17.1 C
Bhubaneswar
Thursday, January 9, 2025
Homeଖେଳଫାଇନାଲ୍ ମ୍ୟାଚ୍‌କୁ ସ୍ମରଣୀୟ କରିବା ନିମନ୍ତେ ବିଶେଷ ପ୍ରସ୍ତୁତି

ଫାଇନାଲ୍ ମ୍ୟାଚ୍‌କୁ ସ୍ମରଣୀୟ କରିବା ନିମନ୍ତେ ବିଶେଷ ପ୍ରସ୍ତୁତି

ଅହମ୍ମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଚଳିତ ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍‌କୁ ଏତିହାସିକ ଓ ସ୍ମରଣୀୟ କରିବା ନିମନ୍ତେ ବିସିସିଆଇ ବିଶେଷ ପ୍ରସ୍ତୁତି କରିଛି । ଏହି ମ୍ୟାଚ୍‌ରେ ଲକ୍ଷାଧିକ ଦର୍ଶକଙ୍କ ସହିତ ରାଜନୀତି, କ୍ରିକେଟ୍‌, ବଲିଉଡ୍‌, ଶିଳ୍ପ ଜଗତର ବହୁ ନାମୀଦାମୀ ହସ୍ତୀ ଉପସ୍ଥିତ ରହିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ଉପସ୍ଥିତ ରହିବେ ।

ସେହିପରି ଭାରତକୁ ପ୍ରଥମ ଓ ଦ୍ୱିତୀୟ ବିଶ୍ୱ କପ୍ ଜିତାଇଥିବା କ୍ୟାପ୍‌ଟେନ୍ କପିଳ ଦେବ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ଅଷ୍ଟ୍ରେଲିଆର ପାଞ୍ଚ ବିଶ୍ୱକପ୍ ବିଜେତା କ୍ୟାପ୍‌ଟେନ୍ ଆଲାନ୍ ବର୍ଡର୍‌, ଷ୍ଟିଭ୍ ୱ, ରିକି ପଣ୍ଟିଂ ଏବଂ ମାଇକେଲ୍ କ୍ଲାର୍କ ମଧ୍ୟ ଉପସ୍ଥିତ ରହିବେ । ଏହା ବ୍ୟତୀତ ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀ ମଧ୍ୟ ଯୋଗଦେବା ସମ୍ଭାବନା ରହିଛି । ମ୍ୟାଚ୍ ଅବସରରେ ବଲିଉଡ୍‌ରେ ଅନେକ ସୁପରଷ୍ଟାର୍‌ଙ୍କୁ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିବ । ଏହି ମ୍ୟାଚ୍ ଦେଖିବାକୁ ମୋଟ ୧.୩୨ ଲକ୍ଷ ଦର୍ଶକ ଷ୍ଟାଡିୟମ୍‌କୁ ଆସିବେ ।

ମ୍ୟାଚ୍ ଆରମ୍ଭ ପୂର୍ବରୁ ଟସ୍ ପରେ ସାଢ଼େ ଗୋଟାଏ ବେଳେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ୧୦ରୁ ୧୫ ମିନିଟ୍ ପଡ଼ିଆ ଉପରେ ଏୟାର୍ ଶୋ’ କରିବ । ମ୍ୟାଚ୍‌ର ପ୍ରଥମ ଡ୍ରିଙ୍କ୍‌ସ ଅବସରରେ କୋକ୍ ଷ୍ଟୁଡିଓର ଲୋକପ୍ରିୟ ଗାୟକ ଆଦିତ୍ୟ ଗଢ଼ଭୀଙ୍କ କାର୍ଯ୍ୟକ୍ରମ କରାଯିବ । ମିଡ୍ ଇନିଂସ୍ ବ୍ରେକ୍‌ରେ ବଲିଉଡ୍ ମ୍ୟୁଜିକ୍ କମ୍ପୋଜର୍ ପ୍ରୀତମ୍‌, ସିଙ୍ଗର ଜୋନିତା ଗାନ୍ଧୀ, ନକ୍ସ ଅଜିଜ୍‌, ଅକ୍ସ ଜୋଶୀ, ତୁଷାର ଜୋଶୀ ଏବଂ ଅମିତ ମିଶ୍ରା ନିଜ ସଙ୍ଗୀତରେ ଦର୍ଶକଙ୍କ ସମେତ ଅତିଥିଙ୍କ ମନୋରଞ୍ଜନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ମୁମ୍ବାଇର ପ୍ରାୟ ୫୦୦ ଡ୍ୟାନ୍ସରଙ୍କ ପରଫର୍ମାନ୍ସ ଦେଖିବାକୁ ମିଳିବ । ଦ୍ୱିତୀୟ ଇନିଂସ୍ ବ୍ରେକ୍ ଅବସରରେ ଲେଜର୍ ଓ ଲାଇଟ୍ ଶୋ’ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରାଯିବ ।

ଏହି ଅବସରରେ ବିସିସିଆଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୯୭୫ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ୱକପ୍ ଜିତିଥିବା ସମସ୍ତ କ୍ୟାପ୍‌ଟେନ୍‌ଙ୍କୁ ସମ୍ମାନିତ କରିବ । ବଡ଼ ପର୍ଦ୍ଦାରେ ସେମାନଙ୍କ ୱିନିଂସ୍ ମୁଭ୍‌ମେଣ୍ଟ୍‌କୁ ରିଲ୍ ଜରିଆରେ ପ୍ରଦର୍ଶିତ କରାଯିବ । ଏହା ବ୍ୟତୀତ ବିସିସିଆଇ ସମସ୍ତ ବିଜେତା କ୍ୟାପ୍‌ଟେନ୍‌ଙ୍କୁ ୨୦୨୩ ବିଶ୍ୱକପ୍‌ର ପ୍ରତୀକ ସ୍ୱତନ୍ତ୍ର ବ୍ଲେଜର୍ ପ୍ରଦାନ କରିବ । ଏହି ସମସ୍ତ କାର୍ଯ୍ୟକ୍ରମ ଶେଷରେ ମ୍ୟାଚ୍ ପରେ ପଡ଼ିଆ ଉପରେ ଏକ ଆକର୍ଷଣୀୟ ଆତସବାଜି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking