋଭନୀୟ ନୁହେଁ ।

ମୁଖ୍ୟମନ୍ତ୍ରୀ ପଦ୍ମପୁରରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ କେଉଁଠି କେଉଁଠି ରେଳ ଷ୍ଟେସନ ହେବାର ପ୍ରଶ୍ନ ପଚାରୁଛନ୍ତି । କିନ୍ତୁ ଏ ବିଷୟରେ ସେ ଅନଭିଜ୍ଞ ଅଛନ୍ତି । ପଦ୍ମପୁରରେ ନିଜେ ରେଳ ଲାଇନ କରିବାର ମିଛ ହୋର୍ଡିଙ୍ଗ୍ ଲଗାଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରଶ୍ନରେ କେନ୍ଦ୍ର ରେଳ ମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ ରାଜ୍ୟ ସରକାରଙ୍କ ସଂସ୍ଥା ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ଓଆଇଆରଡିଏଲ)କୁ ରେଳ ଲାଇନର କାମ ଦିଆଯାଇଛି । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏହି କମ୍ପାନୀର ଚେୟାରମ୍ୟାନ । ତେଣୁ କେଉଁ କେଉଁ ସ୍ଥାନ ଦେଇ ରେଳ ଲାଇନ ଯିବ ସେ ଏହାର ଉତ୍ତର ରଖିଲେ ଭଲ ହୁଅନ୍ତା । ଭୋଟ ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀମାନେ ଅସତ୍ୟ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ, ଆଜି ସନ୍ଧ୍ୟାରେ କୁହନ୍ତୁ, ଆବାସ ପ୍ଲସ ପୋର୍ଟାଲ ଖୋଲିବା ପରେ କାହିଁକି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଲେ ନାହିଁ ? କାହିଁକି ବରଗଡ ସମେତ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାକୁ ଗୋଟିଏ ବି ଘର ଆବଣ୍ଟନ କରାଯାଇନାହିଁ ? ବିଜେପି ସାଂସଦ ମାନଙ୍କ ବିରୋଧ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଠକାମୀ ଧରାପଡିଛି ।

ମୁଖ୍ୟମନ୍ତ୍ରୀ ଏକଚାଟିଆ ଶାସନ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଖ୍ୟମନ୍ତ୍ରୀ ଠିକରେ ହିସାବ ନ ଦେଇ କେନ୍ଦୁପତ୍ରରେ ୧୮% ଜିଏସଟି ଲାଗିବା କଥା କହୁଛନ୍ତି । ରାଜ୍ୟର ଅର୍ଥମନ୍ତ୍ରୀ ଜିଏସଟି କାଉନସିଲରେ ଦିନେ ବି ଏହି ପ୍ରସଙ୍ଗ ଉଠାଇନାହାନ୍ତି । ମୁଖ୍ୟମନ୍ତ୍ରୀ ଭୁଲିଗଲେ, ସେହି ୧୮% ଜିଏସଟିରୁ ୯% ଓଡିଶାର ରାଜସ୍ୱକୁ ଆସୁଛି । ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ବିଜେପୁର ଓ ହିଞ୍ଜିଳିକାଟୁରେ ପ୍ରାର୍ଥୀ ହୋଇଥିଲେ । ଏହା ସତ୍ତ୍ୱେ ଏହି ଅଞ୍ଚଳରୁ ଯୁବକ ମାନେ ତାମିଲନାଡୁ, ଆନ୍ଧ୍ର, ବାଙ୍ଗାଲୁରୁ ଓ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଛନ୍ତି । ୨୦୧୯ରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବା ପାଇଁ ଆସିଥିଲେ । କିନ୍ତୁ ଲୋକଙ୍କ ବିଶ୍ୱାସରେ ବିଷ ଦେଲେ ।

ମୁଖ୍ୟମନ୍ତ୍ରୀଙ୍କ କଥାକୁ ଲୋକମାନେ ଓ ପଦ୍ମପୁରବାସୀମାନେ ଆଉ ବିଶ୍ୱାସ କରିବେ ନାହିଁ । ପୂର୍ବରୁ ଓଡିଶାକୁ ରେଳ ବଜେଟରେ ବାର୍ଷିକ ୮୩୮ କୋଟି ଟଙ୍କା ଆସୁଥିବା ବେଳେ ମୋଦି ସରକାରରେ ରେଳବାଇ କ୍ଷେତ୍ରରେ ହାରାହାରି ୧୦,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଅନୁଦାନ ଆସୁଛି । ତ୍ରୟୋଦଶ ଅର୍ଥ କମିଶନରେ ଓଡ଼ିଶାର ୬୭,୩୧୬ କୋଟି ପାଇଥିବା ବେଳେ ଏବେ ପଞ୍ଚଦଶ ଅର୍ଥ କମିଶନରେ ୨ ଲକ୍ଷ ୨୨ ହଜାର କୋଟି ଟଙ୍କା ଆସିଛି । ପୂର୍ବରୁ ଓଡ଼ିଶାକୁ ଏନଡିଆରଏଫ ଫଣ୍ଡରେ ବାର୍ଷିକ ୧ ହଜାର କୋଟି ଟଙ୍କା ମିଳୁନଥିଲା ମାତ୍ର ଏବେ ମୋଦି ସରକାରରେ ୪ ହଜାର ୪୨୪ କୋଟି ଟଙ୍କା ମିଳୁଛି । ଏସଡିଆରଏଫରେ ପୂର୍ବରୁ ୧୨୮୩ କୋଟି ଟଙ୍କା ମିଳୁଥିବା ବେଳେ ଓଡ଼ିଶାକୁ ୪,୧୩୦ କୋଟି ଟଙ୍କା ମିଳିଛି । ମୁଖ୍ୟମନ୍ତ୍ରୀ ପୁଞ୍ଜିପତି ମାନଙ୍କୁ ଶାଗ ମାଛ ଦରରେ ଓଡିଶାର ଖଣି ସମ୍ପତ୍ତିକୁ ଟେକି ଦେଉଥିଲେ ।

କିନ୍ତୁ ମୋଦି ସରକାରରେ ଡିଏମଏଫରେ ୧୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଛି । ଜଙ୍ଗଲ ସୃଷ୍ଟି କରିବା ପାଇଁ କାମ୍ପା ଫଣ୍ଡରେ ୬ ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ଏହି ଅର୍ଥର ହରିଲୁଟ କରିଛନ୍ତି । ଗତକାଲି ସିଏଜି ରିପୋର୍ଟରେ ବିଜୁ ସେତୁ ଯୋଜନାର ହଜାର ହଜାର କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କିନ୍ତୁ କାମରେ ବିଶ୍ୱାସ କରିବା କଥା କହୁଛନ୍ତି । ସୋହେଲାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଧାନ କ୍ୱିଣ୍ଟାଲ ପିଛା ଅତିରିକ୍ତ ୧୦୦ ଟଙ୍କା ବୋନସ କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଓଡିଶାର ଭବିଷ୍ୟତ ଓଡ଼ିଶାର ପିଲା ମାନେ । ରାଜ୍ୟର ୭୫ ଲକ୍ଷ ପିଲା ସ୍କୁଲରେ ପାଠ ପଢୁଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶାରୁ ଠିକା ନିଯୁକ୍ତି ଉଠାଇଦେବା କଥା କହୁଛନ୍ତି । ରାଜ୍ୟ ସରକାର ଠିକା ବ୍ୟବସ୍ଥା କାହିଁକି ରଖିଥିଲେ ? ରାଜ୍ୟର ୧ ଲକ୍ଷ ଶିକ୍ଷକ ୨ ହଜାର ମସିହାରେ ନିଯୁକ୍ତି ପାଇଥିଲେ ତେବେ ତାଙ୍କ ୬ ବର୍ଷ ସିନିୟରଟି କୁଆଡେ ଗଲା ? ମୁଖ୍ୟମନ୍ତ୍ରୀଙ୍କ ନୀତି ଓଡ଼ିଶାକୁ ଅନ୍ଧକାର ଆଡକୁ ନେବ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ମାଆ ଭଉଣୀ ମାନଙ୍କୁ ପରିହାସ କରୁଛନ୍ତି ।

ବିଗତ ୩ ବର୍ଷରେ ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ଓ ଧର୍ଷଣ ମାମଲା ବଢି ବଢି ଚାଲିଥିବା ବିଧାନସଭା ତଥ୍ୟ କହୁଛି । ତଥାପି ମୁଖ୍ୟମନ୍ତ୍ରୀ କହୁଛନ୍ତି ମୁଁ କଥାରେ ନୁହେ, କାମରେ ବିଶ୍ୱାସ କରେ । ବିଜେପୁରରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ କହିଥିବା କାମର ଗୋଟିଏ କାମ ହୋଇନାହିଁ । କେନ୍ଦ୍ରରୁ ପର୍ଯ୍ୟାପ୍ତ ଅର୍ଥ ଆସିଲା ପରେ ବି ରାଜ୍ୟ ସରକାର ସେହି ଅର୍ଥ ଖର୍ଚ୍ଚ ନକରିବା କାରଣରୁ କେନ୍ଦ୍ରକୁ ସେହି ଅର୍ଥ ଫେରିଯାଉଛି । ରାଜ୍ୟରେ ସର୍ବମୋଟ ୧ ଲକ୍ଷ କୋଟି ଟଙ୍କା ଋଣ ଭାର ହୋଇଥିବା ବେଳେ ମୁଣ୍ଡ ପିଛା ୨୫ ହଜାର ଟଙ୍କା ଋଣ ହୋଇଥିବା ଅର୍ଥମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟର ବାହାନା ଦେଖାଇ ଓବିସି ମାନଙ୍କୁ ତାଙ୍କ ହକ୍ ଓ ଅଧିକାରରୁ ବଞ୍ଚିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଦଳିତ, ଜନଜାତି, ପଛୁଆ ଜାତି ବିରୋଧୀ । ମୁଖ୍ୟମନ୍ତ୍ରୀ ବିଗତ ୨ ବର୍ଷ ହେବ ବିଧାନସଭାରୁ ଛୁଟି ନେଇ ବସିଥିଲେ । ଭାରତୀୟ ଜନତା ପାର୍ଟିର ପଦ୍ମପୁରର ନୈତିକ ବିଜୟ ହେଲା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଜାତନ୍ତ୍ର ଦରବାରକୁ ଆସିବା ପାଇଁ ପଡିଲା ଓ ନସ୍ତମସ୍ତକ ହେବା ପାଇଁ ପଡିଲା । ଚାଷୀ, ଦଳିତ, ପଛୁଆ ତଥା ସବୁ ବର୍ଗଙ୍କ ସ୍ୱର ହେଉଛନ୍ତି ବିଜେପି ପ୍ରଦୀପ ପୁରୋହିତ । ତେଣୁ ତାଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ପଦ୍ମପୁରର ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking