32.1 C
Bhubaneswar
Monday, May 20, 2024
Homeକରୋନାକୋଭିଡ୍ ଯୋଗୁଁ ବଢ଼ିଛି ମାନସିକ ରୋଗୀଙ୍କ ସଂଖ୍ୟା

କୋଭିଡ୍ ଯୋଗୁଁ ବଢ଼ିଛି ମାନସିକ ରୋଗୀଙ୍କ ସଂଖ୍ୟା

ବ୍ରହ୍ମପୁର: ଗତ ଦୁଇ ବର୍ଷ ଧରି କରୋନା ସଂକ୍ରମଣ ଯୋଗୁଁ ଅନେକ ବ୍ୟକ୍ତିଙ୍କ ଅକାଳରେ ମୃତ୍ୟୁ ହୋଇଛି । ବ୍ୟବସାୟିକ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି । ସମ୍ପ୍ରତି କରୋନାର ତୃତୀୟ ଲହରୀ ବେଳେ ଏଭଳି ସ୍ଥିତି ନଥିଲେ ମଧ୍ୟ ଗତ ଥର କୋଭିଡ୍ ଯୋଗୁଁ ବିଭିନ୍ନ ବୟସର ଅନେକ ବ୍ୟକ୍ତି ହଠାତ୍ ମୃତ୍ୟୁବରଣ କରିଛନ୍ତି । ଏହି କାରଣ ଯୋଗୁଁ ସମାଜରେ ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସେମାନଙ୍କୁ ମାନସିକ ଚାପରୁ ମୁକ୍ତି ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶାରୀରିକ ଚିକିତ୍ସା ସହିତ ମାନସିକ ଚିକିତ୍ସା ମଧ୍ୟ ପ୍ରଦାନ କରାଯାଇଛି । ସେଥିରେ ପ୍ରମୁଖ ଭୁମିକା ନିର୍ବାହ କରିଛି ଏମ୍‌କେସିଜିର ମାନସିକ ରୋଗ ବିଭାଗ ଏବଂ ଡ୍ରଗ ଡି ଆଡିକ୍ସନ ସେଣ୍ଟର । କାରଣ ମାନସିକ ଚାପଗ୍ରସ୍ତଙ୍କୁ ମାନସିକ ରୋଗ ବିଭାଗ ଚିକିତ୍ସା କରିଥିବା ବେଳେ ଏହି ବିଭାଗ ଅନ୍ତର୍ଗତ ଡ୍ରଗ ଡି ଆଡିକ୍ସନ ସେଣ୍ଟର ସ୍ୱତନ୍ତ୍ର ଭାବେ ମାନସିକ ଚାପ କାରଣରୁ ବିଭିନ୍ନ ନିଶା ଦ୍ରବ୍ୟର ବଶବର୍ତ୍ତୀ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଘୋର ମାନସିକ ଅବସାଦରୁ ମୁକ୍ତି ଦେଇଛି ।
ସମ୍ପ୍ରତି ରାଜ୍ୟ, କେନ୍ଦ୍ର ସରକାର ଉଭୟେ ମାନସିକ ରୋଗୀଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଏମକେସିଜିର ଏହି ବିଭାଗରେ ସମ୍ପ୍ରତି ମାନବ ସମ୍ବଳ ବୃଦ୍ଧି ପାଇଛି । ବିଭାଗରେ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ବିଭାଗର ମୁଖ୍ୟ ପ୍ରଫେସର ଚନ୍ଦ୍ର ଶେଖର ତ୍ରିପାଠୀଙ୍କ କହିବା ଅନୁଯାୟୀ କୋଭିଡ୍ ପଭାବରେ ସମାଜରେ ମାନସିକ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ବୃଦ୍ଧିପାଇଛି । ଆମ ବିଭାଗରେ ପୂର୍ବରୁ ହାତ ଗଣତି ଡାକ୍ତର ରହିଥିଲେ । ସମ୍ପ୍ରତି ଏହି ସଂଖ୍ୟା ୧୪କୁ ବୃଦ୍ଧିପାଇଛି । ଏବେ ରୋଗୀମାନଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣ କରିପାରୁଛୁ । ପୂର୍ବରୁ କେତେକ ଔଷଧ ଯୋଗାଣ ହୋଇପାରୁନଥିଲା, ରୋଗୀଙ୍କୁ ବାହାରୁ କିଣିବାକୁ ପଡ଼ୁଥିଲା । ଏବେ ସମସ୍ତ ଔଷଧ ମାଗଣାରେ ଦିଆଯାଉଛି । ଆଉଟ୍‌ଡୋର୍‌ରୁ ଇନ୍‌ଡୋର୍ ଦୂର ହୋଇଥିବାରୁ ରୋଗୀଙ୍କୁ ସେଠାକୁ ଯିବାଆସିବା ପାଇଁ ଗାଡ଼ିର ସୁବିଧା କରାଯାଇଛି । ଫଳରେ ଗରିବ ରୋଗୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁନାହିଁ । ବିଭାଗରେ ୩ଜଣ କ୍ଳିନିକାଲ ସାଇକୋଲଜିଷ୍ଟ ଅଛନ୍ତି । ସେମାନେ ରୋଗୀଙ୍କୁ ସଠିକ୍ ସମୟରେ ସଠିକ ଔଷଧ ଗ୍ରହଣ କରିବାକୁ ପ୍ରବର୍ତ୍ତାଉଛନ୍ତି । ଏହା ବ୍ୟତୀତ ସମ୍ପ୍ରତି କୋଭିଡ୍ ଟିକା ଉପଲବଧ ହେଉଥିବା ଯୋଗୁଁ ରୋଗୀଙ୍କ ଗୁରୁତର ହେବା ସ୍ଥିତି ଉତ୍ପନ୍ନ ହେଉନାହିଁ ବୋଲି ଏଠାରେ ରୋଗୀଙ୍କୁ କୁହାଯାଉଛି । ଏବେ ଶୀଘ୍ର ଭଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ତୃଣମୂଳସ୍ତରରେ ମାନସିକ ରୋଗୀଙ୍କୁ ଚିହ୍ନଟ ପ୍ରକ୍ରିୟା ସଠିକ୍ ଭାବେ କରାଯାଉଛି । ଜିଲ୍ଲାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବରୁ ରୋଗୀ ଚିହ୍ନଟ ହୋଇପାରୁନଥିଲା । ଏବେ ସେହି ସ୍ତରର ଡାକ୍ତରମାନେ ଏଥିପାଇଁ ପ୍ରଶିକ୍ଷିତ ହୋଇଛନ୍ତି । ତେଣୁ ତୁରନ୍ତ ରୋଗ ଚିହ୍ନଟ ହୋଇ ଚିକିତ୍ସା ଆରମ୍ଭ ହେବା ଫଳରେ ମାନସିକ ରୋଗୀଙ୍କ ସୁସ୍ଥହାର ବୃଦ୍ଧିପାଇଛି । କେବଳ ଏତିକି ନୁହେଁ ଶିକ୍ଷକମାନଙ୍କୁ ମଧ୍ୟ ଏହି ପରିପ୍ରେକ୍ଷୀରେ ପ୍ରଶିକ୍ଷଣ ଦିଆଯାଇଛି । ମାନସିକ ରୋଗୀଙ୍କ ଲକ୍ଷଣ ଦେଖିବା ମାତ୍ରେ ସମାଜର ବିଭିନ୍ନ ବର୍ଗର ଲୋକ ସେମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାକୁ ସଙ୍କୋଚ କରୁନାହାନ୍ତି ବୋଲି ପ୍ରଫେସର ତ୍ରିପାଠୀ କହିଛନ୍ତି । ଏହା ବ୍ୟତୀତ ଏମ୍‌କେସିଜିରେ ମାନସିକ ରେଗ ଚିକିତ୍ସା ସମ୍ପର୍କିତ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏବେ ୪ଟି ସିଟ୍ ସହ ଗତ ଦୁଇ ବର୍ଷ ହେଲା ଏଠାରେ ଶିକ୍ଷା ଦିଆଯାଉଛି । ଆଗକୁ ଆହୁରି ସିଟ୍ ବଢ଼ିବା ସମ୍ଭାବନା ରହିଛି । ପ୍ରକାଶ ଯୋଗ୍ୟ ଯେ କୋଭିଡ୍ ଯୋଗୁଁ ହେଉ କିମ୍ବା ଅନ୍ୟ କାରଣ ଯୋଗୁଁ ହେଉ ସମାଜର ବିଭିନ୍ନ ବର୍ଗର ଲୋକ ବିଭିନ୍ନ କାରଣରୁ ମାନସିକ ଚାପଗ୍ରସ୍ତ ରହୁଛନ୍ତି । ସେମାନଙ୍କୁ ସଠିକ ସମୟରେ ଚିକିତ୍ସା ସୁବିଧା ନ ମିଳିଲେ ସେମାନେ ଜୀବନସାରା ଅବସାଦଗ୍ରସ୍ତ ରହିବେ ଅଥବା ଆତ୍ମହତ୍ୟାପ୍ରବଣତା ତାଙ୍କଠାରେ ବୃଦ୍ଧି ପାଇବାର ଆଶଙ୍କା ରହିଛି । ସମ୍ପ୍ରତି ଏମ୍‌କେସିଜିର ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ଦୈନିକ ଆଉଟ୍‌ଡୋର୍‌କୁ ୩୦ରୁ ୪୦ ରୋଗୀ ଆସୁଥିବାବେଳେ ଇନ୍‌ଡୋରରେ ୨୨ରୁ ୨୫ ଜଣ ରୋଗୀ ରହିଛନ୍ତି । ସେମାନଙ୍କୁ ଚିକିତ୍ସା ସେବା ସମେତ ଆବଶ୍ୟକ ପଡ଼ିଲେ ଆଇନଗତ ସହାୟତା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପ୍ରଦାନ କରାଯାଉଛି ବୋଲି ପ୍ରଫେସର ତ୍ରିପାଠୀ ସୂଚନା ଦେଇଛନ୍ତି । କୋଭିଡ୍‌ର ପ୍ରଭାବ କ୍ରମଶଃ ଲୋପ ପାଇବା ପରେ ମାନସିକ ରୋଗୀଙ୍କ ସ୍ଥିତିରେ ସକାରାତ୍ମକ ସୁଧାର ଆସିବ ବୋଲି ଅଶା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking