ନୂଆଦିଲ୍ଲୀ : ସ୍କୁଲଗୁଡିକରେ ପୁଣିଥରେ ମଧ୍ୟାହ୍ନ ଭୋଜନ ଯୋଜନା ଚାଲୁ କରିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦାବି କରିଛନ୍ତି । ବୁଧବାର ଲୋକସଭାର ଶୂନ୍ୟକାଳରେ ସୋନିଆ ଏହି ପ୍ରସଙ୍ଗ ଉଠାଇଥିଲେ । ସୂଚନାଯୋଗ୍ୟ ଦେଶରେ କୋଭିଡ୍ ମହାମାରୀ ଦେଖାଯିବାପରେ କେନ୍ଦ୍ର ସରକାର ୨୦୨୦ରେ ଏହି ଯୋଜନାକୁ ବାତିଲ କରିଦେଇଛନ୍ତି ।
କୋଭିଡ୍ ସମୟରେ ସ୍କୁଲ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା । ତେଣୁ ଗରିବ ଶ୍ରେଣୀର ସ୍କୁଲ ପିଲା ଖାଦ୍ୟ ଅଭାବରେ ହୀନସ୍ତା ଭୋଗୁଛନ୍ତି । ଏହି ପରିପ୍ରେକ୍ଷୀରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ପୁନଃ ପ୍ରଚଳନ କରାଗଲେ, ଏହି ବର୍ଗର ପିଲାମାନେ ଉପକୃତ ହେବେ ବୋଲି ସୋନିଆ କହିଛନ୍ତିି । ଏହାବ୍ୟତୀତ ୩ ବର୍ଷରୁ କମ ବୟସର ପିଲା, ଗର୍ଭବତୀ ମହିଳା ଏବଂ ପ୍ରସୂତିଙ୍କ ପାଇଁ ଗରମ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ମଧ୍ୟ ସୋନିଆ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।