ନୂଆଦିଲ୍ଲୀ: ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ଓ୍ବିଲିୟମ୍ସ। ଦୀର୍ଘ ନଅମାସ ଧରି ମହାକାଶରେ ଅବସ୍ଥାନ କରିବା ପରେ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କଳ୍ପନା ଚାଓ୍ବଲାଙ୍କ ପରି ବିପଦକୁ ସାମ୍ନା କରିଥିଲେ ସୁନୀତା ଓ୍ବିଲିୟମ୍ସ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଧରି ଅଟକି ରହିଥିବା ଭାରତୀୟ ଆମେରିକୀୟ ମହାକାଶଚାରୀ ସୁନାତା ୱିଲିୟପୁ ଓ ବୁନ୍ ୱିଲୋଲଙ୍କୁ ପୃଥିବୀ ପୃଷ୍ଠରେ ପହଞ୍ଚିବା ଲାଗି ୧୭ ଘଣ୍ଟା ସମୟ ଲାଗିଥିଲା ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପୂର୍ବାହ୍ଣ ୧୦ଟା ୩୫ରେ ସ୍ପେସଏକ୍ସକୁ ଡ୍ରାଗନ ମହାକାଶ କେନ୍ଦ୍ରରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା | ଦୀର୍ଘ ପ୍ରାୟ ୧୭ ଘଣ୍ଟାର ଯାତ୍ରା ପରେ ଏହା ଫ୍ଲୋରିଡା ନିକଟରେ ଜଳଭାଗ ଛୁଇଁଥିଲା । ମହାକାଶ କେନ୍ଦ୍ରରୁ ବାହାରିବା ପୂର୍ବରୁ ସୁନୀତା ଓ ବୁଚ୍ ସେଠାରେ ଅନ୍ତିମ ଫଟୋ ଉଠାଇଥିଲେ । ମହାକାଶ କେନ୍ଦ୍ରରୁ ମହାକାଶଚାରୀମାନଙ୍କୁ ନେଇ ପୃଥିବୀକୁ ଆସୁଥିବା ସ୍ପେସ୍ଏକ୍ସର ମହାକାଶଯାନ ପାଇଁ ସବୁଠୁ ବିପଜ୍ଜନକ ପର୍ଯ୍ୟାୟ ଥିଲା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା | ଶବ୍ଦର ବେଗଠାରୁ ୨୨ ଗୁଣାରୁ ଅଧିକ ବେଗରେ ଏହା ପ୍ରବେଶ କରିବା କାରଣରୁ ମହାକାଶଯାନର ବାହ୍ୟ ତାପମାତ୍ରା ୩୫୦୦ ଡିଗ୍ରି ଫାରେନାଇଟ୍ ବା ୧୯୨୬ ଡିଗ୍ରି ସେଲସିୟସକୁ ବଢ଼ି ଯାଇଥିଲା । ମହାକାଶଯାନର ବେଗକୁ ନିୟନ୍ତ୍ରଣ କରିବା ପାଇଁ ଖୁବ୍ କମ୍ ସମୟ ବ୍ୟବଧାନରେ ଦୁଇଟି ପର୍ଯ୍ୟାୟରେ ପାରାସୁଟ୍ ଖୋଲାଯାଇଥିଲା । ମହାକାଶଯାନ କକ୍ଷପଥରେ ଯାତ୍ରା କରିବା ସମୟରେ ଥିବା ଏହାର ବେଗ ଘଣ୍ଟା ପ୍ରତି ପ୍ରାୟ ୨୮ ହଜାର କିମି ଥିବାବେଳେ ସମୁଦ୍ରରେ ପହଞ୍ଚିଲା ବେଳକୁ ଏହାର ଘଣ୍ଟାପ୍ରତି ବେଗ ୨୦ ମାଇଲ (୩୨ କିମି) କୁ ହ୍ରାସ ପାଇଥିଲା । ଏତିକି ବେଳେ ଅବତରଣର ଏକ ଘଣ୍ଟା ପୂର୍ବରୁ ମହାକାଶଯାନ ସହିତ ନାସାର ଯୋଗାଯୋଗ ବିଚ୍ଛିନ୍ନ ହେବା ବୈଜ୍ଞାନିକ ମାନଙ୍କୁ ବିଚଳିତ କରିଥିଲା । ପରେ ଡ୍ରାଗନ୍ କ୍ୟାପ୍ମୁଲ୍ରେ ଲାଗିଥିବା ଚାରିଟି ପାରାସୁଟ୍ ଦୁଇଟି ପର୍ଯ୍ୟାୟରେ ଖୋଲିଥିଲା | ଏହା ଡ୍ରାଗନ୍ କ୍ୟାପ୍ସୁଲ୍ର ଗତିକୁ ନିୟନ୍ତ୍ରଣକୁ ଆଣିଥିଲା । ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ସଫଳତାର ସହ ପୃଥିବୀ ପୃଷ୍ଠରେ ପହଞ୍ଚିଥିଲେ ମହାକାଶଚାରୀ । ମହାକାଶଚାରୀମାନେ ପୃଥିବୀରେ ପହଞ୍ଚିବା ପରେ ସାମାଜିକ ଗଣମାଧ୍ୟମ ଜରିଆରେ ନେଟିଜେନ୍ମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସ୍ପେସ୍ଏକ୍ସର ସିଇଓ ଏଲନ୍ ମସ୍କଙ୍କୁ ଧନ୍ୟବାଦ ଜଣାଇଛନ୍ତି।