ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ବିକ୍ଷୋଭ ଶୋଭାଯାତ୍ରା ଭୁବନେଶ୍ୱର ଏଙ୍ଗିମଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପୋଲିସ ଏବଂ ଯୁବ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଏକ ଘଣ୍ଟା ଧସ୍ତଧସ୍ତି ହେବାପରେ ଯୁବ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ପୋଲିସ ଘଟଣାସ୍ଥଳରୁ ଉଠାଇ ନେଇଥିଲା । ଏହି ଅବସରରେ ଶ୍ରୀ ପାତ୍ର କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଜଣେ ଦେଶଦ୍ରୋହୀ । ବେଆଇନ ଭାବେ ସେ ଦେଶର ୧୩ କୋଟି ଓ ଓଡିଶାର ୨୭ ଲକ୍ଷ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ ଦେଇଛନ୍ତି । ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେଇଛନ୍ତି । ଫର୍ମ-୬କୁ ବେଆଇନ ଭାବେ ପରିବର୍ତ୍ତନ କରାଯାଇଛି । କିଭଳି ଭାବରେ ଭୋଟରମାନଙ୍କୁ ତାଲିକାରୁ ବାଦ ଦେବାକୁ ହେବ ତାର ଷଡଯନ୍ତ୍ର ପରିବର୍ତ୍ତିତ ଫର୍ମ-୬ ମାଧ୍ୟମରେ କରାଯାଇଥିଲା । ଦେଶର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷମାନଙ୍କୁ ନୋଟିସ କରି ନିର୍ବାଚନ କମିଶନର ଏସଆଇର ପ୍ରକ୍ରିୟାର ଅନାବଶ୍ୟକତାକୁ ସ୍ପଷ୍ଟ କରିଛନ୍ତି । କିଭଳି ଭାବରେ ଭାରତୀୟ ଜନତାପାର୍ଟି ଯନ୍ତ୍ରାଦେଶ ମାଧ୍ୟମରେ ସରକାର ଗଠନ କରିବ ତାର ଦାୟିତ୍ୱ ଜ୍ଞାନେଶ କୁମାରଙ୍କ ହାତରେ ବିଜେପି ନ୍ୟସ୍ତ କରିଥିଲା । ଜ୍ଞାନେଶ କୁମାର ଯେଉଁ ଅପରାଧ କରିଛନ୍ତି ତାହା ଅକ୍ଷମଣୀୟ । ବିଜେପିର ହାତବାରିସ ସାଜି ନିର୍ବାଚନ କମିଶନ ଦେଶର ନିର୍ବାଚନୀ ବ୍ୟବସ୍ଥାକୁ ଧୂଳିସାତ କରିଛନ୍ତି । ସୁତରାଂ ଯୁବ କଂଗ୍ରେସ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବି କରୁଛି । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ, ଅଭିଜିତ ଜେନା, ଗୋପନ ମାର୍ଥା, ସୁରଜ ବେହେରା, କେଦାର ଦଳାଇ, ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସ୍ୱାଗତ କର, କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲକ୍ଷ୍ମିପ୍ରିୟା ନାୟକ, ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ମୟୁରଭଞ୍ଜ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସରୋଜ ନାୟକ, ସୁନିଲ ସାହୁ, ଅମରେଶ ପରିଡ଼ା, କାର୍ତ୍ତିକେଶ୍ୱର କାଣ୍ଡି, ରଞ୍ଜିତ ପାଇକରାୟ, ଆଶୁତୋଷ ପୃଷ୍ଟି, ବିରଞ୍ôଚ ବାରିକଙ୍କ ସମେତ ଶତାଧିକ ଯୁବକଂଗ୍ରେସ କାର୍ଯ୍ୟକର୍ତ୍ତା ଏହି ବିକ୍ଷୋଭରେ ଯୋଗଦେଇଥିଲେ ।










