ଭୁବନେଶ୍ୱର: ଆସୁଛି ବାତ୍ୟା ମୋନ୍ଥା । ଅଶାନ୍ତ ହେଲାଣି ସମୁଦ୍ର । ବାତ୍ୟା ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ସୁ ସୁ ଗର୍ଜନ କରି କୁଳ ଲଙ୍ଘିଲାଣି ସମୁଦ୍ର। ବଳ ଗୋଟାଉଛି ଭୀଷଣ ବାତ୍ୟା ମୋନ୍ଥା । ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି ମୋନ୍ଥା । ମଛଲିପଟନମ ଠାରୁ ୧୪୦କିମି, କାକିନଡା ଠାରୁ ୨୪୦ କିମି , ଗୋପାଳପୁର ଠାରୁ ୫୩୦ କିମି ଦୂରରେ ରହିଛି ବାତ୍ୟା ମୋନ୍ଥା । ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ । ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ ମୋନ୍ଥା । ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ । ଏନେଇ ସୂଚନା ଦେଇଛନ୍ତି, ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଅନ୍ୟପଟେ ବାତ୍ୟା ମୋନ୍ଥା ପାଇଁ ଓଡିଶାକୁ ୱାଣ୍ଣିଂ ଦିଆଯାଇଛି । ଆଜି ପାଇଁ ୫ ଜିଲ୍ଲାକୁ ରେଡ ୱାଣ୍ଣିଂ ଜାରି କରାଯାଇଛି ।
ମୋନ୍ଥାର ପ୍ରଭାବରେ ଆଜି ପୂରା ଓଡିଶା ବର୍ଷାରେ ଭିଜିବ । ୪ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାଣ୍ଣିଂ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର , କଳାହାଣ୍ଡି, ରାୟଗଡାକୁ ରେଡ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ନୂଆପଡା, ବଲାଙ୍ଗୀର, କନ୍ଧମାଳ, ଗଜପତିକୁ ଅରେଞ୍ଜ ୱାଣ୍ଣିଂ ଜାରି ହୋଇଛି । ଅବଶିଷ୍ଟ ୨୧ ଜିଲ୍ଲାକୁ ଜାରି ହୋଇଛି ୟେଲ୍ଲୋ ୱାଣ୍ଣିଂ । ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ବନ୍ଦର ପାଇଁ ବିପଦ ସଂକେତ ଜାରି କରାଯାଇଛି । ଗୋପାଳପୁର ବନ୍ଦର ପାଇଁ ୩ନଂ , ଅନ୍ୟ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟପଟେ ତୁହାକୁ ତୁହା ବର୍ଷା ହେବା ପରେ ପାହାଡ ଧସିଛି । ଗରବା ଓ ଲିଙ୍ଗା ମଝିରେ ଭୂସ୍ଖଳନ ହୋଇଛି । ପାହାଡ ଧସିବା ଫଳରେ ରାସ୍ତା ଅବରୋଧ ହୋଇଛି । ଯାତାୟତ ଠପ ହୋଇଛି । ରାସ୍ତା ପରିଷ୍କାର ପାଇଁ ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି । ଜେସିବି ଲଗାଇ ମାଟି ଅତଡା ସଫା କରୁଛି ପ୍ରଶାସନ ।
ଭୀଷଣ ବାତ୍ୟା ମୋନ୍ଥା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି , ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି । ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର ସରିଛି । ୩୦ ହଜାର ୫୯୬ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଛି । ଆବଶ୍ୟକ ପଡିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ୧୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍ ନିଆଯାଇଛି । ଆଉ ୮୨୨ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରହିଛି । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସୂଚନା ଦେଇ କହିଛନ୍ତି ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲେ ତୁରନ୍ତ ଲଗାଇବା ପାଇଁ ବ୍ୟବସ୍ଥା ହୋଇଛି । ୯ ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର , ବିଦ୍ୟୁତ ଖୁଣ୍ଟ ମହଜୁଦ ରଖାଯାଇଛି । ବାତ୍ୟା ଟଳିବାର ୪୮ ଘଣ୍ଟାରେ ବିଦ୍ୟୁତ ପୁନଃସ୍ଥାପନ କରିବୁ । ଧାନ ନଷ୍ଟ ହେବାର ଆଶଙ୍କା ଅଛି, ତୁରନ୍ତ ରିପୋର୍ଟ ପାଇଁ କୁହାଯାଇଛି । ଜିଲ୍ଲାପାଳମାନଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି । ଦାନା ସମୟରେ ୭ ଦିନରେ ଟଙ୍କା ଦିଆଯାଇଥିଲା । ଏବେ ମଧ୍ୟ ସେହି ଢଙ୍ଗରେ କ୍ଷତିପୂରଣ ଦିଆଯିବ । ଦକ୍ଷିଣ ଓଡିଶାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ଏନଡିଆରଏଫ, ଏସଡିଆରଏଫ ଟିମ ସଜାଗ ଅଛନ୍ତି । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଗଜପତି ଜିଲ୍ଲାରେ ୩ରୁ ୪ଟି ବ୍ଲକରେ ଭୁସ୍ଖଳନ ଆଶଙ୍କା କରାଯାଇଛି । ୧୩୦ଟି ଟିମ ପ୍ରସ୍ତୁତ ହୋଇ ରହିଛି । ପରିସ୍ଥିତିକୁ ମୁକାବିଲା କରିବୁ ।










