35.1 C
Bhubaneswar
Monday, June 17, 2024
Homeଓଡିଶାସାରା ଦେଶରେ କୋଇଲାର ଘୋର ଅଭାବ : ଠପ୍ ହୋଇଯିବ ବିଦ୍ୟୁତ୍‌!

ସାରା ଦେଶରେ କୋଇଲାର ଘୋର ଅଭାବ : ଠପ୍ ହୋଇଯିବ ବିଦ୍ୟୁତ୍‌!

ଭୁବନେଶ୍ୱର: ଭାରତରେ ମୋଟ ୧୩୫ଟି ତାପଜ ବିଦ୍ୟୁତ୍ ପ୍ଲାଣ୍ଟ୍ ରହିଛି । ଯାହା କି ଦେଶର ମୋଟ ବିଦ୍ୟୁତ୍ ଖର୍ଚ୍ଚର ୭୦% ଯୋଗାଏ । ମାତ୍ର, ଏସବୁ ତାପଜ ବିଦ୍ୟୁତ୍ ପ୍ଲାଣ୍ଟରେ ବର୍ତ୍ତମାନ କୋଇଲାର ଘୋର ଅଭାବ ପରିଲକ୍ଷିତ ହୋଇଛି । ପରିସ୍ଥିତି ଏପରି ଯେ କିଛି ପ୍ଲାଣ୍ଟ ନିକଟରେ ମାତ୍ର ୩ ରୁ ୪ ଦିନ ଯାଏ କାମ ଚଳାଇବାକୁ କୋଇଲା ଗଚ୍ଛିତ ରହିଛି । ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ସାରା ଦେଶରେ ବିଦ୍ୟୁତ୍ ଯୋଗାଣରେ ଅନିୟମିତତା ଉପୁଜିବ ବୋଲି ରାଜ୍ୟମାନେ କେନ୍ଦ୍ର ସରକାରଙ୍କୁ ଚେତାଇଲେଣି । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ତଥ୍ୟ ମୁତାବକ ଚଳିତ ବର୍ଷ ଅଗଷ୍ଟରେ ସାରା ଦେଶରେ ୧୨୪ ବିଲିୟନ୍ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର ହୋଇଛି ।  ଅଗଷ୍ଟ, ୨୦୧୯ର ତଥ୍ୟ ତୁଳନାରେ ଏହା ୨୦% ଅଧିକ । ସେତେବେଳେ ସାରା ଦେଶରେ ୧୦୬ ବିଲିୟନ୍ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ ହୋଇଥିଲା ।

କୋଭିଡ୍ ସମୟରେ ଲୋକମାନେ ଅଧିକ ସମୟ ଘରେ ରହୁଥିବା ହେତୁ ଘରର ଫ୍ୟାନ୍‌, ଲାଇଟ୍‌, ଚାର୍ଜିଂ, ଟିଭି, କମ୍ପ୍ୟୁଟର ଇଦ୍ୟାଦିର ବ୍ୟବହାର ବହୁତ ବଢ଼ିଯାଇଛି । ବିଶେଷ କରି ‘ୱର୍କ ଫ୍ରମ୍ ହୋମ୍‌’ ବ୍ୟବସ୍ଥାର ବହୁଳ ପ୍ରଚଳନ ଏବେ ଦେଶବ୍ୟାପୀ ଅନେକ କମ୍ପାନୀ ଆରମ୍ଭ କରିଛନ୍ତି । କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଏହି ପ୍ରକ୍ରିୟାଟି ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ଅନେକ ସଂସ୍ଥା ଏହାକୁ ଜାରି ରଖିବାକୁ ପସନ୍ଦ କରୁଛନ୍ତି । ଯାହା ବିଦ୍ୟୁତ୍ ଖର୍ଚ୍ଚ ବଢ଼ିବାର ଏକ ପ୍ରମୁଖ କାରଣ । ଏହାଛଡ଼ା ଜାତୀୟ ରାଜଧାନୀ ଦିଲ୍ଲୀରେ ମାଗଣାରେ ୫୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ସୁବିଧା ମିଳୁଥିବାରୁ ଲୋକେ ବହୁଳ ପରିମାଣରେ ବୈଦ୍ୟୁତିକ ଯନ୍ତ୍ରାଂଶ ଘରମାନଙ୍କରେ ବ୍ୟବହାର କରିଥାନ୍ତି । ଏବେ କୋଇଲା ଅଭାବ ହେତୁ ଦିଲ୍ଲୀରେ ଭୟଙ୍କର ସମସ୍ୟା ଉପୁଜିବାକୁ ଯାଉଛି ।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିବା ସହ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି । କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ଘଟିବା ସାରା ବିଶ୍ୱରେ ଶିଳ୍ପ ସଂସ୍ଥା ପୁଣିଥରେ ସକ୍ରିୟ ହୋଇଛନ୍ତି । ଏପରି ସ୍ଥଳେ ଅନ୍ତର୍ଜାତୀୟ ବଜାରରେ କୋଇଲା ପାଇଁ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଛି । ବିବିସିର ଏକ ରିପୋର୍ଟ ମୁତାବକ ଅନ୍ତର୍ଜଜାତୀୟ ବଜାରରେ କୋଇଲାର ମୂଲ୍ୟରେ ପ୍ରାୟ ୪୦% ବୃଦ୍ଧି ଘଟିଛି । ଯେଉଁଥିପାଇଁ ଭାରତ ସବୁଠୁ ବେଶୀ ପ୍ରଭାବିତ ହୋଇଛି । କୋଇଲା ବ୍ୟବହାରରେ ଭାରତ ସାରା ବିଶ୍ୱରେ ଦୁଇ ନମ୍ବର ଏବଂ କୋଇଲା ଆମଦାନୀରେ ମଧ୍ୟ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ।

ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଭଳି ରାଷ୍ଟ୍ରରୁ ମୁଖ୍ୟତଃ ଭାରତ ସରକାର କୋଇଲା ଆମଦାନୀ କରିଥାନ୍ତି । ମାତ୍ର, ଅର୍ନ୍ତଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ହେତୁ ଦୁଇ ବର୍ଷ ମଧ୍ୟରେ ଭାରତର କୋଇଲା ଆମଦାନୀ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏଣୁ ବର୍ତ୍ତମାନ ଘରୋଇ କୋଇଲା ଉତ୍ପାଦନ ଉପରେ ଦେଶ ବେଶୀ ନିର୍ଭର କରୁଛି । ମାତ୍ର, ଘରୋଇ କୋଇଲା ଉତ୍ପାଦନ ହ୍ରାସ ପାଇଥିବାରୁ ବର୍ତ୍ତମାନ ତାହା ଚାହିଦା ମେଣ୍ଟାଇବାକୁ ସକ୍ଷମ ହେଉନାହିଁ । କେନ୍ଦ୍ର ଶକ୍ତି ସଚିବ ଅନିଲ କୁମାର ଜୈନଙ୍କ କହିବାନୁଯାୟୀ ବିଭିନ୍ନ ତାପଜ ବିଦ୍ୟୁତ୍ ପ୍ଲାଣ୍ଟକୁ ବର୍ତ୍ତମାନ କୋଇଲା ଯୋଗାଣ ପରିମାଣ ହ୍ରାସ କରାଯାଇ ଦୈନିକ ୬୦ ହଜାରରୁ ୮୦ ହଜାର ଟନ୍ ମଧ୍ୟରେ ପ୍ରଦାନ ହେଉଛି । ଅନ୍ୟପଟେ ଶକ୍ତିମନ୍ତ୍ରୀ ଆରକେ ସିଂ କହିଛନ୍ତି ଯେ ଏହି ସମସ୍ୟା ୫ ରୁ ୬ ମାସ ଯାଏ ଲାଗି ରହିବ ।

ମାତ୍ର, ବିଦ୍ୟୁତ୍ ଯୋଗାଣରେ କୌଣସି ଅସୁବିଧା ହେବନାହିଁ । ବିଭିନ୍ନ କୋଇଲା ଖଣି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ କୋଇଲା ଉତ୍ତୋଳନ ବାଧାପ୍ରାପ୍ତ ହୋଇଥିବା ସରକାର ସଫେଇ ଦେଇଛନ୍ତି । ସାରା ଦେଶ ଭଳି ଓଡ଼ିଶାରେ ମଧ୍ୟ କୋଇଲାର ଅଭାବ ଦେଖିବାକୁ ମିଳୁଛି । ଏହି ଅଭାବକୁ ଦୂର କରିବା ଲାଗି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ୟୁସିସିଆଇ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି । ୟୁସିସିଆଇ ପକ୍ଷରୁ ଚିଠିରେ ଲେଖାଯାଇଛି ଯେ ଦେଶର ୨୫% କୋଇଲା ଓଡ଼ିଶାରେ ଗଚ୍ଛିତ ଅଛି । ଓଡ଼ିଶାରେ ଥିବା କୋଇଲା ଖଣିଗୁଡ଼ିକରୁ ଏମ୍‌ସିଏଲ୍ ବାର୍ଷିକ ପ୍ରାୟ ୧୫୦ ନିୟୁତ ଟନ୍ କୋଇଲା ଉତ୍ପାଦନ କରୁଛି ।

ମାତ୍ର, ଏଥିମଧ୍ୟରୁ ୬୫% କୋଇଲା ରାଜ୍ୟ ବାହାରକୁ ପଠାଯାଉଛି । ତେଣୁ ରାଜ୍ୟରେ ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକ କୋଇଲା ଅଭାବ ସମସ୍ୟା ଦେଇ ଗତି କରୁଛନ୍ତି । ରାଜ୍ୟରେ ୧୫ ହଜାର ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ରହିଛି । ପ୍ରତିବର୍ଷ ଏହି ପ୍ଲାଣ୍ଟଗୁଡ଼ିକୁ ୭୫ରୁ ୮୦ ନିୟୁତ ଟନ୍ କୋଇଲା ଦରକାର । ଏହି ଆବଶ୍ୟକତା ପୂରଣ କରିବାକୁ ହେଲେ ରାଜ୍ୟରୁ ମୋଟ ଉତ୍ପାଦିତ ହେଉଥିବା କୋଇଲାର ୫୦% ଦରକାର । ମାତ୍ର, ଏବେ ଉତ୍ପାଦନର ୩୫% କୋଇଲା ମିଳୁଛି । ଏଣୁ ରାଜ୍ୟର ଆବଶ୍ୟକତା ପୂରଣ ନହେବା ପର୍ଯ୍ୟନ୍ତ ବାହାର ରାଜ୍ୟକୁ କୋଇଲା ପଠାନଯାଉ ବୋଲି ୟୁସିସିଆଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking