ଭଦ୍ରକ : ଭଦ୍ରକ ଜିଲ୍ଲାର ଦୁଇଟି କଲେଜରେ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଉ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ମିଳିଥିବା ସୂଚନା ମୁତାବକ ଭଦ୍ରକ ମହିଳା କଲେଜ ଓ ଭଣ୍ଡାରିପୋଖରୀରେ ଥିବା ନାଆମି କଲେଜ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ମୁତାବକ ଆଜି ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଛାତ୍ରନେତା/ନେତ୍ରୀମାନେ ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତି ଚଳାଇଥିଲେ। ତେବେ ସକାଳୁ ସକାଳୁ କଲେଜ ପକ୍ଷରୁ ନିର୍ବାଚନ ବାତିଲ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
କୌଣସି ଅପ୍ରୀତିକର ପରିସ୍ଥିତି ଯେଭଳି ସୃଷ୍ଟି ନ ହେବ ସେଥିପାଇଁ ଭଦ୍ରକ ମହିଳା କଲେଜରେ ବ୍ୟାପକ ପୁଲିସ ମୁତୟନ ହୋଇଥିବାବେଳେ ନାମାଙ୍କନ ବାତିଲକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତାତି ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଓଡ଼ିଶାର ଉଚ୍ଚଶିକ୍ଷା ଇତିହାସରେ ପ୍ରଥମ ଥର ପାଇଁ ୫୪୬ରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ପ୍ରତ୍ୟକ୍ଷ ନିର୍ବାଚନ ଓ ଚୟନ ପଦ୍ଧତିରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ, ଅନୁଦାନପ୍ରାପ୍ତ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରନେତା ଚୟନ କରାଯିବ। ‘ଆମ କ୍ୟାମ୍ପସ୍ରେ ନିର୍ବାଚନ ହୁଏନାହିଁ’ ଦର୍ଶାଇ ନିର୍ବାଚନରୁ ଦୂରେଇ ରହୁଥିବା ମହାବିଦ୍ୟାଳୟଗୁଡ଼ିକ ଉପରେ ମଧ୍ୟ ଏଥର ଉଚ୍ଚଶିକ୍ଷା ବିଭାଗର ଛାଟ ବାଜିଛି। ଯେକୌଣସି ପଦ୍ଧତିରେ ହେଉ ପଛେ, କ୍ୟାମ୍ପସରେ ଛାତ୍ରନେତା ଚୟନ କରିବା ବାଧ୍ୟତାମୂଳକ ହୋଇଛି। ଫଳରେ ଚଳିତବର୍ଷ ପ୍ରାୟ ପ୍ରତ୍ୟେକ କ୍ୟାମ୍ପସ୍ରେ ଛାତ୍ରନେତା ଚୟନ ହେବା ନିଶ୍ଚିତ ହୋଇଛି।










