ଟି-୨୦ ବିଶ୍ୱକପ୍ : ବିଜୟରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ଅଭିଯାନ

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍‌ର ରାଉଣ୍ଡ୍‌-୧୨ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି । ଗୋଟିଏ ପଟେ ଅଷ୍ଟ୍ରେଲିଆ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସାଉଥ୍ ଆଫ୍ରିକାକୁ ୫ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟ୍‌ଇଣ୍ଡିଜ୍‌କୁ ୬ ୱିକେଟ୍‌ରେ ପରାସ୍ତ କରିଛି । ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଟିମ୍ ଅତି ଶୋଚନୀୟ ପ୍ରଦର୍ଶନ ପୂର୍ବକ ମାତ୍ର ୫୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିବା ବେଳେ ଇଂଲଣ୍ଡ ଏକ ସହଜସାଧ୍ୟ ବିଜୟ ହାସଲ କରିଛି ।

ସାଉଥ୍ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ଫିଲ୍‌ଡିଂ ନେଇଥିଲା । ସାଉଥ୍ ଆଫ୍ରିକା ତ୍ୱରିତ ବେଗରେ ରନ୍ ସଂଗ୍ରହ କରି ନ ପାରିବା ସହ ନିୟମିତ ଭାବେ ୱିକେଟ୍‌ମାନ ହରାଇ ଚାଲିବା ଫଳରେ ଦଳୀୟ ସ୍କୋର୍ ୯ ୱିକେଟ୍ ବିନିମୟରେ ୧୧୮ରେ ସୀମିତ ରହିଥିଲା । ଦଳ ପକ୍ଷରୁ ଆଇଡେନ୍ ମାର୍କରାମ୍ ୩୬ଟି ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ସହ ୪୦ ରନ୍‌ର ଇନିଂସ ଖେଳି ଦଳୀୟ ସ୍କୋର୍‌କୁ ଶହେ ଅତିକ୍ରମ କରାଇଥିଲେ । ଏହାଛଡ଼ା ଡେଭିଡ୍ ମିଲର୍ ୧୬, ହେନରିକ୍ କ୍ଲାସେନ୍ ୨ଟି ଚୌକା ସହ ୧୩ ଏବଂ ଓପନର ତଥା ଅଧିନାୟକ ଟେମ୍ବା ବାଭୁମା ୨ଟି ଚୌକା ମାଧ୍ୟମରେ ୧୨ ରନ୍ କରିଥିଲେ । ଶେଷ ଭାଗରେ କାଗିସୋ ରବାଡା ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୯ ରନ୍ କରି ଅପରାଜିତ ଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ୍ ହେଜଲଉଡ୍ ମାତ୍ର ୧୯ ରନ୍‌ରେ ୨ଟି ଏବଂ ମିଚେଲ୍ ଷ୍ଟାର୍କ ଓ ଆଡାମ୍ ଜାମ୍ପା ଯଥାକ୍ରମେ ୩୨ ଓ ୨୧ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ ।

୧୧୯ ରନ୍‌ର ବିଜୟ ଲକ୍ଷ୍ୟ ପାଇଁ ଅଷ୍ଟ୍ରେଲିଆକୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା । ବିଶେକେରି ଅଧିନାୟକ ଆରୋନ୍ ଫିଞ୍ଚ୍ ପ୍ରଥମ ଓଭର୍‌ରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଫଳରେ ସାଉଥ୍ ଆଫ୍ରିକାର ଆଶା ବଢ଼ିଯାଇଥିଲା । ପରେ ଅନ୍ୟତମ ଓପନର ଡେଭିଡ୍ ୱାର୍ଣ୍ଣର୍ ୩ଟି ଚୌକା ସହ ୧୪ ଓ ମିଚେଲ୍ ମାର୍ଶ ଗୋଟିଏ ଚୌକା ସହ ୧୧ ରନ୍ କରି ଆଉଟ୍ ହେବା ଫଳରେ ଦଳୀୟ ସ୍କୋର୍ ୩୮/୩ ରହିଥିଲା । ଏହି ସମୟରେ ଷ୍ଟିଭେନ୍ ସ୍ମିଥ୍ ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ମଧ୍ୟରେ ୪୨ ରନର ଭାଗୀଦାରୀ ହେବା ଫଳରେ ଅଷ୍ଟ୍ରେଲିଆ ବିଜୟ ନିକଟତର ହୋଇଥିଲା । ସ୍ମିଥ୍ ୩ଟି ଚୌକା ସହ ୩୫ ରନ୍ କରିଥିବା ବେଳେ ମାର୍କରାମଙ୍କ ଏକ ଚିତ୍ତାକର୍ଷକ କ୍ୟାଚ୍‌ରେ ପ୍ୟାଭିଲିଅନ୍ ଫେରିଥିଲେ । ପରେ ପରେ ମ୍ୟାକ୍ସୱେଲ୍ ଗୋଟିଏ ଚୌକା ସହ ୧୮ ରନ୍ କରି ରିଭର୍ସ ସୁଇପ୍ ଖେଳି ଆଉଟ୍ ହୋଇଥିଲେ । ତେବେ ଅଲ୍‌ରାଉଣ୍ଡର୍ ମାର୍କସ୍ ଷ୍ଟୋଇନିସ୍ ୩ଟି ଚୌକା ସହ ୨୪ ଓ ମାଥ୍ୟୁ ୱେଡ୍ ୨ଟି ଚୌକା ସହ ୧୫ ରନ୍ କରିବା ସହ ଅବିଭାଜିତ ୪୦ ରନ୍ ଯୋଡ଼ି ଦଳକୁ ଦୁଇଟି ବଲ୍ ଓ ୫ଟି ୱିକେଟ୍ ବାକି ଥିବା ବେଳେ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ ଆନରିଚ୍ ନୋର୍ଜେ ୨ଟି, ରବାଡା, କେଶବ ମହାରାଜ ଓ ତବରେଜ୍ ଶାମସି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ମିତବ୍ୟୟୀ ବୋଲିଂ ସହ ୨ଟି ୱିକେଟ୍ ନେଇଥିବା ହେଜଲଉଡ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

ଦୁବାଇରେ ଖେଳାଯାଇଥିବା ମୁକାବିଲାରେ ଟସ୍ ହାରି ବ୍ୟାଟିଂ ପାଇଥିବା ଇଣ୍ଡିଜ୍ ୧୪.୨ ଓଭର୍‌ରେ ୫୫ ରନ୍ କରିପାରିଥିଲା । ଦଳର ୧୦ ଜଣ ବ୍ୟାଟ୍ସମ୍ୟାନ୍ ଏକ ଅଙ୍କ ବିଶିଷ୍ଟ୍ ସ୍କୋରରେ ସୀମିତ ରହିଥିବା ବେଳେ କେବଳ କ୍ରିସ୍ ଗେଲ୍ ୩ଟି ଚୌକା ସହ ୧୩ ରନ୍ କରି ଦୁଇ ଅଙ୍କରେ ପହଞ୍ଚିଥିଲେ । ଇଣ୍ଡିଜ୍ ଦଳର ବ୍ୟାଟିଂ ବିପର୍ଯ୍ୟୟରେ ସ୍ପିନର୍ ଆଦିଲ୍ ରଶିଦ୍ ମୁଖ୍ୟ ଭୂମିକା ନେଇଥିଲେ । ସେ ୨.୨ ଓଭର୍‌ରେ ମାତ୍ର ୨ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ଏହାଛଡ଼ା ମୋଇନ୍ ଅଲୀ ଓ ଟାଇମାଲ୍ ମିଲ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସହଜସାଧ୍ୟ ୫୬ ରନ୍‌ର ବିଜୟ ଲକ୍ଷ୍ୟ ପାଇଁ ଇଂଲଣ୍ଡକୁ ୪ଟି ୱିକେଟ୍ ହରାଇବାକୁ ପଡ଼ିଥିଲା । ଓପନର ଜେସନ୍ ରୟ ଗୋଟିଏ ଛକା ସହ ୧୧, ଜନ୍ନି ବେୟାର୍‌ଷ୍ଟୋ ୨ଟି ଚୌକା ସହ ୯, ମୋଇନ୍ ୩ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୧ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟତମ ଓପନର ଜୋସ୍ ବଟଲର୍ ୩ଟି ଚୌକା ସହ ୨୪ ଓ ଅଧିନାୟକ ଇଅନ୍ ମୋର୍ଗାନ୍ ଗୋଟିଏ ଚୌକା ସହ ୭ ରନ୍ କରି ଅପରାଜିତ ରହିବା ସହ ଦଳକୁ ୮.୨ ଓଭର୍‌ରେ ବିଜୟୀ କରାଇଥିଲେ । ସ୍ପିନର୍ ରଶିଦ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here