ନୂଆଦିଲ୍ଲୀ: ‘ଦିଲ୍ଲୀ ଚଲୋ’ ଅଭିଯାନରେ ବାହାରି ରାଜରାସ୍ତାରେ ଗର୍ଜୁଛନ୍ତି ଚାଷୀ । ତୃତୀୟ ଦିନରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି । ପଞ୍ଜାବ ହରିୟାଣା ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗରେ ଜାରି ରହିଛି ‘ଦିଲ୍ଲୀ ଚଲୋ’ ଅଭିଯାନ । ଅନ୍ୟପକ୍ଷରେ ଆଜି ଚାଷୀ ନେତାମାନେ କେନ୍ଦ୍ର ସହ ତୃତୀୟ ପର୍ୟ୍ୟାୟ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ତେବେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀମାନେ ଆଜି ରେଳରୋକ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଦିଲ୍ଲୀରୁ ବହୁ ସଂଖ୍ୟାରେ ଟ୍ରେନ୍ ପଞ୍ଜାବ ଓ ଜମ୍ମୁ-କାଶ୍ମୀରକୁ ଯାତ୍ରା କରିଥାଏ । ତେଣୁ ଆନ୍ଦୋଳନର ତୃତୀୟ ଦିନରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଫଳରେ ଲକ୍ଷ ଲକ୍ଷ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେବା ନେଇ ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ଯାତ୍ରୀଙ୍କୁ ସତର୍କ କରାଇଛନ୍ତି ରେଳବାଇ ଅଧିକାରୀ । ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ, ଆନ୍ଦୋଳନର ତୃତୀୟ ଦିନରେ ରେଳରୋକ କରୁଛନ୍ତି କୃଷକ ସଂଗଠନ । ହେଲେ ସେମାନେ କେଉଁ କେଉଁ ସ୍ଥାନରେ ରେଳ ରୋକ କରିବେ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ଆନ୍ଦୋଳନ କରାଯିବାକୁ ଥିବା ସ୍ଥାନ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିଥାନ୍ତା ତେବେ ହୁଏତ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥାନ୍ତା । ହେଲେ ସେପରି ହୋଇପାରୁ ନଥିବାରୁ ଯାତ୍ରୀମାନେ ଅସୁବିଧାରେ ପଡିପାରନ୍ତି ।