ଭୁବନେଶ୍ୱର: ଯେଉଁ ସ୍ଥାନରେ ସଂକ୍ରମଣ ବଢ଼ିବ ସେଠାରେ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଜି କୋଭିଡ୍ ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଥିବା ଆଲୋଚନା ସମୟରେ ଏଭଳି ନିଷ୍ପତ୍ତି ହୋଇଛି । ଭୁବନେଶ୍ୱରରେ ବିଏମ୍ସି ପକ୍ଷରୁ ଯେଉଁଭଳି ଭାବରେ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ବ୍ୟବସ୍ଥା ଆରମ୍ଭ ହୋଇଛି, ଠିକ୍ ସେହିଭଳି ଯେଉଁ କ୍ଲଷ୍ଟରରେ ସଂକ୍ରମଣ ବଢ଼ିବ, ସେଠାରେ କଣ୍ଟେନ୍ମେଣ୍ଟ ଜୋନ୍ ବ୍ୟବସ୍ଥା କରାଯିବ । ଗତ ଦୁଇ ମାସରୁ ଅଧିକ ସମୟ ହେଲାଣି ଭୁବନେଶ୍ୱରରେ ସଂକ୍ରମଣ କମୁନାହିଁ । ତେଣୁ ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ଠାରୁ ଭିଡ଼ ରୋକିବା ଓ କରୋନା କଟକଣା ନିୟମ ଭାଙ୍ଗୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି ।
କେନ୍ଦ୍ର ସରକାର ରାଜ୍ୟରେ ଅଧିକ ମାତ୍ରାରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବା ଲାଗି ପରାମର୍ଶ ଦେଇଛନ୍ତି । ସେହିପରି ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଦେବାକୁ ଗୁରୁତ୍ୱ ଦିଆଯିବ । ସର୍ଭେଲାନ୍ସକୁ ଅଧିକ ମାତ୍ରାରେ ବଢ଼ାଯିବ । ପୂଜା ସମୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମଣ ବଢୁଛି ତାହାର ଦୈନିକ ଅନୁଶୀଳନ କରାଯିବ । ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲଗୁଡ଼ିକରେ ସବୁ ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣା ମାନିବାରେ ଟିକେ ବ୍ୟତିକ୍ରମ ହେଲେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ଅଛି । ଏଣୁ କଡ଼ାକଡ଼ି ନିୟମ ପାଳନ ଉପରେ ଅଧିକ ଫୋକସ ରହିଛି । ଭିଡ଼କୁ ଏଡେଇବା ପାଇଁ ଅଧିକାରୀଙ୍କୁ କୁହାଯାଇଛି ।