28.9 C
Bhubaneswar
Monday, June 22, 2026
Homeଓଡିଶାମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏସଆଇଆର ପ୍ରସ୍ତୁତି ସମୀକ୍ଷା ବୈଠକ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏସଆଇଆର ପ୍ରସ୍ତୁତି ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନ (ଭା. ପ୍ର. ସେ)ଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଗାମୀ ନିର୍ବାଚନ ତାଲିକାର ବିଶେଷ ସଘନ ସଂଶୋଧନ (SIR), ୨୦୨୬ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନର ବର୍ତ୍ତମାନର ସ୍ଥିତି ଏବଂ ବିଶେଷ ସଘନ ସଂଶୋଧନର ସୁଗମ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ସମସ୍ତ ସ୍ତରରେ ନିର୍ବାଚନ ଆୟୋଗ ଦ୍ୱାରା ନିୟମିତ ଭାବରେ ଦିଆଯାଉଥିବା ନିର୍ଦ୍ଦେଶନାମାର ସମୟୋଚିତ ଅନୁପାଳନ ଏବଂ ଅନ୍ୟାନ୍ୟ ପ୍ରସ୍ତୁତିର କ୍ରିୟାଶୀଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଅଧିକାରୀ ମାନଙ୍କୁ ଅଧିକ କ୍ରିୟାଶୀଳ ହେବା ସହିତ ଏବଂ ସଂଶୋଧନ ପ୍ରକ୍ରିୟା ଚାଲୁଥିବା ଓ ଅନ୍ୟାନ୍ୟ ସମୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ସମୀକ୍ଷା କରାଯାଇଥିବା ମୁଖ୍ୟ କାର୍ଯ୍ୟସୂଚୀ:
୧.୨୦୦୨ ଏବଂ ୨୦୨୫ ନିର୍ବାଚନ ତାଲିକା ମଧ୍ୟରେ ତୁଳନାତ୍ମକ ସ୍ଥିତି ଏବଂ ସାରାଂଶ ରିପୋର୍ଟ ଦାଖଲ।
୨.୨୫.୦୯.୨୦୨୫ ତାରିଖ ସୁଦ୍ଧା ଫର୍ମ ୬, ୭, ଏବଂ ୮ ର ବିସ୍ଥାପନ ।
୩. ବିଶେଷ ସଘନ ସଂଶୋଧନ (SIR) ସୂଚୀ ଘୋଷଣା ପରେ ତୁରନ୍ତ ପରିଗଣନା ଫର୍ମ ମୁଦ୍ରଣ ଏବଂ ସେଗୁଡ଼ିକର ବୁଥ୍ ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ ପାଇଁ ଯୋଜନା ପ୍ରସ୍ତୁତ କରିବା।
୪. ଜିଲ୍ଲା ନିର୍ବାଚନ ଅଧିକାରୀ (DEO) ଏବଂ ଜିଲ୍ଲାପାଳ ମାନଙ୍କ ଦ୍ୱାରା ନିର୍ବାଚନ କାର୍ଯ୍ୟକଳାପ ସହ ଜଡ଼ିତ ଖାଲି ପଦବୀ ପୂରଣ କରିବା।
୫. ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO)/ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO)ଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କିତ ଆବଶ୍ୟକୀୟ ସାମଗ୍ରୀର ପରିବହନ ଏବଂ ମାନବ ସମ୍ବଳ (HR) ସହାୟତାରେ ସ୍ଥିରୀକୃତ ସ୍ଥାନରେ ପରିଗଣନା ଫର୍ମ ଅପଲୋଡ୍ କରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ସହଯୋଗ ।
୬. ବିଶେଷ ସଘନ ସଂଶୋଧନ (SIR) ଘୋଷଣା ଦିନ ସାମ୍ବାଦିକ ସମ୍ମିଳନୀ ଏବଂ ରାଜନୈତିକ ଦଳଙ୍କ ସହ ବୈଠକ ପାଇଁ ପ୍ରସ୍ତୁତି।
୭. ବିଶେଷ ସଘନ ସଂଶୋଧନ (SIR) ଘୋଷଣା ପରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସମେତ ସମସ୍ତ ନିର୍ବାଚନ ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପରିଚାଳନା।
ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ (DEO) ମାନଙ୍କୁ ପ୍ରତ୍ୟେକ କାର୍ଯ୍ୟକଳାପର ସୁବିଦିତ ଯୋଜନା ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ। ଯାହା ଦ୍ଵାରା ବିଶେଷ ସଘନ ସଂଶୋଧନ ୨୦୨୬ ସୁଗମ ଓ ସ୍ୱଚ୍ଛ ହୋଇପାରିବ। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ଅନୁପାଳନ ପୂର୍ବକ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking