ନୂଆଦିଲ୍ଲୀ : ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କାର୍ଯ୍ୟଭାର ପରିଚାଳନା କାରଣରୁ ଆଇପିଏଲ ୨୦୨୪ ସଂସ୍କରଣରେ ଖେଳିପାରିବେ ନାହିଁ ବୋଲି ତାଙ୍କ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍କେ) ଗୁରୁବାର ଘୋଷଣା କରିଛି । ଷ୍ଟୋକ୍ସ ୨୦୨୩ ଆଇପିଏଲ୍ ପୂର୍ବରୁ ସିଏସ୍କେରେ ଯୋଗ ଦେଇଥିଲେ । କିନ୍ତୁ ଆଣ୍ଠୁ ଯନ୍ତ୍ରଣା ପାଇଁ ଦୁଇ ମାସ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେ ମାତ୍ର ଦୁଇଟି ମ୍ୟାଚ୍ ଖେଳିଥିଲେ । ଆସନ୍ତା ଆଇପିଏଲ୍ନେଇ ସିଏସ୍କେ ଗୁରୁବାର ନିଜ ୱେବସାଇଟରେ ଏକ ବିବୃତିରେ ପ୍ରକାଶ କରିଛି କି, ଇଂଲଣ୍ଡ ଟେଷ୍ଟ ଅଧିନାୟକ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଅତ୍ୟଧିକ କାର୍ଯ୍ୟଭାର ଓ ଫିଟ୍ନେସ୍ ପାଇଁ ଆଇପିଏଲ୍ ୨୦୨୪ ପାଇଁ ନିଜକୁ ଉପଲବ୍ଧ କରିପାରୁ ନାହାନ୍ତି । ଆଇପିଏଲ୍ ପୂର୍ବରୁ ଭାରତ ଗସ୍ତରେ ଇଂଲଣ୍ଡ ୫ ଟେଷ୍ଟ୍ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳିବ । ଏବଂ ଜୁନ୍ ୨୦୨୪ରେ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଖେଳିବ । ଉଭୟ ଟୁର୍ଣ୍ଣାମେଣ୍ଟ ପାଇଁ ଷ୍ଟୋକ୍ସଙ୍କ ଉପରେ କାର୍ଯ୍ୟଭାର ଅଧିକ ରହୁଛି । ଯାହାକୁ ଚେନ୍ନାଇ ସୁପର୍ କିଙ୍ଗସ୍ ମ୍ୟାନେଜମେଣ୍ଟ ସମର୍ଥନ କରୁଛି । ସିଏସ୍କେ ୧୬.୨୫ କୋଟି ଟଙ୍କାରେ ଷ୍ଟୋକ୍ସଙ୍କୁ କିଣିଥିଲା, ଯାହା ତାଙ୍କୁ ଫ୍ରାଞ୍ଚାଇଜିର ସବୁଠାରୁ ମହଙ୍ଗା କରିଥିଲା । ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ ହେଁ ଗତ ବିଶ୍ୱକପ୍ ପାଇଁ ପୁଣିଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଇଂଲଣ୍ଡ ବିଶ୍ୱକପ୍ ଅଭିଯାନରେ ନୈରାଶ୍ୟଜନକ ପ୍ରଦର୍ଶନ ପଏଣ୍ଟ ତାଲିକାରେ ସପ୍ତମ ସ୍ଥାନରେ ରହିଥିଲା ।