ଖଡ଼ିଆଳ : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ପଞ୍ଚାୟତର ଦାଦନ ଶ୍ରମିକ ହୋଇ ଯାଇଥିବା ମନୋଜ ହିଆଲଙ୍କ ଗତ ତିନିଦିନ ତଳେ ତେଲେଙ୍ଗାନରେ ମୃତ୍ୟୁ ହୋଇ ଯାଇଥିଲା ଆଜି ତାଙ୍କର ମୃତ ଖଡ଼ିଆଳ ପହଞ୍ଚିଛି । ସୂଚନା ଅନୁଯାୟୀ, ମୃତ ମନୋଜ ହିଆଲ (୩୪) ଗତ କିଛିଦିନ ତଳେ ଗ୍ରାମର କେତେକ ସାଙ୍ଗମାନଙ୍କ ସହିତ ତେଲେଙ୍ଗାନାର ଭାବରପଟନମ ପିତୁଳା ଅଞ୍ଚଳରେ ମାଲିକ ଭେଙ୍କଟସଙ୍କ ନିକଟରେ କାମ କରୁଥିଲେ । ମାଲିକ ଭେଙ୍କଟସଙ୍କ ସହ ବାର୍ଷିକ ୬୦,୦୦୦ (ଷାଠିଏ ହଜାର ) ଟଙ୍କାରେ ଚୁକ୍ତି ହୋଇଥିଲା କିନ୍ତୁ ମାଲିକ ସେଠାରେ ଯିବାପରେ ଟଙ୍କା ନଦେଇ କାମରେ ନିୟୋଜିତ କରିଥିଲେ । କାମ କରୁଥିବା ବେଳେ ମନୋଜ ହିଆଲଙ୍କ ଦେହ ଖରାପ ହୋଇ ଯାଇଥିଲା । କିନ୍ତୁ ମାଲିକ ଠିକ ସମୟରେ ଚିକିତ୍ସା କଲେ ନାହିଁ ଫଳରେ ଶୁକ୍ରବାର ଦିନ ମନୋଜଙ୍କ ମୃତ୍ୟୁ ହୋଇଯାଇଥିଲା । ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ କଲେ କିନ୍ତୁ ଖଡ଼ିଆଳ ଥାନାରେ ଏତଲା ଗ୍ରହଣ କରିନଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଫଳରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ମନୋଜଙ୍କ ମୃତ ଦେହ ଖଡ଼ିଆଳ ପହଞ୍ଚିଲା ପରେ ନୂଆପଡା ଜିଲ୍ଲା ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡି ଓ ଶତାଧିକ ଦଳିତ କର୍ମ କର୍ତ୍ତା, ମୃତ ମନୋଜଙ୍କ ପରିବାର ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଖଡ଼ିଆଳ ଥାନା ସମ୍ମୁଖରେ ଶବ ରଖି ଧାରଣାରେ ବସିଥିଲେ । ଛଅ ଦଫା ଦାବି ପତ୍ର ଖଡ଼ିଆଳ ଆଇଆଇସିଙ୍କ ଜରିଆରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଖବର ଲେଖା ହେବ ପର୍ଯ୍ୟନ୍ତ ଖଡ଼ିଆଳ ଆଇ ଆଇ ସି କୈଳାଶ ଚନ୍ଦ୍ର ସେଠୀ ଓ ଦଳିତ ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଓ ସଦସ୍ୟ ସମସ୍ୟାର ସମାଧାନ ନିମନ୍ତେ କଥାବାର୍ତ୍ତା ଚାଲିଥିଲା ।