ଭୁବନେଶ୍ୱର: ସମୁଦ୍ର ଭିତରେ ବଳ ଗୋଟାଉଛି ଭୀଷଣ ବାତ୍ୟା । ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଭୂପୃଷ୍ଠ ଆଡକୁ ମାଡି ଆସୁଛି ମୋନ୍ଥା । ଏନେଇ ସୂଚନା ଦେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକା ମନୋରମା ମହାନ୍ତି କହିଛନ୍ତି ଭୀଷଣ ବାତ୍ୟାର ରୂପ ନେଇ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଗୋପାଳପୁର ଠାରୁ ୫୧୦ କିମି ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ରହିଛି ବାତ୍ୟା ମୋନ୍ଥା । ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ଅତିକ୍ରମ କରିବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ। ଏହି ସମୟରେ ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ। ତେବେ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମନୋବଳ ବଢ଼ାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ବାତ୍ୟା ‘ମୋନ୍ଥା’ ଆସୁଛି । ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ । ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ପ୍ରଶାସନକୁ ପୁରା ସହଯୋଗ କରନ୍ତୁ। ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ। ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯ୍ୟୟର ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା।
ଅନ୍ୟପଟେ ବାତ୍ୟା ସମୟରେ ସାମଗ୍ରୀର କଳାବଜାରୀ ପ୍ରସଙ୍ଗକୁ ନେଇ ବ୍ୟବସାୟୀଙ୍କୁ ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ସାମଗ୍ରୀ ଗଚ୍ଛିତ ଓ କଳାବଜାରୀ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରବର୍ତ୍ତୀ ସମୟରେ ବ୍ୟବସାୟ କରିବା ଭୁଲିଯିବେ । ଜିନିଷ କିଣି ଘରେ ମହଜୁଦ୍ ନକରିବାକୁ ମଧ୍ୟ ଲୋକଙ୍କୁ ଅପିଲ୍ କରିଛନ୍ତି। ପର୍ଯ୍ୟାପ୍ତ ପରିମାଣର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି। ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ‘ମୋନ୍ଥା’ ପାଇଁ ୪୨ଟି ଟ୍ରେନ ବାତିଲ କରିଛି ପୂର୍ବତଟ ରେଲୱେ। ଏହି ସମୟରେ ‘ମୋନ୍ଥା’ ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି ଅଗ୍ନିଶମ ବାହିନୀ । ଏନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇ କହିଛନ୍ତି ଯେ ଗଜପତି ଜିଲ୍ଲାରେ ୩ରୁ ୪ଟି ବ୍ଲକରେ ଭୁସ୍ଖଳନ ଆଶଙ୍କା କରାଯାଇଛି । ୧୩୦ଟି ଟିମ ପ୍ରସ୍ତୁତ ହୋଇ ରହିଛନ୍ତି । ପରିସ୍ଥିତିକୁ ମୁକାବିଲା କରିବୁ ।










