ଅହମ୍ମଦାବାଦ: ପ୍ରତି ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ୧୨ ଜଣିଆ ବିଶ୍ୱକପ୍ ଦଳ ଘୋଷଣା କରାଯାଏ । ୧୧ ଜଣ ଖେଳାଳିଙ୍କୁ ଚୂଡାନ୍ତ ରଖାଯାଇଥିବା ବେଳେ ଦ୍ୱାଦଶ ଖେଳାଳି ଜଣେ ରହିଥାନ୍ତି । ଏହି କ୍ରମରେ ୨୦୨୩ କ୍ରିକେଟ୍ ବିଶ୍ୱକପ୍ ପାଇଁ ଆଇସିସ ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରିଛି । ଏହି ଦଳରେ ରନର୍ସଅପ୍ ଭାରତୀୟ କ୍ରିକେଟ୍ ଦଳର ଛଅ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ରହିଛି ଯେ, ପ୍ଲେୟାର ଅଫ୍ ଦି ଫାଇନାଲ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ଙ୍କୁ ଦଳରେ ସାମିଲ କରାଯାଇନାହିଁ । ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇବା ପୂର୍ବରୁ ଭାରତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିଲା ।
ଭାରତୀୟ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନକୁ ଆଧାର କରି ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମିଙ୍କୁ ଚୂଡାନ୍ତ ଏକାଦଶ ଦଳରେ ସାମିଲ କରାଯାଇଛି । ଭାରତୀୟ କ୍ରିକେଟରଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ୍, ନ୍ୟୁଜିଲାଣ୍ଡର ଡାରିଲ୍ ମିଚେଲ୍, ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ସ୍ପିନର ଆଦାମ ଜାମ୍ପାଙ୍କ ସହ ଶ୍ରୀଲଙ୍କା ଦ୍ରୁତ ବୋଲର ଦିଲ୍ଶାନ ମଧୁଶଙ୍କାଙ୍କୁ ବିଶ୍ୱକପ୍ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଥିବା ବେଳେ ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୋଜିଙ୍କୁ ଦ୍ୱାଦଶ ଖେଳାଳି ଭାବେ ରଖାଯାଇଛି ।
ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ଟିମ୍ ଅଫ ଦ ଟୁର୍ଣ୍ଣାମେଣ୍ଟର ବ୍ୟାଟିଂ ଅର୍ଡରକୁ ଲକ୍ଷ୍ୟ କଲେ କ୍ୱିଣ୍ଟନ୍ ଡି କକ୍ଙ୍କ ସହ ରେହିତ ଶର୍ମା ଓପନିଂରେ ରହିଛନ୍ତି । ତନିନମ୍ବର ସ୍ଥାନରେ ବିରାଟ କୋହଲି ରହିଥିବା ବେଳେ ନମ୍ବର ଫୋର ପାଇଁ ଡାରେଲ ମିଚେଲଙ୍କୁ ଚୟନ କରାଯାଇଛି । ପଞ୍ଚମ ସ୍ଥାନରେ ଲୋକେଶ ରାହୁଲ, ଷଷ୍ଠରେ ମାକ୍ସୱେଲ, ସପ୍ତମରେ ରବୀନ୍ଦ୍ର ଜାଡେଜା, ଅଷ୍ଟମରେ ବୁମରା, ନବମରେ ମଦୁଶଙ୍କା, ଦଶମରେ ଜାମ୍ପା ଓ ଅନ୍ତିିମ ସ୍ଥାନ ପାଇଁ ଶମୀଙ୍କୁ ନିଆଯାଇଛି ।