କଟକ: ଗଣେଶ ଭସାଣି ବେଳେ ପୁଲିସ ଉପରକୁ ଢେଲା ମାଡ଼। ଆଇଆଇସିଙ୍କ ସମେତ ୬ ପୁଲିସ କର୍ମଚାରୀ ଆହତ। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଚାହାପଡା ପଂଚାୟତ ବରଦିଆ ଠାରେ। ପୋଲିସର ଅନୁମତି ଅନୁସାରେ, ରାତି ୧୦ଟା ପର୍ୟ୍ୟନ୍ତ ଭସାଣି ତଥା ରୋଷଣୀ କରିବା ପାଇଁ ସମୟସୀମା ଧାର୍ୟ୍ୟ ହୋଇଥିଲା। କିନ୍ତୁ ବରଦିଆ ସେଠି ସାହି ଗଣେଶ ପୂଜା କମିଟି ନିର୍ଦ୍ଧାରିତ ସମୟ ଅତିକ୍ରମ କରିବା ସତ୍ତ୍ବେ ରୋଷଣୀ ବନ୍ଦ କରିନଥିଲା। ଏହାକୁ ବାରଣ କରିବାକୁ ଖୋଦ୍ ଆଇଆଇସି ଏବଂ ପୁଲିସ ଟିମ୍ ସେଠାକୁ ଯାଇଥିଲେ। ରୋଷଣୀ ବନ୍ଦ କରିବାକୁ ଅନୁରୋଧ କରିବାରୁ କମିଟି ପକ୍ଷରୁ ଏହାକୁ ଅମାନ୍ୟ କରାଯିବା ସହ ପୁଲିସ ସହ ଯୁକ୍ତିତର୍କ ଏବଂ ଉତ୍ତେଜନା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ରାତିର ଅନ୍ଧାରର ସୁଯୋଗ ନେଇ କିଛି ଅମାନିଆ ପୁଲିସ ଉପରକୁ ଅତର୍କିତ ଭାବେ ଟେକା ପଥର ଓ ଢେଲା ମାଡ଼ କରିଥିଲେ। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଆଇନଗତ କାର୍ୟ୍ୟାନୁଷ୍ଠାନ ଜାରି ରଖିଛି। ଘଟଣାରେ ୪ଜଣ ଅଟକ ଥିବା ସାଲେପୁର ଏସଡିପିଓ ସୂଚନା ଦେଇଛନ୍ତି। ସମସ୍ତ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହୋଇ ଫେରିଛନ୍ତି।










