37.1 C
Bhubaneswar
Friday, May 17, 2024
Homeଓଡିଶାଆନ୍ଧ୍ରର ପୋଖରୀ ଖନନକୁ ବନ୍ଦକଲେ ତହସିଲଦାର 

ଆନ୍ଧ୍ରର ପୋଖରୀ ଖନନକୁ ବନ୍ଦକଲେ ତହସିଲଦାର 

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଚମ୍ପାପୁର ଗ୍ରାମ ନିକଟରେ ଆନ୍ଧ୍ରପ୍ରଦେଶ ସରକାର ମନେରଗା ଯୋଜନାରେ ପୁନର୍ବାର ପୋଖରୀ ଖନନ କାର୍ଯ୍ୟ ଚାଲୁରଖିଛନ୍ତି । ଗଜପତି ଜିଲ୍ଲା ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ୱେ ଅଧିକାରୀଙ୍କ ଅନୁପସ୍ଥିତ ସମୟରେ ଆନ୍ଧ୍ର ତରଫରୁ କାର୍ଯ୍ୟ କରାଯାଉଛି । ସୂଚନା ପାଇବା ପରେ ରାୟଗଡ଼ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଁଚି ପୋଖରୀ ଖୋଳାକୁ ବନ୍ଦ କରିଛନ୍ତି । ଭବିଷ୍ୟତରେ ଯଦି ପୋଖରୀ ଖନନ କାର୍ଯ୍ୟ ଜାରିରହେ ତେବେ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ପୋଲିସ କେସ୍ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତହସିଲ୍‌ଦାରଙ୍କ ସହିତ ରାୟଗଡ ବିଡିଓ ରାଜା ରଞ୍ଜିତ ବଳ, ସହକାରୀ ବରିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ, ଜିରାଙ୍ଗ ରାଜସ୍ୱ ନିରୀକ୍ଷକ ଶଶି ପଟ୍ଟନାୟକ, ଅମିନ ଧ୍ରୁବଚରଣ ନାୟକ, ନାରାୟଣ ମହାରଣା ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

ସୂଚନା ଅନୁଯାୟୀ, ବହୁ ବର୍ଷ ପୂର୍ବେ ଉକ୍ତ ଅଞ୍ଚଳର ଚାଷଜମିକୁ ଜଳସେଚିତ କରିବାକୁ ଚେକ୍ ଡ୍ୟାମ ଓ କେନାଲ ନିର୍ମାଣ କରାଯାଇଛି । ଶହ ଶହ ହେକ୍ଟର ଜମିକୁ ଜଳ ଯୋଗାଇବାକୁ ବ୍ୟବସ୍ଥା ହୋଇଛି । ତେବେ ପ୍ରତିବର୍ଷ ବର୍ଷାଋତୁ ପୂର୍ବରୁ ଡ୍ୟାମ ସହ କେନାଲ ମରାମତିର ଆବଶ୍ୟକତା ରହିଛି । ବିଡମ୍ବନାର ବିଷୟ ଯେ, ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ବେଳେ ଅନେକ ସମୟରେ ଉକ୍ତ ଅଞ୍ଚଳର ଚାଷୀ ମିଳିତ ଭାବେ ମରାମତି କାର୍ଯ୍ୟ କରୁଥିବା ବେଳେ ବିଭାଗର ନିଷ୍କ୍ରିୟତାକୁ ଦେଖି ଆନ୍ଧ୍ର ପ୍ରଶାସନ ଏଠି ହସ୍ତକ୍ଷେପ କରୁଛି । ଆନ୍ଧ୍ରରୁ ଶ୍ରମିକ ଆଣି ଆରମ୍ଭ କରିଛି ମରାମତି କାର୍ଯ୍ୟ । ଉଭୟ ଆନ୍ଧ୍ର ଓ ଓଡିଶାର ଚାଷଜମିରେ ପାଣି ମାଡୁଥିବାରୁ ଓଡିଶାର ଚାଷୀ ଏହାକୁ ବିରୋଧ କରୁ ନଥିଲେ ମଧ୍ୟ ନିଜ ରାଜ୍ୟର ନିଷ୍କ୍ରିୟତାକୁ ସମାଲୋଚନା କରିଛନ୍ତି ଅଞ୍ଚଳର ଚାଷୀ । ଏଠାରେ ବହୁ ଅର୍ଥ ବ୍ୟୟରେ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ନିର୍ମାଣ କରାଯାଇଛି । ପମ୍ପ ହାଉସ୍ ସହ ବିଦ୍ୟୁତ ଟ୍ରାନ୍ସଫର୍ମର ପାଇପ ବସାଯାଇଛି । ଉପରମୁଣ୍ଡର ଜମିକୁ ଜଳସେଚନ ପାଇଁ କରାଯାଇଛି ବ୍ୟବସ୍ଥା । କିନ୍ତୁ ଗତ ତିତ୍‌ଲି ବାତ୍ୟାରେ କ୍ଷତିଗ୍ରସ୍ତ ହେବା ପରେ ଆଉ ମରାମତି ହୋଇପାରିନି । ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ଚାଷ କାମରେ ବ୍ୟାଘାତ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking