ନୂଆଦିଲ୍ଲୀ: କେରଳରେ କ୍ରମାନ୍ୱୟ ଭାବେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ସୁପ୍ରିମ୍କୋର୍ଟ ଗମ୍ଭୀର ଭାବେ ଚିନ୍ତା ପ୍ରକଟ କରିଛନ୍ତି। କଡ଼ା ଆଭିମୁଖ୍ୟ ଗ୍ରହଣ କରି ଚଳିତ ୬ ତାରିଖରୁ ଅଫ୍ଲାଇନ୍ ମାଧ୍ୟମରେ ଆରମ୍ଭ ହେବାକୁ ଥିବା ଏକାଦଶ ଶ୍ରେଣୀ ପରୀକ୍ଷା ଉପରେ ରୋକ୍ ଲାଗୁ କରିଛନ୍ତି । କୋମଳମତି ଶିଶୁମାନଙ୍କୁ ଭାଇରସ୍ ସଂସ୍ପର୍ଶରେ ଆସିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । କେରଳରେ ପରିସ୍ଥିତି ବିପଦଜନକ ରହିଛି । ଦେଶର ୭୦% ମାମଲାର କେରଳରୁ ଆସିଛି । ଦୈନିକ ପାଖାପାଖି ୩୫ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ପିଲାମାନଙ୍କୁ ଭାଇରସ୍ ସଂସ୍ପର୍ଶରେ ଆସିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ନ୍ୟାୟମୂର୍ତ୍ତୀ ଏଏମ୍ ଖାନିକର୍, ହୃଷିକେଶ ରାୟ ତଥା ସିଟି ରବିକୁମାରଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ନିଜ ରାୟରେ ସ୍ପଷ୍ଟ କରିଛନ୍ତି । ଏହି ମାମଲାର ଆଗାମୀ ଶୁଣାଣି ୧୩ ତାରିଖକୁ ହେବ ବୋଲି ଜଣାପଡ଼ିଛି । କରୋନା ଯୋଗୁଁ ଜୀବନ ହାରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ନିର୍ଦ୍ଦେଶାବଳୀ ଜାରି କରିବାରେ ଅହେତୁକ ବିଳମ୍ବ ହେଉଛି । ଏହାକୁ ନେଇ ଆଜି ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ ଯେ ନ୍ୟାୟମୂର୍ତ୍ତୀ ଏମ୍ ଶାହ ତଥା ଅନିରୁଦ୍ଧ ବୋସଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ସେପ୍ଟେମ୍ବର ୧୧ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଜବାବ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବହୁ ପୂର୍ବରୁ ଆଦେଶ ଜାରି କରାଯାଇଥିଲା, ଇତିମଧ୍ୟରେ ନିର୍ଦ୍ଦେଶାବଳୀ ଦାଖଲ କରିବାର ଅନ୍ତିମ ତାରିଖକୁ ବୃଦ୍ଧି କରାଯାଇଛି । ନିର୍ଦ୍ଦେଶାବଳୀ ଜାରି କରିବା ପୂର୍ବରୁ ଦେଶରେ ତୃତୀୟ ଲହର ସମାପ୍ତ ହୋଇସାରିଥିବ ବୋଲି ସୁପ୍ରିମ୍କୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି । ମୃତ୍ୟୁର ସଠିକ୍ କାରଣ କୋଭିଡ୍ ଯୋଗୁଁ ମୃତ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବା ନେଇ ସୁପ୍ରିମ୍କୋର୍ଟ ଆଦେଶ ଦେଇଥିଲେ । ଯାହାଦ୍ୱାରା ମୃତକଙ୍କ ଉପରେ ନିର୍ଭରଶୀଳ ପରିବାରକୁ ସକ୍ଷମ କରାଯାଇପାରିବ । ସେମାନଙ୍କୁ ସରକାରଙ୍କ କଲ୍ୟାଣକାରୀ ଯୋଜନାରେ ଲାଭ ଯୋଗାଇ ଦିଆଯାଇପାରିବ ।