ଭୁବନେଶ୍ୱର: ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ୪୧୮୩ କୋଟି ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ୧.୬୭ଲକ୍ଷ କୋଟି ଟଙ୍କାର ୧୦ଟି ବୃହତ୍ ପ୍ରକଳ୍ପ ପାଇଁ ହାଇଲେଭଲ କ୍ଲିଅରାନ୍ସ ପ୍ରାଧିକରଣକୁ ସୁପାରିଶ କରିଛନ୍ତି । ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ବୈଠକରେ ମୋଟ ୯ଟି କ୍ଷେତ୍ରରେ ୪୧୮୩କୋଟି ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ରାଜ୍ୟରେ ୧୨୯୭୩ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଆଜି ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୬ଟି ଖୋର୍ଦ୍ଧା ଜିଲ୍ଲାରେ ସ୍ଥାପନ ହେବାକୁ ଥିବାବେଳେ ୩ଟି ପୁରୀ, ୨ଟି କୋରାପୁଟ ଓ ଗୋଟିଏ ଲେଖାଏଁ ଧାମରା, କଟକ, ଭଦ୍ରକ, ମୟୂରଭଞ୍ଜ ଓ ଅନୁଗୁଳରେ ସ୍ଥାପନ ହେବ । ପେପର, କାଠ ଓ ଜଙ୍ଗଲଜାତ ଦ୍ରବ୍ୟ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ, ପରିଧାନ, ଟେକନିକାଲ ଟେକ୍ସଟାଇଲ, ମେଟାଲ ଆନ୍ସିଲାରୀ ଓ ଡାଉନଷ୍ଟ୍ରିମ, ପଲିମର ଓ ପ୍ଲାଷ୍ଟିକ ପ୍ରଡକ୍ଟ, ପ୍ଲାଷ୍ଟିକ, ୱେଷ୍ଟ ମ୍ୟାନେଜମେଣ୍ଟ, ସର୍କୁଲାର ଇକୋନୋମି, କେମିକାଲ, ଟୁରିଜିମ୍ ଓ ସିମେଣ୍ଟ କ୍ଷେତ୍ରରେ ଏହି ନିବେଶ ହେବ ।
ଯେଉଁ ସବୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ସେଥିରେ ଗ୍ରୀନପ୍ଲାଏ ସ୍ପେଶାଲିଷ୍ଟ ପ୍ୟାନେଲସ ପ୍ରାଃ ଲିଃ ୬୦୬କୋଟି ଟଙ୍କାର ନିବେଶ କୋରାପୁଟର ସେମିଳିଗୁଡ଼ାରେ ୨ଟି ପ୍ରକଳ୍ପ କରିବ । ପେପର, କାଠ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ କରିବ ଓ ଏଥିରେ ୧୩୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବରୁଣ ବେଭେରେଜ୍ ଲିଃ ୬୨୪.୩୦ କୋଟି ଟଙ୍କାର ନିବେଶ କରି ୨୨୦ଜଣଙ୍କୁ ନିଯୁକ୍ତି ଦେଇ ଖୋର୍ଦ୍ଧାର ମଳିପଡ଼ାରେ ଫୁଡ୍ ପ୍ରୋସିସିଂ ପ୍ରକଳ୍ପ କରିବ । ସେହିପରି ୱାଇଡଲୋଟସ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଭଦ୍ରଖରେ ୧୭୧.୪୭କୋଟି ନିବେଶ ସହ ୧୭୩୪ ଜଣଙ୍କୁ ନିଯୁକ୍ତି, ଏସ୍ଏପିଏଲ ପକ୍ଷରୁ ପୁରୀ ଜିଲ୍ଲାରେ ୫୩କୋଟି ନିବେଶ ଏବଂ ୨୨୦୦ ନିଯୁକ୍ତି, ଗୋଲ୍ଡେନ୍ ସିମ୍୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମଳିପଡାରେ ୫୦.୧୦କାଟି ନିବେଶ ଏବଂ ୨୫୦୦ ଜଣଙ୍କୁ ନିଯୁକ୍ତି, କଟନ ୱାଲ୍ଡ ପକ୍ଷରୁ ପିପିଲିରେ ୫୦କୋଟି ନିବେଶ ସହ ୨ହଜାର ନିଯୁକ୍ତି, ଟିଆରକେ କ୍ରୋସାକି ଲି. ପକ୍ଷରୁ ଧାମରାରେ ୬୫୦କୋଟି ନିବେଶ ଏବଂ ୭୦୦ଜଣଙ୍କୁ ନିଯୁକ୍ତି, ସୁଦିଶା ଏଫ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ରାଇରଙ୍ଗପୁରରେ ୯୮.୦୫କୋଟି ନିବେଶ ଏବଂ ୨୦୦ଜଣଙ୍କୁ ନିଯୁକ୍ତି, ସିସକଲ୍ ଇନ୍ଫ୍ରା ପକ୍ଷରୁ ଖୋର୍ଦ୍ଧାରେ ୫୫.୦୬କୋଟି ନିବେଶ କରିବାକୁ ଥିବା ବେଳେ ୬୦୦ଜଣ ନିଯୁକ୍ତିର ସୁବିଧା ପାଇପାରିବେ ।
ସେହିପରି ଖୋର୍ଦ୍ଧାରେ ଶ୍ରୀ ମା ପଲ୍ଲିଫିଲ୍ଡସ ଲିମିଟେଡ ପକ୍ଷରୁ ୫୧୬.୫୮କୋଟି ନିବେଶ କରିବାକୁ ଥିବା ବେଳେ ୪୭୫ଜଣଙ୍କୁ ନିଯୁକ୍ତି ମିଳିବ । ମଳିପଡାରେ ଶ୍ରୀ ଚକ୍ର ପଲ୍ଳୀ ପ୍ଲାଷ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୨୦୦କୋଟି ନିବେଶ ସହ ୪୦୦ଜଣଙ୍କୁ ନିଯୁକ୍ତି, ଖୋର୍ଦ୍ଧାରେ ଏମ୍ଟିସି ବିଜିନେସ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୫୨କୋଟି ନିବେଶ, ୩୦୦ ନିଯୁକ୍ତି, ସାଲେପୁରରେ ସି ଆଇ ପି ଲିମିଟେଡ ପକ୍ଷରୁ ୫୦.୭୬କୋଟି ିନିବେଶ ଏବଂ ୮୪ଜଣଙ୍କୁ ନିଯୁକ୍ତି, ପୁରୀରେ ପ୍ରଭୁକୃପା ଇ ଆଣ୍ଡ ପି ପକ୍ଷରୁ ୫୦.୮୪କୋଟି ନିବେଶ ଏବଂ ୧୧୦ଜଣଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ଥିବା ବେଳେ ଅନୁଗୁଳରେ ଜିନ୍ଦଲ ପାନ୍ଥର ପ୍ରାଇଭେଟ ଲିମିଟେଡ ପକ୍ଷରୁ ୯୫୫କୋଟି ଟଙ୍କା ନିବେଶ କରାଯିବ । ସେହିପରି କମ୍ପାନୀ ପକ୍ଷରୁ ୩୫୦ଜଣଙ୍କୁ ନିଯୁକ୍ତିର ସୁଯୋଗ ମିଳିବ ।