ଡିଇଓଙ୍କ କ୍ୱାର୍ଟର୍ସରେ ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣା: ଅଧିକ ଚାପ କାରଣରୁ ଆତ୍ମହତ୍ୟା

କୋରାପୁଟ : ଦଶମନ୍ତପୁର ବ୍ଲକ ଚିକାମ୍ୱା ପ୍ରାଥମିକ ସ୍କୁଲର ଚିତ୍ତ ପଣ୍ଡା ଡିଇଓଙ୍କ କାର୍ଯ୍ୟାଳୟରେ ଡେପୁଟେସନରେ ନିୟୋଜିତ ହୋଇଥିଲେ । ସବୁଦିନ ପରି ସେଦିନ ମଧ୍ୟ ଡିଇଓଙ୍କ କାର୍ଯ୍ୟାଳୟକୁ ଆସି କାମ କରୁଥିଲେ । ତେବେ ଡିଇଓ ପ୍ରମୋଦ କିଶୋର ପଣ୍ଡା ଅଫିସିଆଲ୍ ଟୋରରେ ବୈପାରିଗୁଡ଼ା ଯାଇଥିଲେ । ଆଉ ଗଲା ବେଳେ ନିଜ କ୍ୱାର୍ଟର୍ସର ଚାବି ଚିତ୍ତଙ୍କୁ ଦେଇଥିଲେ । ଅଫିସ ଟାଇମ୍ ହୋଇଥିଲେ ମଧ୍ୟ ଚିତ୍ତଙ୍କ ଦେଖା ମିଳିଥିଲା । ତେଣୁ ସାଥୀ କର୍ମଚାରୀମାନେ ତାଙ୍କୁ ଫୋନ୍ କରିଥିଲେ । ମାତ୍ର ସେ ଫୋନ୍ ଗ୍ରହଣ କରିନଥିଲେ । ପରେ ଚିତ୍ତଙ୍କୁ ଡିଇଓଙ୍କ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଆଉ କ୍ୱାର୍ଟର୍ସର କବାଟ ଭିତର ପାର୍ଶ୍ୱରୁ ବନ୍ଦ ରହିଥିଲା । ଝରକା ପାର୍ଶ୍ୱରୁ ଦେଖି ସାଥୀ କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ତେବେ ସେ କେଉଁ କାରଣରୁ ଝୁଲି ପଡିଥିଲେ ତାହାର କାରଣ ଜଣାପଡିଛି ।
ସୂଚନା ଅନୁସାରେ, ଅଫିସର କିଛି ଲୋକ ବାରମ୍ବାର ହଇରାଣ କରୁଥିଲେ । ବାହାରର କେତେ ଜଣ ବ୍ଲାକମେଲ ବି କରୁଥିଲେ । ତେଣୁ ପ୍ରବଳ ମାନସିକ ଚାପରେ ଥିଲେ ଶିକ୍ଷକ । ଚାପ ସହି ନ ପାରି ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ଅଭିଯୋଗ ଆଣିଛନ୍ତି ପରିବାର । ଅନ୍ୟପଟେ, ମୃତ ଶିକ୍ଷକଙ୍କ ସୁସାଇଡାଲ ନୋଟକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି । ଗତକାଲି ମଧ୍ୟାହ୍ନରେ ତାଙ୍କ ମୃତଦେହ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରମୋଦ କୁମାର ପଣ୍ଡାଙ୍କ ବାସଭବନରୁ ମିଳିଥିଲା । ତାଙ୍କ ପକେଟରୁ ଏକ ସୁଇସାଇଡ ନୋଟ ମିଳିବା ପରେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କୁହାଯାଉଛି । ଏହି ସୁଇସାଇଡ ନୋଟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏଥିରେ ସେ ତାଙ୍କ ମୃତ୍ୟୁ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟ ଓ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ସେହିପରି ଦୁଇଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ନାମ ମଧ୍ୟ ଚିଠିରେ ରହିଛି । ଏନେଇ କୋରାପୁଟ ଏସଡିପିଓ ବଳଭଦ୍ର ଦୀପ କହିଛନ୍ତି ଯେ, ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି ।