ବେଙ୍ଗାଲୁରୁ: ପ୍ରେମ ଜାଲରେ ଫସିଲେ କର୍ଣ୍ଣାଟକର ଜଣେ ବ୍ୟାଙ୍କ ମ୍ୟାନେଜର । ଡେଟ୍ କରୁଥିବା ମହିଳାଙ୍କୁ ଅର୍ଥ ଦେବା ଲାଗି ନିଜ ବ୍ୟାଙ୍କର ଗ୍ରାହକଙ୍କ ଆକାଉଣ୍ଟରୁ ୬ କୋଟି ଟଙ୍କା ଋଣ ନେଇଛନ୍ତି । ତେବେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି । ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ୪ ମାସ ପୂର୍ବରୁ ଏକ ଡେଟିଂ ଆପ୍ରେ ଆକାଉଣ୍ଟ ଖୋଲିଥିଲେ । ଏହା ଜରିଆରେ ମହିଳାଙ୍କୁ ଭେଟିଥିଲେ । ଏହାପରେ ସେ ମହିଳାଙ୍କ ସହ ବାର୍ତ୍ତାଳାପ କରି ତାଙ୍କ କଥାରେ ବିମୋହିତ ହୋଇଥିଲେ । ମହିଳା ଜଣକ ପ୍ରଥମେ ହରିଶଙ୍କରଙ୍କୁ ୧୨ ଲକ୍ଷ ଟଙ୍କା ମାଗିଥିଲା । ଏହି ଅର୍ଥ ଦେବା ପରେ ସେ ପୁଣି ମୋଟା ଅଙ୍କର ଟଙ୍କା ମାଗିଥିଲା । ତେବେ ଏହି ୬ କୋଟି ଟଙ୍କା ଦେବା ଲାଗି ହରିଶଙ୍କର ଗ୍ରାହକଙ୍କ ଆକାଉଣ୍ଟରୁ ଋଣ କରିଥିଲେ । ଏହି ଠକେଇ ଗତ ମେ ୧୩ରୁ ୧୯ ତାରିଖ ମଧ୍ୟରେ ହୋଇଥିବାବେଳେ, ୬ କୋଟି ଟଙ୍କା ହଡ଼ପ ପରେ ଘଟଣା ସାମନାକୁ ଆସିଥିଲା । ଏହାପରେ ପୋଲିସ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି । ପଚରା ଉଚୁରା ସମୟରେ ବ୍ୟାଙ୍କ ମ୍ୟାନେଜର ଜଣକ ଡେଟିଂ ସମୟରେ ସୂଚନା ଦେଇଥିଲେ । ବୁଧବାର ଶଙ୍କରକୁ କୋର୍ଟ ଚାଲାଣ କରାଯାଇଥିବାବେଳେ, ପୋଲିସ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିଛି ।