29.1 C
Bhubaneswar
Thursday, April 25, 2024
Homeଓଡିଶାବର୍ଷାରେ ଭିଜିବ ଦଶହରା

ବର୍ଷାରେ ଭିଜିବ ଦଶହରା

ଭୁବନେଶ୍ୱର:  ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ଅଞ୍ଚଳରେ ଉକ୍ତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ରପତ୍ତନ ଠାରୁ ୩.୧ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି । ଉକ୍ତ ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଆସନ୍ତା ୪ରୁ ୫ ଦିନ ଭିତରେ ଏହି ଲଘୁଚାପ ସମୁଦ୍ର ଭିତରେ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇପାରେ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବାବେଳେ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୁଖ୍ୟତଃ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଭିନ୍ନ ଘରୋଇ ସଂସ୍ଥାର ଏଭଳି ଆକଳନକୁ ନେଇ ବର୍ତ୍ତମାନ ନା ନା ଚର୍ଚ୍ଚା ଲାଗିରହିଥିବାବେଳେ ବର୍ଷାରେ ଦଶହରା ଭିଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ସୂଚନା ମୂତାବକ, ବର୍ତ୍ତମାନ ଦକ୍ଷିଣ ଚୀନ୍ ସାଗରରେ ବାତ୍ୟା ‘ଲାୟନ୍ ରକ୍‌’ ସ୍ଥଳଭାଗ ଆଡ଼କୁ ଗତି କରୁଛି । କ୍ରମଶଃ ୨ଟି ସ୍ଥାନରେ ଏହା ସ୍ଥଳଭାଗ ଛୁଇଁବା ପରେ ତା’ର ଅବଶିଷ୍ଟାଂଶ ମିଆଁମାର ତଥା ବଙ୍ଗୋପସାଗରରେ ପ୍ରବେଶ କରିବ । ଏହା ବର୍ତ୍ତମାନ ଜାରି ଥିବା ଘୁର୍ଣ୍ଣିବଳୟ ସହ ମିଶି ୪ରୁ ୫ ଦିନ ସମୂଦ୍ରରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଯଦି ପାଗ ଅନୁକୂଳ ରୁହେ ତେବେ ଆସନ୍ତା ୧୭ ତାରିଖ ବେଳକୁ ଏହା ଆନ୍ଧ୍ର ଶ୍ରୀକାକୁଲମଠାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପକ୍ଷରୁ ପ୍ରକାଶ ପାଇଛି । ଲଘୁଚାପ ଗତିଶୀଳ ହେବା ପରେ ସ୍ପଷ୍ଟ ତଥ୍ୟ ମିଳିପାରିବ ।

ମୌସୁମୀ ଅପସରଣ ପ୍ରକ୍ରିୟା ଜାରିଥିବାରୁ ବାତ୍ୟା ସୃଷ୍ଟି ନେଇ ପାଗ ଅନୁକୂଳ ରହୁଥିବା ସ୍କାଏମେଟ୍ ପ୍ରକାଶ କରିଛି । ସେପଟେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦେଶର ଅଧିକାଂଶ ଭାଗରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ହୋଇଯାଇଥିବ । କିନ୍ତୁ ଆସନ୍ତା ଦୁଇଦିନରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆଉ କିଛିଦିନ ବିଳମ୍ବିତ ହୋଇପାରେ । ସ୍କାଏମେଟର ଆକଳନ ଅନୁସାରେ ଆସନ୍ତା ୨୪ରୁ ୪୮ ଘଣ୍ଟାରେ ମୌସୁମୀ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼, ଗୁଜୁରାଟ ଓ ମଧ୍ୟପ୍ରଦେଶର ଅଧିକାଂଶ ଭାଗରୁ ପ୍ରତ୍ୟାହୃତ ହୋଇଯିବ ।

ପରବର୍ତ୍ତୀ ଦୁଇଦିନରେ ଏହା ପଶ୍ଚିମବଙ୍ଗ, ଓଡ଼ିଶାର କିଛି ଅଂଶ ଓ ମହାରାଷ୍ଟ୍ରରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ମୌସୁମୀର ପ୍ରତ୍ୟାବର୍ତ୍ତନକୁ ପ୍ରଭାବିତ କରିବ, ଫଳରେ ଓଡ଼ିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆଉ କିଛିଦିନ ବିଳମ୍ବିତ ହୋଇପାରେ ବୋଲି ସ୍କାଏମେଟ୍ କହିଛି । କିନ୍ତୁ ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାର କିଛି ଅଂଶରୁ ମୌସୁମୀ ବିଦାୟ ନେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି ।

ପାଣିପାଗ ବିଜ୍ଞାନୀଙ୍କ ମତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଭାବେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମଝିରୁ ଭାରତରୁ ବିଦାୟ ନେବା ଆରମ୍ଭ କରିଥାଏ । ଏହାପରେ ଦିଲ୍ଲୀର ପବନ ପ୍ରବାହରେ ପରିବର୍ତ୍ତନ ଆସିଥାଏ । ହେଲେ ଚଳିତବର୍ଷ ଅକ୍ଟୋବର ୬ ତାରିଖଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବା ଆରମ୍ଭ କରିଛି । ଧୀରେ ଧୀରେ ଏହା ରାଜସ୍ଥାନର ପଶ୍ଚିମାଞ୍ଚଳ ଓ ଗୁଜୁରାଟ ଦେଇ ଫେରିଥିବା ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍‌ଡି) ସୂଚନା ଦେଇଛି । ୧୯୬୦ ପରେ ୨୦୨୧ ବର୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ୱିତୀୟଥର ପାଇଁ ବିଳମ୍ବରେ ବିଦାୟ ନେଉଥିବା ତଥ୍ୟରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking