ଭୁବନେଶ୍ୱର: ଜାତୀୟ ଶିକ୍ଷାନିତୀ ଏବଂ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ଭୁଲ୍ଭଟକାକୁ ନେଇ ଆଜି ରାଜରାସ୍ତାକୁ ଓଲ୍ଲାଇଛି ବିଜୁ ଜନତା ଦଳ । ରାୟଗଡ଼ା ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଆଜି ଶତାଧିକ କର୍ମୀ କପିଳାସ ଛକଠାରେ ଏକତ୍ରିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ବିରୋଧରେ ତୀବ୍ର ପ୍ରତିବାଦ କରିଛନ୍ତି । ପରେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି ।
ବିଜେଡି ଅଭିଯୋଗ କରିଛି ଯେ, ପିଲାମାନଙ୍କ ପାଠ୍ୟପୁସ୍ତକରେ ୨ ହଜାରରୁ ଉର୍ଦ୍ଧ୍ୱ ଭୁଲ୍ ବାହାରିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ସଦୃଶ। ଏପରି ସାଂଘାତିକ ବ୍ୟତିକ୍ରମ ପାଇଁ କିଏ ଦାୟୀ ବୋଲି ଜିଲ୍ଲା ବିଜେଡି ପ୍ରଶ୍ନ କରିଛି। ଏହାସହ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ମଧ୍ୟ ଦଳ ସରକାରଙ୍କୁ ଘେରିଛି । ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ଘଟଣାରେ ନିରାଶ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି ।ପ୍ରତିବାଦ ସ୍ୱରୂପ ବିଜେଡି କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ କୁଶପୁଳିକା ଦାହ କରିଛନ୍ତି । ଏହି ଅରାଜକତା ପାଇଁ ଉଭୟ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଉ ବୋଲି ଦଳ ଦାବି କରିଛି । ରାୟଗଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲ୍ଲାର ଅନେକ ବରିଷ୍ଠ ନେତା ଓ ଶତାଧିକ କର୍ମୀ ଉପସ୍ଥିତ ରହି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।










