18.1 C
Bhubaneswar
Thursday, January 23, 2025
Homeଓଡିଶାଅଦା ଓ ହଳଦୀ ଚାଷ ପାଇଁ ମିଳୁଛି ବିଶେଷ ରିହାତି; ସର୍ବାଧିକ ୧ ହେକ୍ଟର ଚାଷ...

ଅଦା ଓ ହଳଦୀ ଚାଷ ପାଇଁ ମିଳୁଛି ବିଶେଷ ରିହାତି; ସର୍ବାଧିକ ୧ ହେକ୍ଟର ଚାଷ ପାଇଁ ସରକାରୀ ରିହାତି ସୁବିଧା

ଭୁବନେଶ୍ୱର: ରାଜ୍ୟର ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ବ୍ୟବସ୍ଥିତ କରିବା ପାଇଁ ପ୍ରଚଳିତ ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟରେ ଏହି ଦୁଇଚାଷକୁ ପ୍ରୋତ୍ସାହିତ କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଉଦ୍ୟାନକୃଷି ପକ୍ଷରୁ ପ୍ରଚଳିତ ‘ଆଳୁ, ପନିପରିବା ଓ ମସଲା ଚାଷ ଯୋଜନା ୨୦୨୨-୨୩’ରେ ସଂଶୋଧନ ଅଣାଯାଇଛି ।

ରାଜ୍ୟରେ ଅଦା ଓ ହଳଦୀ ଚାଷ ପାଇଁ ବିଶେଷ ସରକାରୀ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି । ନୂତନ ମାର୍ଗଦର୍ଶିକା ଫଳରେ ରାଜ୍ୟରେ ଅଦା ଓ ହଳଦୀ ଚାଷ ଏକ ନୂତନ ଶିଖର ଛୁଇଁବା ସହ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି ।

ପୂର୍ବ ମାର୍ଗଦର୍ଶିକାରେ ପରିବର୍ତ୍ତନ ଅଣାଯାଇ ଚଳିତ ବର୍ଷ ବ୍ୟାପକ ଅଦା ଚାଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏକ ହେକ୍ଟର ଅଦା ଚାଷ ପ୍ରତି ପୂର୍ବରୁ ଥିବା ରିହାତି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି । ନୂତନ ବ୍ୟବସ୍ଥାରେ ହେକ୍ଟର ପିଛା ବିହନ ବାବଦକୁ ଖର୍ଚ୍ଚ ୨ ଲକ୍ଷ ୨୫ ହଜାର ଟଙ୍କା ସହ ଆନୁଷଙ୍ଗିକ ଖର୍ଚ୍ଚ ଯଥା – ବିହନ ବିଶୋଧନ, ସାର ଓ ଜୈବିକ ସାର ଏବଂ ରୋଗପୋକ ନିୟନ୍ତ୍ରଣ ଇତ୍ୟାଦି ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କା ରିହାତି ପ୍ରଦାନ କରାଯିବ ।

ଏହିପରି ଅଦାଚାଷ ପାଇଁ ସର୍ବମୋଟ୍ ହେକ୍ଟର ପ୍ରତି ୨ଲକ୍ଷ ୪୦ ହଜାର ଟଙ୍କାର ସରକାରୀ ରିହାତିର ବ୍ୟବସ୍ଥା କରାଯାଇଛି । ଜଣେ ଚାଷୀ ସର୍ବାଧିକ ୧ ହେକ୍ଟର ଚାଷ ପାଇଁ ସରକାରୀ ରିହାତିର ସୁବିଧା ଉପଲବ୍ଧ କରିପାରିବେ । ସେହିପରି ୧ ହେକ୍ଟର ହଳଦୀ ଚାଷ ନିମନ୍ତେ ମୋଟ୍ ଚାଷ ଖର୍ଚ୍ଚ ୩,୬୮,୨୯୭ ଟଙ୍କାର ଶତକଡା ୪୦ଭାଗ ହିସାବରେ ୧,୪୭,୩୧୮ ଟଙ୍କା ସରକାରୀ ରିହାତି ପ୍ରଦାନ କରିବାର ନୂତନ ମାର୍ଗଦର୍ଶିକାରେ ବ୍ୟବସ୍ଥା କରାଯାଇଛି । ନିର୍ଦ୍ଧାରିତ ଜିଲ୍ଲାର ଉଦ୍ୟାନକୃଷି ଉପନିର୍ଦ୍ଦେଶକମାନଙ୍କୁ ଏହାକୁ ପ୍ରେରଣ କରାଯାଇ ଯଥାଶୀଘ୍ର ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ସୁବ୍ୟବସ୍ଥିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking