ନୂଆଦିଲ୍ଲୀ: ଯୌତୁକର ପରିଭାଷା ବିସ୍ତୃତ ହେବା ଜରୁରୀ । ନବବଧୂର ପରିବାରଙ୍କ ନିକଟରେ ଦାବି କରାଯାଉଥିବା ପ୍ରତ୍ୟେକ ଜିନିଷ ଯୌତୁକ ପରିଧିରେ ଆସିବା ଆବଶ୍ୟକ । ଦାବି ଜମି ହେଉ ଅବା ସୁନା, ବାହନ ହେଉ ଅବା ଆସବାବପତ୍ର । ଏପରିକି ଘର ତୋଳିବା ପାଇଁ ଅର୍ଥର ଦାବି ମଧ୍ୟ ଯୌତୁକ ପରିଧିରେ ଅର୍ଥାତ୍ ଯୌତୁକ ଦାବି ବୋଲି ବିବେଚନା କରାଯିବ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଏସ.ଆର୍. ବୋପନ୍ନା ଓ ହିମା କୋହଲୀଙ୍କୁ ନେଇ ଗଠିତ ପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଯଦି ଆଇନ୍ର କୌଣସି ପରିଭାଷା ଆଇନ୍ର ଅସଲ ଉଦ୍ଦେଶ୍ୟକୁ ପୂରଣ କରୁନାହିଁ, ତେବେ ଏପରି ଆଇନ୍କୁ ବଦଳେଇଦେବା ଦରକାର । ଏପରି ପରିଭାଷା ତଥା ଆଇନ୍ ସ୍ଥାପିତ କରିବା ଦରକାର, ପ୍ରୋତ୍ସାହିତ କରିବା ଦରକାର, ଯେପରି କି ଆଇନ୍ର ଅସଲ ଉଦ୍ଦେଶ୍ୟ ପୂରଣ ହେବ । ଯୌତୁକ ବିରୋଧୀ ଆଇନ୍ କ୍ଷେତ୍ରରେ ଏହା ପ୍ରମୁଖତାର ସହିତ ଲାଗୁ ହେବା ଦରକାର ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । ଯୌତୁକ ରୂପକ ରାକ୍ଷସ ତଥା କୂରୀତି ଆମ ସମାଜରେ ଗଭୀର ଭାବେ ଆସ୍ଥାନ ଜମାଇ ସାରିଛି । ଭାରତୀୟ ଦଣ୍ଡ ବିଧାନ ଧାରା ୩୦୪-ଖ ଜନିତ ମାମଲାର ବିଚାର କରିବା ସମୟରେ ଆଇନ୍ ପ୍ରାବଧାନର ନିର୍ଦ୍ଧାରିତ ଭାଷାକୁ ବିଶ୍ଲେଷଣ କରିବା ପରିବର୍ତ୍ତେ ଏହାର ବିସ୍ତାରିତ ପକ୍ଷ ଆଧାରରେ ବିଚାର କରିବାକୁ ପୀଠ ଆହ୍ୱାନ ଦେଇଛନ୍ତି । ପୂର୍ବ ସ୍ଥାପିତ ସଙ୍କୁଚିତ ବିଚାର ଧ।।ରାରେ ଆଇନ୍ର ଅସଲ ଉଦ୍ଦେଶ୍ୟ ସମ୍ପନ୍ନ ହେବାରେ ବାଧା ଉପୁଜିପାରେ । ସୁପ୍ରିମ୍କୋର୍ଟ ଆଇନ୍ର ବିସ୍ତୃତ ପରିଭାଷାର ବ୍ୟାଖ୍ୟା କରି ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ମହିଳାଙ୍କ ପତି ଓ ଶ୍ୱଶୁରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିବା ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଥିଲେ କି ଆତ୍ମହତ୍ୟା କରିଥିବା ମହିଳା ଶ୍ୱଶୁରଘର ପକ୍ଷର ଘର ତିଆରି କରିବା ପାଇଁ ମାତୃପକ୍ଷରୁ ସ୍ୱେଚ୍ଛାକୃତ ଭାବେ ଅର୍ଥ ଦାବି କରୁଥିଲେ । ଏହାକୁ ଯୌତୁକ ଦାବି ଭାବେ ବିବେଚନା କରାଯାଇ ପାରିବ ନାହିଁ ।