ନୂଆଦିଲ୍ଲୀ : ଭାରତୀୟ ଡ୍ରଗ୍ କମ୍ପାନୀ ମେଡନ୍ ଫାର୍ମାକୁ କ୍ଲିନ୍ ଚିଟ୍ ମିଳିଛି । କମ୍ପାନୀର କଫ୍ ସିରପ୍ ସେବନ କରି ଆଫ୍ରିକୀୟ ଦେଶ ଗାମ୍ବିଆରେ ୭୦ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା । ଏହାପରେ କମ୍ପାନୀର ଚାରିଟି ସିରପ୍ର ନମୁନା ଯାଞ୍ଚ୍ ପାଇଁ ସରକାରୀ ଲ୍ୟାବ୍କୁ ପଠାଯାଇଥିଲା । ଯାଞ୍ଚ୍ରେ ସମସ୍ତ ସିରପ୍ ଗୁଣବତ୍ତା ମାନକକୁ ପୂରା କରିଛନ୍ତି । ଏହି ସୂଚନା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି । ଏହି ମାମଲାର ଯାଞ୍ଚ୍ ପାଇଁ ଏକ ଏସ୍ଟିଏଫ୍ ଗଠନ କରାଯାଇଥିଲା ।
ଫାର୍ମାକୋଲୋଜି ମୁଖ୍ୟ ଡ. ୱାଇକେ ଗୁପ୍ତାଙ୍କୁ ଏସ୍ଟିଏଫ୍ର ମୁଖ୍ୟ ନିଯୁକ୍ତ କରାଯାଇଥିଲା । ସୂତ୍ର ଅନୁସାରେ ଯଦି ଗାମ୍ବିଆ ସରକାର କୌଣସି ପ୍ରଶ୍ନ ଉଠାନ୍ତି, ତେବେ ରିପୋର୍ଟ ଆଧାରରେ ଜବାବ ଦେବୁ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ଗାମ୍ବିଆ ସରକାର ଏହି ମାମଲାରେ ୟୁଏସ୍ ଲ’ ଫାର୍ମ ସହିତ ଆଲୋଚନା କରୁଛନ୍ତି ଏବଂ ଏହାପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜୁଲାଇ ୨୧ରେ କହିଥିଲେ । ଗାମ୍ବିଆ ଅନୁସାରେ ଏହି ମାମଲାରେ ଦୁଇଟି ଭାରତୀୟ ଫାର୍ମା କମ୍ପାନୀ ଅଭିଯୁକ୍ତ ଅଛନ୍ତି । ସୂଚନାଯୋଗ୍ୟ, ୨୦୨୨ରେ ମେଡନ୍ ଫାର୍ମାର ୪ଟି ସିରପ୍ ସେବନ କରି କଥିତ ଭାବେ ଗାମ୍ବିଆରେ ୭୦ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା ।